ଘସିପୁରାରେ ପୁଣି ଆବାସ ଘୋଟାଲା: ମୃତ ମହିଳାଙ୍କ ନାମରେ ଟଙ୍କା ଉଠାଣ

ଆନନ୍ଦପୁର : ଆବାସ ଦୁର୍ନୀତିକୁ ନେଇ ଘସିପୁରା ବ୍ଲକ୍‌ ଚର୍ଚ୍ଚାରେ ରହିଥିବାବେଳେ ଏବେ ପୁଣି ଏହି ଯୋଜନାରେ ଏକ ଘୋଟାଲା ସାମ୍ନାକୁ ଆସିଛି। ମୃତ୍ୟୁର ଚାରିବର୍ଷ ପରେ ଜଣେ ମହିଳାଙ୍କ ନାମରେ ଟଙ୍କା‌ ଉଠାଯାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଏନେଇ ଗ୍ରାମବାସୀ ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ଗ୍ରାମର ଦ୍ରୌପଦୀ ନାଏକଙ୍କ ୨୦୧୩ ମସିହାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରର ମଧ୍ୟ କେହି ସଦସ୍ୟ ନାହାନ୍ତି। ତେବେ ଦ୍ରୌପଦୀଙ୍କୁ ୨୦୧୬-୧୭ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି। ତାଙ୍କ ନାମରେ ୨୦୧୭ ଏପ୍ରିଲ ୨୪ ତାରିଖରେ ପ୍ରଥମ କିସ୍ତି ବାବଦକୁ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଆର୍‌ଟିଆଇରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ଇନ୍ଦୁପୁରା ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତ ଲୋକଙ୍କ ନାମରେ କିଭଳି ଆବାସ ଟଙ୍କା ଉଠାଗଲା ‌ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୃତ ଦ୍ରୌପଦୀଙ୍କ ନାମରେ ଟଙ୍କା ଉଠାଇ ତାହାକୁ ହଡ଼ପ କରାଯାଇଥିବା ସରୋଜ କୁମାର ପରିଡ଼ା, ପୀତବାସ ଦାସ, ବିନୋଦ ବିହାରୀ ବେହେରା, ସୁରେନ୍ଦ୍ର ପରିଡ଼ା, ଗଗନ ଝାଲିଆ, ପ୍ରଫୁଲ୍ଲ ଧୀର, କାବୁଲା ମଲିକ, ଭୀମ ଦାସ, ହରିହର ବେହେରା, ନିମାଇଁ ଦାସ, ଆନନ୍ଦ ବେହେରା ପ୍ରମୁଖ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗୋହିରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାନ୍ତଙ୍କୁ ପଚାରିବାରୁ, ସେ ଏନେଇ ବିଡିଓଙ୍କୁ ରିପୋର୍ଟ ଦେଇଛନ୍ତି। ଦ୍ରୌପଦୀ ନାମରେ ବୀରଗ‌ୋବିନ୍ଦପୁରରେ ଥିବା ଆଉଜଣେ ହିତାଧିକାରୀଙ୍କ ଜମାଖାତାକୁ ଏହି ଟଙ୍କା ପଳାଇଥିବା ସେ କହିଛନ୍ତି। ଫାଇଲ ଗଣ୍ଡଗୋଳିଆ ଯୋଗୁଁ ବୀରଗୋବିନ୍ଦପୁର ଗ୍ରାମର ‌ଦ୍ରୌପଦୀ ମଧ୍ୟ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିନଥିବା ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର