ମୟୂରଭଞ୍ଜରେ ବଡ଼ଧରଣର ଆବାସ କେଳେଙ୍କାରୀ: ଚାଳ ଘରକୁ ପକ୍କା ଦର୍ଶାଇ ଉଠିଛି ୬୨ ଲକ୍ଷ

୮୫ ହଜାରରୁ ୧୨ ହଜାର ଜାଲ୍ ହିତାଧିକାରୀ

ବାରିପଦା : ୨୦୧୪ରୁ ୨୦୧୮ ମସିହା ୫ ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଆବାସ କେଳେଙ୍କାରୀ ସୀମା ଟପିଥିଲା। ଏହି ଅବଧି ମଧ୍ୟରେ ୮୫ ହଜାର ୩୨୧ରୁ ୧୨ ହଜାର ୫୬ଟି ଘର ନିର୍ମାଣ ନ ହୋଇ ଟଙ୍କା ଉଠାଯାଇଛି। ଏଥିସହ ୬୨ ଲକ୍ଷ ଟଙ୍କାର ହିସାବ ମିଳି ପାରୁନଥିବା ସ୍ବତନ୍ତ୍ର ଅଡିଟ୍ ଟିମ୍ ସରକାରଙ୍କୁ ରିପୋର୍ଟ ଦେଇଛି।

ଟିମ୍‌ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଜାଲିଆତି ଧରାପଡ଼ିବା ପରେ ବିଭିନ୍ନ ବ୍ଲକ୍‌ର ବିଡିଓମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଚିଠି କରାଯାଇଥିଲା। ସେ ସମୟ‌ରେ ଥିବା ବିଡିଓମାନେ ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ଏବେକାର ବିଡିଓ ଠିକ୍‌ ତଥ୍ୟ ଦେଇ ପାରୁନ‌ାହାନ୍ତି। ଏମିତିକି ସେହି ସମୟ‌ ମଧ୍ୟରେ କେତେ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ମିଳିଛି, ସେ ସଂକ୍ରାନ୍ତରେ କିଛି ବ୍ଲକ୍‌ରେ କାଗଜପତ୍ର ବି ମିଳୁନି। ନେତା ଓ ଅଧିକାରୀଙ୍କ ସଲାସୁତରାରେ ଜାଲ୍‌ କାଗଜପତ୍ରରେ ଆବାସ ଗୃହ ବାଣ୍ଟି କୋଟି କୋଟି ଟଙ୍କା ହରିଲୁଟ୍ ହୋଇଥିବା ବେଳେ ଏହି ଅଭିଯୋଗର ସତ୍ୟତା ଥିବା ଅଡିଟ୍‌ ରିପୋର୍ଟରୁ ସ୍ପଷ୍ଟ ବାରି ହେଉଛି।

ସରକାରୀ ସର୍ଭେ ଅନୁଯାୟୀ; ୨୦୧୪ରୁ ୨୦୧୮ ମଧ୍ୟରେ ଜିଲ୍ଲାରେ ୮୫ ହଜାର ଆବାସ ଘର ଆବଣ୍ଟନ ପରେ ବର୍ତ୍ତମାନ ୬ ଲକ୍ଷ ୯୭ ହଜାର ଚାଳଛପର ଘର ରହିବା କଥା। ହେଲେ ଏବେ ବି ୭ ଲକ୍ଷ ୫୨ ହଜାର ଚାଳଛପର ଘର ଥିବା ତଥ୍ୟ କହୁଛି। ଅଡିଟ୍ ରିପୋର୍ଟ ଅନୁଯାୟୀ, ୧୨ ହଜାର ୫୬ଟି ଘର ଜାଲ୍‌ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଅର୍ଥାତ ଅସଲ ହିତାଧିକାରୀ ଚାଳଛପର ‌ଘରେ ରହୁଥିବାବେଳେ ସେମାନଙ୍କ ନାଁରେ ସରକାରୀ ଖାତାରେ ପକ୍କାଘର ଦର୍ଶାଇ ଟଙ୍କା ଉଠିଛି। ୨୦୧୪ରୁ ୨୦୧୮ ମଧ୍ୟରେ କରଞ୍ଜିଆ, କପ୍ତିପଦା, ଯଶିପୁର, ମୋରଡ଼ା, ରାଇରଙ୍ଗପୁର, କୁସୁମୀ, କୁଳିଅଣା, ରରୁଆଁ, ବାରିପଦା, ଶ୍ୟାମାଖୁଣ୍ଟା, ଠାକୁରମୁଣ୍ଡା, ଉଦଳା, ବିଶୋଇ, ଶୁଳିଆପଦା, ବେତନଟୀ, ବଡ଼ସାହି, ସାରସକଣା, ବାଙ୍ଗିରି‌ପୋଷି, ରରୁଆଁ ଆଦି ବ୍ଲକ୍‌ରେ ସର୍ବାଧିକ ଆବାସ କେଳେଙ୍କାରୀ ହୋଇଥିବା ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର