ଆବାସ ଯୋଜନା ବାଟବଣା! ଥିଲାବାଲାଙ୍କୁ ମିଳୁଛି, ଗରିବଙ୍କୁ ନାହିଁ, କ୍ଷୋଭ ଜଣାଇଲେ ୮୦ ବର୍ଷର ବୃଦ୍ଧା

ବାରିପଦା : କେହି କଚାଘରେ ରହିବ ନାହିଁ। ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ। ଏହି ଲକ୍ଷ୍ୟରେ ଗରିବ ଓ ଅସହାୟଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆବାସ ଯୋଜନା ମୟୂରଭଞ୍ଜ ଜିଲ୍ଲାରେ ବାଟବଣା ହୋଇଥିବା ଦେଖାଯାଇଛି। ଥିଲାବାଲାଙ୍କୁ ମିଳୁଛି ଆବାସ ଘର। ଆଉ ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ୁଛନ୍ତି। ଜିଲ୍ଲାର ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀ ଶ୍ୟାମାଖୁଣ୍ଟା ବ୍ଲକ୍‌ରୁ ଏଭଳି ମାଳମାଳ ଅଭିଯୋଗ ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଆସୁଛି। ତେବେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି। ତାଙ୍କ ନିର୍ବାଚନମଣ୍ଡଳୀ‌ ଅଧୀନରେ ଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ୍‌ରେ ଆବାସ ଯୋଜନା ଗୃହକୁ ଥିଲାବାଲା ହାତେଇ ନେଉଥିବାବେଳେ ରଇବାରୀ ବିନ୍ଧାଣୀଙ୍କ ଭଳି ଅସହାୟଙ୍କ ପାଇଁ ତାହା ସ୍ବପ୍ନ ପାଲଟିଛି। ରଇବାରୀଙ୍କ ଘର ଶ୍ୟାମାଖୁଣ୍ଟା ବ୍ଲକ୍‌ ଲକ୍ଷ୍ମୀପୋଷି ଗାଁରେ। ବୟସ ୮୦ ଟପିଲାଣି। ଏହି ବୟସରେ ସେ ଚଲାବୁଲା କରି ପାରୁନାହାନ୍ତି। ସାହାଭରସା ବି କେହି ନାହାନ୍ତି। ଭଙ୍ଗା କୁଡ଼ିଆରେ ଜୀବନ ବିତୁଛି। ପରିଣତ ବୟସରେ ସେ ପକ୍କାଘରଟିଏ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଘର ମିଳୁନି। ଏଥିରେ କ୍ଷୁବ୍‌ଧ ହୋଇ ସରକାର କାହାପାଇଁ ଏହି ଯୋଜନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ କହିବାକଥା ହେ‌ଲା, ସେ ହାତଗୁଞ୍ଜା ଦେବାକୁ ଅକ୍ଷମ ଥିବାରୁ ପକ୍କାଘର ପାଉନାହାନ୍ତି। ଏବେ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ନେତାମ‌ାନେ ତାଙ୍କ ଭଙ୍ଗା କୁଡ଼ିଆ ଘରକୁ ଆସୁଛନ୍ତି ଓ ତାଙ୍କ ସହ ଫଟୋ ଉଠାଇ ଘର ମିଳିବ ବୋଲି କହି ଯାଉଛନ୍ତି। ଗରିବ ଓ ଅସହାୟଙ୍କ ପାଇଁ ସରକାର ସବୁ ଯୋଜନା କରୁଛନ୍ତି। ହେ‌ଲେ ତଳସ୍ତରରେ ଏହାକୁ ବାଟବଣା କରି ହରିଲୁଟ୍ କରି ଦେଉଛନ୍ତି ବୋଲି ରଇବାରୀ କହିଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ରଇବାରୀଙ୍କ ଭଳି ଜଣେ ଗରିବ ଅସହାୟ ବୃଦ୍ଧାଙ୍କୁ ଯଦି ଘରଟିଏ ମିଳି ପାରୁନାହିଁ ତେବେ ଜିଲ୍ଲାର ଅନ୍ୟ ସ୍ଥାନରେ ଆବାସ ଯୋଜନା କେମିତି ଚାଲିଛି ତାହା ଅନୁମେୟ।

ସୂଚନା‌ଯୋଗ୍ୟ; ଜିଲ୍ଲାରେ ଆବାସ ଯୋଜନା ଗୃହ ନିର୍ମାଣରେ ସେତେଟା ଅଗ୍ରଗତି ହୋଇ ପାରୁନାହିଁ। ଗତ ୨୦୧୯ରେ ଧାର୍ଯ୍ୟ ଲକ୍ଷ୍ୟର ୬୦ ପ୍ରତିଶତ କାମ ହୋଇଥିଲା। ୨୦୨୦-୨୧ରେ ୬୮ ପ୍ରତିଶତ ପୂରଣ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ପୂରିବାକୁ ଆଉ ମାତ୍ର ଗୋଟିଏ ମାସ ଥିବା ବେଳେ ଆଜି ସୁଦ୍ଧା ମାତ୍ର ୬୫ ପ୍ରତିଶତ ପକ୍କାଘର ନିର୍ମାଣ ହୋଇଛି।

ସମ୍ବନ୍ଧିତ ଖବର