ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକରେ ସରକାରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏମିତିକି ସବୁ ନିୟମକୁ ଜଳାଞ୍ଜଳି ଦେଇ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଲଗା ଅଲଗା ପଞ୍ଚାୟତରେ ଦୁଇଟି ସରକାରୀ କୋଠା ଦିଆଯାଇଥିବା ଅଭିଯୋଗ ହୋଇଛି। କେଳେଙ୍କାରୀ ଲୁଚାଇବା ପାଇଁ ସ୍ତ୍ରୀଙ୍କ ଠିକଣାରେ ତାଙ୍କ ସ୍ୱାମୀଙ୍କ ନାମ ନରହି, ବାପାଙ୍କ ନାମ ଉଲ୍ଲେଖ ରହିଛି।
ଅଭିଯୋଗ ଅନୁଯାୟୀ ରାଜନଗର ବ୍ଲକ ଡେରା ପଞ୍ଚାୟତ ମୁଗକଣି ଗାଁର ଉପେନ୍ଦ୍ର ଜେନାଙ୍କ ପୁଅ ସିନ୍ଧୁ ଚରଣୁଙ୍କୁ ୨୦୦୯-୧୦ ଆର୍ଥକ ବର୍ଷରେ ଡେରା ପଞ୍ଚାୟତର ବାସିନ୍ଦା ଭାବେ ଇନ୍ଦିରା ଆବାସ ଯୋଗାଇ ଦିଆଯାଇଥିଲା। ସରକାରୀ ରେକର୍ଡରେ ମୁଗକଣି ଗାଁରେ ସେ ଇନ୍ଦିରା ଆବାସ ନିର୍ମାଣ କରିଛନ୍ତି ବୋଲି ଦର୍ଶାଯାଇଛି। ୫ ବର୍ଷ ହେଲା ସିନ୍ଧୁଚରଣ ତାଙ୍କ ପରିବାର ସହ ଏହି ବ୍ଲକର ଚାନ୍ଦିବାଉଁଶମୂଳଠାରେ ରହୁଛନ୍ତି। ସେଠାରେ ଜାଗା କିଣି ଘର କରିଛନ୍ତି। ୨୦୧୮-୧୯ ଆର୍ଥକ ବର୍ଷରେ ସିନ୍ଧୁଙ୍କ ପତ୍ନୀ ସୁଷମା ଜେନାଙ୍କୁ ଚାନ୍ଦିବାଉଁଶମୂଳ ପଞ୍ଚାୟତର ବାସିନ୍ଦା ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଛି। ଏଥିପାଇଁ ତାଙ୍କୁ ଗତ ମେ’ ୨୪ରେ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ଓ ଜୁନ୍ ୨୧ରେ ଦ୍ୱିତୀୟ କିସ୍ତି ବାବଦରେ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସରକାରୀ ନିୟମ ଅନୁଯାୟୀ ସ୍ୱାମୀ ପୂର୍ବରୁ ସରକାରୀ କୋଠା ପାଇଥିଲେ ସ୍ତ୍ରୀ ପାଇପାରିବ ନାହିଁ କିମ୍ବା ସ୍ତ୍ରୀ ପୂର୍ବରୁ ପାଇଥିଲେ ସ୍ୱାମୀ ସରକାରୀ କୋଠା ପାଇପାରିବେ ନାହିଁ। ମାତ୍ର ସିନ୍ଧୁଙ୍କୁ ଡେରା ପଞ୍ଚାୟତରୁ ଓ ତାଙ୍କ ସ୍ତ୍ରୀ ସୁଷମାଙ୍କୁ ଚାନ୍ଦିବାଉଁଶମୂଳରୁ କିପରି ସରକାରୀ କୋଠା ପ୍ରଦାନ କରାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି କେଳେଙ୍କାରୀ ବିଷୟରେ ଲୋକେ ଯେପରି ଟେର୍ ନ ପାଇବେ ସେଥିଲାଗି କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ୱେବ୍ସାଇଟ୍ରେ ସୁଷମାଙ୍କ ସ୍ୱାମୀ ବଦଳରେ ତାଙ୍କ ପିତା ଅନାଦୀ ଚରଣ ପ୍ରଧାନ ବୋଲି ଉଲ୍ଲେଖ କରାଯାଇଛି। ବ୍ଲକ କାର୍ଯ୍ୟାଳୟରେ ପୂର୍ବରୁ ସରକାରୀ କୋଠା ପାଇଥିବା ହିତାଧିକାରୀଙ୍କ ତାଲିକା ରହିଛି। ସେଥିଲାଗି ସରକାରୀ କୋଠା ପ୍ରଦାନ ପୂର୍ବରୁୁ ହିତାଧିକାରୀ ପୂର୍ବରୁ ସରକାରୀ କୋଠା ପାଇଛି ନା ନାହିଁ ସେ ନେଇ ରେକର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥାଏ। ସିନ୍ଧୁ ପୂର୍ବରୁ ସରକାରୀ କୋଠା ପାଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ କିପରି ଅନ୍ୟ ଏକ ପଞ୍ଚାୟତରୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଗଲା ଓ ଏକଥା ତଦନ୍ତକାରୀ ଅଫିସର କିପରି ଜାଣିପାରିଲେ ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/awas.jpg)