ଆବାସ ଦୁର୍ନୀତି ପାଇଁ ୬ଟି ଅମୂଲ୍ୟ ଜୀବନ ଚାଲିଗଲା: ବିଜେପି

ଭୁବନେଶ୍ୱର : ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରତିବଦ୍ଧତା ଓ ଯତ୍ନବାନ ହୋଇ କାର୍ଯ୍ୟ କରୁଛନ୍ତି। ଏହି ସମୟରେ ସାମାନ୍ୟ ବର୍ଷା କାରଣରୁ ଘର କାନ୍ଥ ପଡ଼ି ଛଅ ଛଅଟି ଅମୂଲ୍ୟ ଜୀବନ ଚାଲିଯିବା ଆଦୌଗ୍ରହଣୀୟ ନୁହେଁ, ବରଂ ଅକଳ୍ପନୀୟ।

ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳ ଆଚରଣ ଓ ବ୍ୟବହାର କାରଣରୁ ପକ୍କା ଘରଟିଏ ପାଇବାରୁ ବଞ୍ଚିତ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଉଦଳା ଏବଂ ବାରିପଦା ସହରରେ ବର୍ଷା ପାଣିରେ କଚ୍ଚାଘରର କାନ୍ଥ ପଡି ୬ ଜଣ ପ୍ରାଣ ହରାଇଛନ୍ତି। ଲଗାଣ ବର୍ଷା ନୁହେଁ କି, ବାତ୍ୟା କି ବନ୍ୟା ନୁହେଁ। ମାତ୍ର ଦୁଇ ଦିନର ବର୍ଷାରେ ୬ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାର ଓ ପ୍ରଶାସନର ଅପାରଗତାକୁ ପ୍ରମାଣିତ କରିଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଚାର ଓ ଭୋଟ୍‌ ସର୍ବସ୍ୱ ବିଜେଡି ସରକାରର ବିଶ୍ୱସ୍ତରୀୟ ବିକାଶ ମଡେଲର ଅସଲ ମୁଖାକୁ ଏହି ଅଭାବନୀୟ ଘଟଣା ପଦାରେ ପକାଇ ଦେଇଛି। ଏଭଳି ଅଭାବନୀୟ ଘଟଣାର ଅନୁଧ୍ୟାନ ପାଇଁ ଗତକାଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାରବର୍ଗକୁ ଭେଟିବା ପରେ ଆଜି ଉକ୍ତ ଅଞ୍ଚଳର ଦୟନୀୟ ସ୍ଥିତି ବର୍ଣ୍ଣନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ବିଧାୟକ ଭବାନି ଭୋଇ, ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର