ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଦୈସିଂ ଗ୍ରାମପଞ୍ଚାୟତରେ ବାସଗୃହ ଯୋଜନାରେ ବ୍ୟାପକ ଅନିୟମିତତା ଓ ଅର୍ଥ ଆତ୍ମସାତ୍ ଘଟଣାରେ ମାନ୍ୟବର ଲୋକାୟୁକ୍ତ ନିଜର ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Advertisment
ପ୍ରକାଶ ଥାଉକି ଦୈସିଂ ଗ୍ରାମ ପଞ୍ଚାୟତରେ ୪ ଜଣ ଭୂତହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରିବା, ଅଦୌ କୋଠା ଘର ନିର୍ମାଣ କରିନଥିବା ବେଳେ ୬ ଜଣ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା, ୪ ଜଣ ହିତାଧିକାରୀଙ୍କ ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ସରକାରୀ ଅନୁଦାନ ପ୍ରଦାନ କରିବା ସହ ୨ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ଗୃହ ପ୍ରଦାନ କରାଯାଇଥିବା ଦର୍ଶାଇ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଗତ  ମେ’ ମାସ ୩ ତାରିଖରେ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ମାନ୍ୟବର ଲୋକାୟୁକ୍ତ ଉକ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ମାମଲା ନଂ ୨୦୨/୨୦୨୩ରେ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ପକ୍ଷଭୁକ୍ତ କରିଥିଲେ। ଏଥି ସହ ଗତ ମେ’ ମାସ ୧୭ ତାରିଖ ରେ ଭଦ୍ରକ ବିଡ଼ିଓ, ଦୈସିଂ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତର ସରପଞ୍ଚ ଓ ଗ୍ରାମରୋଜଗାର ସେବକଙ୍କୁ ପକ୍ଷ ରଖିବାପାଇଁ ମାନ୍ୟବର ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଦେଇଥିଲେ।
ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଡ଼ିଓଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚିଠି ନଂ ୩୪୬୬ , ତା: ୨୪.୦୮.୨୦୨୩ରେ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଏହି ତଦନ୍ତ ରିପୋର୍ଟ ବିପକ୍ଷରେ ଅଭିଯୋଗକାରୀ ଶ୍ରୀ ନାୟକ ପ୍ରଶ୍ନ ଉଠାଇବା ସହ ତିଳୋତ୍ତମା ମାଝୀ ନାମକ ଜନୈକ ହିତାଧିକାରୀଙ୍କ ସତ୍ୟ ପାଠ ପ୍ରଦାନ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ଚଳିତ ନଭେମ୍ବର ୨୧ ତାରିଖ  ଶୁଣାଣି ସମୟରେ ମାନ୍ୟବର ଲୋକାୟୁକ୍ତ ବିଡ଼ିଓଙ୍କ ତଦନ୍ତ ରିପୋର୍ଟ ସ୍ପଷ୍ଟ ନଥିବା ଏବଂ ଏଥିରୁ କିଛି ବୁଝା ପଡୁନଥିବା କଥା ଉଲ୍ଲେଖ କରି ବିଡିଓ ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତ ରିପୋର୍ଟ ସମ୍ପର୍କରେ ମତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ନିର୍ଦ୍ଦେଶକ୍ରମେ ଭଦ୍ରକ ବିଡ଼ିଓଙ୍କ ତରଫରୁ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦାସ ଜାନୁଆରି ୨ ତାରିଖରେ ବ୍ୟକ୍ତିଗତ ଭାବେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ। ଶ୍ରୀ ନାୟକଙ୍କ ଅଭିଯୋଗର ଗୁରୁତ୍ୱକୁ ଅନୁଭବ କରି ମାନ୍ୟବର ଲୋକାୟୁକ୍ତଙ୍କ ୨ ଜଣିଆ ଖଣ୍ତପୀଠ ଉକ୍ତ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ପାଇଁ ନିଜସ୍ୱ ତଦନ୍ତକାରୀ ସଂସ୍ଥା କୁ ନିର୍ଦ୍ଦେଶ ଦେବା ସହ ତଦନ୍ତ ସମୟରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ର ଧାରା ୨୦(୨)କୁ ଅନୁପାଳନ କରିବା ନିମନ୍ତେ ଉଲ୍ଲେଖ କରିଛନ୍ତି। ତଦନ୍ତ ସମୟରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀ କିମ୍ବା ଜନପ୍ରତିନିଧିଙ୍କ ନାମ ଏବଂ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି।