ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶା ଯେତିକି ଘର ମାଗିଥିଲା ତା’ଠାରୁ ଅଧିକ ଘର ମିଳିଛି। ହେଲେ ରାଜ୍ୟ ସରକାର ବିଜେଡି କର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ବାଣ୍ଟିଛନ୍ତି। ଏପରିକି ପୂର୍ବରୁ ଯେଉଁ ଲୋକଙ୍କୁ ଘର ମିଳିଥିଲା, ଏଥର ବି ସେମାନଙ୍କୁ ଘର ମିଳିଛି। ଘର ଆବଣ୍ଟନରେ ଲାଞ୍ଚ କାରବାର ହୋଇଛି। ବଲାଙ୍ଗୀର/ସୁନ୍ଦରଗଡ଼ ଭଳି ଜିଲ୍ଲାରେ ବହୁତ କମ୍ ଲୋକଙ୍କୁ ଘର ମିଳିଛି। ସେଠାରେ କ’ଣ କମ୍ ଗରିବ ଲୋକ ଅଛନ୍ତି? ତେଣୁ ଯେଉଁମାନଙ୍କୁ ଘର ମିଳିନି ସେମାନଙ୍କୁ ପଲ୍ଲୀସଭା କରି ଘର ଦିଆଯାଉ।
ଆଜି ଶୂନ୍ୟକାଳରେ ‘ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପ୍ରିୟାପ୍ରୀତି, ଓଡ଼ିଶା ସରକାର କରୁଛନ୍ତି ରାଜନୀତି’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହିଭଳି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ବିଜେଡି କର୍ମୀଙ୍କୁ ଘର ଆବଣ୍ଟନ ହୋଇଛି: ମୋହନ
ଘର ଦେବାକୁ ସରପଞ୍ଚମାନେ ଟଙ୍କା ଆଦାୟ କରିଛନ୍ତି: ଜୟନ୍ତ
ବିଜେପି ଗୃହ ପାଇଁ ଗୃହ କଳି ଲଗାଇ ଦେଇଛି: ଅରୁଣ
ସେହିପରି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ କେଳେଙ୍କାରୀ କରିଛନ୍ତି। ପୂର୍ବରୁ ଏନେଇ କେନ୍ଦ୍ରୀୟ ଟିମ୍ ହଜାରେ କୋଟିର ଦୁର୍ନୀତି ହୋଇଥିବା ମୁଖ୍ୟସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେଣୁ ଗତ ୫ବର୍ଷରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରେ କେତେ ବଜେଟ୍ ଥିଲା, କେତେ ଖର୍ଚ୍ଚ କରିଛନ୍ତି, କେତେ ଘର ନିର୍ମାଣ ହୋଇଛି ତା’ର ତାଲିକା ଦିଅନ୍ତୁ। ଅପରପକ୍ଷେ କେନ୍ଦ୍ର ସରକାର ବାରମ୍ବାର କହିଥିଲେ ଯେ, ଆବାସ୍ + ପୋର୍ଟାଲରେ ସ୍ଥାୟୀ ପ୍ରତୀକ୍ଷିତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ନ୍ତୁ। କିନ୍ତୁ ରାଜ୍ୟ ସରକାର ଯୋଡ଼ିଲେନି। ଅପରପକ୍ଷେ ରାଜ୍ୟ ସରକାର କହିଲେ ଯେ, ଯେଉଁମାନେ ଘର ପାଇନାହାନ୍ତି ସେମାନେ ‘ଖ’ ଫର୍ମରେ ଆବେଦନ କରିବେ। କିନ୍ତୁ ବ୍ଲକରେ ଏହି ଆବେଦନ ବାକ୍ସକୁ ଆଜି ପର୍ଯ୍ୟନ୍ତ ଖୋଲାଗଲାନି। ଘର ପେଯରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସେ ବ୍ୟବସ୍ଥା ନକରି କାଟିବା ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କଲେ। ଫଳରେ ଗାଁ ଗାଁରେ ଅଶାନ୍ତି ସୃଷ୍ଟି ହେଲା। ସ୍ଥିତି ଏପରି ହେଲା ଯେ, ବଲାଙ୍ଗୀରରେ ୩୧୭ଟି ପଞ୍ଚାୟତ ଗ୍ରାମସଭାରେ ନିଷ୍ପତ୍ତି ନେଇଛନ୍ତି ଯେ, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ କେହି ଘର ନେବେନି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଲେ ଯେ, ପଞ୍ଚାୟତ ସ୍ତରରେ କ’ଣ ହେଉଛି ତାହା ବିଭାଗୀୟ ମନ୍ତ୍ରୀ ବୋଧେ ଜାଣୁନାହାନ୍ତି। ସବୁ ପାର୍ଟିର ସରପଞ୍ଚମାନେ ଘର ଦେବାକୁ ଟଙ୍କା ଆଦାୟ କରୁଛନ୍ତି। ଏଥିରେ ସବୁ ଦଳର ସମର୍ଥିତ ସରପଞ୍ଚ ଅଛନ୍ତି। ଜାଲ୍ ଗ୍ରାମସଭା କରିଛନ୍ତି। ଲୋକଙ୍କ ନାଁରେ ଅଭିଯୋଗ ହେଲେ ବି ତାଲିକାରୁ ନାଁ କଟୁନି। ମନ୍ତ୍ରୀ ଗାଁ ଗାଁ ବୁଲିଲେ ଜାଣିପାରିବେ କେତେ ଅଯୋଗ୍ୟ ହିତାଧିକାରୀ ଘର ପାଇଛନ୍ତି। ପୁରୀ ବ୍ଲକରେ ବି ବହୁ ଅଯୋଗ୍ୟଙ୍କୁ ଘର ମିଳିଛି। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହେବନି। ଗରିବ ଆଖିରୁ ଲୁହ ଝରୁଛି, ଘର ନେଇଥିବା ଧନୀ ସର୍ବସ୍ବାନ୍ତ ହୋଇଯିବେ।
ବିଧାୟକ ନବ ଚରଣ ମାଝୀ, ଭବାନୀ ଶଙ୍କର ଭୋଇ ବି ଆବାସ ବଣ୍ଟନରେ କେଳେଙ୍କାରୀ ହୋଇଥିବା କହିଥିଲେ।
ବିଜେଡି ବିଧାୟକ ଅରୁଣ ସାହୁ ଏହି ମୁଲତବୀ ପ୍ରସ୍ତାବ ବିରୋଧରେ ମତ ରଖି କହିଥିଲେ, ବିରୋଧୀ ଆବାସ ବଣ୍ଟନରେ ପ୍ରିୟାପ୍ରୀତି ହୋଇଛି ବୋଲି କହୁଛନ୍ତି, କିନ୍ତୁ ୩ବର୍ଷ କାହିଁକି ଓଡ଼ିଶାକୁ ଘର ମିଳିଲାନି ସେନେଇ କିଛି କହୁନାହାନ୍ତି। ପ୍ରତିିବର୍ଷ ଘର ମିଳିଥିଲେ, ରାଜ୍ୟେର କିଛି ଗରିବ ତ କମିଯାଇଥାନ୍ତେ। ହେଲେ ଲୋକ କିପରି ରାଜ୍ୟ ସରକାର ଉପରେ ବୀତସ୍ପୃହ ହେବେ ସେଥିପାଇଁ ବିଜେପି ସାଂସଦ ଓ ବିଧାୟକମାନେ ଦିଲ୍ଲୀ ଯାଇ ଓଡ଼ିଶାକୁ କିପରି ଘର ନମିଳିବ ସେ ବ୍ୟବସ୍ଥା କଲେ। ଆମେ ୧୨ଲକ୍ଷ ୨୫ହଜାର ଘର ମାଗିଥିଲୁ। ହେଲେ ମିଳିଲା ୯.୫୯ଲକ୍ଷ ଘର ମିଳିଲା। ୨୬ହଜାର ସମ୍ବେଦନଶୀଳ ଗ୍ରୁପ୍, ସ୍ବାଭିମାନ ଅଞ୍ଚଳର ୧୮ହଜାର ଲୋକଙ୍କୁ ଘର ମିଳିଲାନି। ଓଡ଼ିଶା ଏମିତି ଏକ ରାଜ୍ୟ ଯେଉଁଠି ଘର ଆବଣ୍ଟନ ପୂର୍ବରୁ ହିତାଧିକାରୀଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ ପାଉଛି। ହେଲେ ବିରୋଧୀ ଏଠାରେ ଗୃହ ପାଇଁ ଗୃହ ଯୁଦ୍ଧ ଲଗାଇ ଦେଇଛନ୍ତି।
ଶାସକ ଦଳ ପକ୍ଷରୁ ବିଧାୟକ ଚନ୍ଦ୍ରସାରଥୀ ବେହେରା, ଉମାକାନ୍ତ ସାମନ୍ତରାୟ, ସୀମାରାଣୀ ନାୟକ ଏହି ମୁଲତବୀ ପ୍ରସ୍ତାବକୁ ବିରୋଧ କରି ମତ ରଖିଥିଲେ।