କୁଆମରା: ତାଲିକାରେ ଜଣଙ୍କ ନାଁ, ଘର ମିଳିଛି ଆଉ ଜଣଙ୍କୁ। ଏପରି ଅଭିଯୋଗ ଆଣିଛନ୍ତି ଗୋପବନ୍ଧୁନଗର ବ୍ଲକ୍ ସାଇଁକୁଳା ପଂଚାୟତ ଚକବ୍ରାହ୍ମଣ ସାହିର ପ୍ରଶାନ୍ତ ସାହୁ। ପ୍ରଶାନ୍ତଙ୍କ ସୂଚନା ମୁତାବକ ୨୦୧୬/୧୭ ମସିହାରେ ପଞ୍ଚାୟତର ପିଇଓ ଓ ଜିଆରଏସ୍ ଦୁହେଁ ତାଙ୍କ ଘରକୁ ଯାଇ ତଦନ୍ତ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ପାଇଁ ବାସଗୃହ ମଞ୍ଜୁର ହୋଇଥିବାର କହିଥିଲେ। ସେମାନଙ୍କ କହିବା ଅନୁଯାୟୀ ପରଦିନ ହିଁ ଆବଶ୍ୟକ କାଗଜପତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଥିଲେ ପ୍ରଶାନ୍ତ। ହେଲେ ଘର ମିଳିଲାନି। ପଚାରିବାରୁ କାଗଜପତ୍ର ଯାଇଛି, ମଞ୍ଜୁର ହୋଇ ଆସିଲେ ଜଣାଇ ଦିଆଯିବ ବୋଲି ଉତ୍ତର ମିଳିଲା। ଏପଟେ ୩ ବର୍ଷ ତଳେ ଏକ ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ ମଧ୍ୟ ପ୍ରଶାନ୍ତ ଏବେ ଭିନ୍ନକ୍ଷମ। କୁଟାଖଣ୍ଡିଏ ଉଠାଇବାକୁ ବି ବଳନାହିଁ। ଘର କହିଲେ ଚାଳଛପର ଖଣ୍ଡିଏ ଅଛି। ତିନି ବର୍ଷ ଧରି ମରାମତି ନକରି ପାରିବାରୁ ଛପର ଉପରୁ ନଡା ଖସିଲାଣି। ଅଧିକ ବର୍ଷା ହେଲେ ସ୍ତ୍ରୀ ଓ ପୁଅକୁ ଧରି ଘର ଆଗରେ ଥିବା ମନ୍ଦିରରେ ରାତି କଟାନ୍ତି।
ତେବେ ତାଙ୍କ ଘର ବଣ୍ଟନକୁ ନେଇ ତଞ୍ଚକତା ହୋଇଥିବା ଜଣାପଡ଼ିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୦୧୭ରୁ ୨୦୨୦ ମଧ୍ୟରେ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଘର ମରାମତି ବାବଦକୁ ୩ହଜାର ଟଙ୍କା ପ୍ରଦାନ କରିଥିଲେ। ତେବେ ଟଙ୍କା ଦେବା ପୂର୍ବରୁ ପଞ୍ଚାୟତମାନଙ୍କୁ ଆବାସ ଯୋଜନାରେ ସାମିଲ ହୋଇଥିବା ବାସଗୃହର ତାଲିକା ମଗାଯାଇଥିବା ବେଳେ ଘରର ଫଟୋ ଉଠାଇ ପଠାଇବାକୁ ନିର୍ଦ୍ଦେଶ ଥିଲା। ପଞ୍ଚାୟତ ତାଲିକାରେ ସେହି ମସିହାରେ ପ୍ରଶାନ୍ତଙ୍କ ନାମରେ ଘର ମିଳିଥିବା ଦର୍ଶାଯାଇଛି। ତେବେ ପ୍ରକୃତରେ ଏହି ଘର ଚକବ୍ରହ୍ମାଣ ସାହି ଗାଁର ଅନ୍ୟ ଜଣେ ପ୍ରଶାନ୍ତ ସାହୁଙ୍କୁ ମିଳିଥିବା ଜଣାପଡ଼ିଛି। କାହା ଭୁଲ୍ ଯୋଗୁ ତାଙ୍କ ଘର ଅନ୍ୟ ଜଣକୁ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଶାନ୍ତ। ଏହି ଘଟଣା ଜଣା ପଡିବା ପରେ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେଡିର ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ମହାରଣା ତେବେ ଭଙ୍ଗା ଘରେ ରହୁଥିବା ପ୍ରଶାନ୍ତଙ୍କୁ କେବେ ଆବାସ ଗୃହ ମିଳିବ ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/awas.jpg)