ଓଡ଼ଗାଁ ବ୍ଲକ ଗୋଡ଼ିପଲ୍ଲୀ ପଞ୍ଚାୟତରେ ଆବାସ ଯୋଜନାରେ ଜାଲିଆତି : ୱାର୍ଡମେମ୍ବରଙ୍କ ପରିବାର ଅନ୍ୟର ଜାଗା ଦେଖାଇ ୩ ପକ୍କାଘର ହାତେଇଛନ୍ତି

ଜାଗା ମାଲିକଙ୍କ ପ୍ରତିବାଦ ପରେ ମିଳୁଛି ଧମକ, ପ୍ରଶାସନ ନୀରବ

ନୟାଗଡ଼ : କ୍ଷମତାରେ ରହିଥିବା ଲୋକ ଯେ କୌଣସି ପ୍ରକାରେ ସରକାରୀ ସୁବିଧା ସୁଯୋଗ ହାତେଇ ନେଉଥିବା ବେଳେ, ଅନ୍ୟମାନଙ୍କୁ ଜାଣିଜାଣି ଏଥିରୁ ବଞ୍ଚିତ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡ଼ିପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମରେ । ଏହି ପଞ୍ଚାୟତସାରା ଏଭଳି ଜାଲିଆତି କରାଯାଇ ଅନେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇଥିବା ଖୋଦ୍ ଜଣେ କର୍ମଚାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଚଢେୟାପଲ୍ଲୀ ଗ୍ରାମ ୱାର୍ଡମେମ୍ବର ସୁକାନ୍ତି ନାହାକଙ୍କ ସମେତ ତାଙ୍କ ଦୁଇ ଯାଆ ମଞ୍ଜୁଲତା ନାହାକ, ହୁଲ୍ଲାସ ନାହାକ ଜାଲିଆତି କରି ଉକ୍ତ ଗ୍ରାମର ସ୍ବର୍ଗତ ହରି ନାହାକଙ୍କ ଜାଗାକୁ ଦର୍ଶାଇ (ଖତିୟାନ ନମ୍ବର ୭୪୧, ପ୍ଲଟ୍ ନମ୍ବର ୨୩୯୭) ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଥିବା ହରିଙ୍କ ପୁଅ ରବି ନାହାକ, ଭାଗିରଥୀ ନାହାକ, ରମେଶ ନାହାକ ଅଭିଯୋଗ କରିଛନ୍ତି। ଯେଉଁଥିରେ ସତ୍ୟତା ଥିବା ମଧ୍ୟ ସୂଚନା ଅଧିକାର ଆଇନରେ ଜଣାଯାଇଛି। ଆମ ଜାଗାକୁ ଚଞ୍ଚକତା କରି କିଭଳି ୱାର୍ଡମେମ୍ବର ଓ ତାଙ୍କ ସମ୍ପର୍କୀୟ ଘର ହାତେଇଲେ ସେଥିନେଇ ଏହି ତିନି ଭାଇ ପ୍ରଶ୍ନ ଉଠାଇଛନ୍ତି।

ଆଶ୍ଚର୍ୟ୍ୟର କଥା ହେଲା ଗୋଟିଏ ପ୍ଲଟ୍ ନମ୍ବରକୁ ଦର୍ଶାଇ ଆବାସ ଯୋଜନାରେ ୩ଟି ଘର ୱାର୍ଡମେମ୍ବର ରାଜନୈତିକ ସମ୍ପର୍କ ଫଳରେ ହାତେଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏଥିରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ, ଜିଆରଏସ୍ ପ୍ରମୁଖଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ। ଅନ୍ୟଜଣଙ୍କ ଜାଗାର କାଗଜପତ୍ର ଦେଇ କିଭଳି ଏହି ପରିବାର ଘର ହାତେଇଲେ , ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏଥିପ୍ରତି ଜାଣିଜାଣି ଆଖି ବୁଜି ଦେଲେ, ସେ ସବୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିନେଇ ମଧ୍ୟ ରବି ଓ ତାଙ୍କ ଦୁଇ ଭାଇ ଓଡ଼ଗାଁ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫରକ ପଡ଼ିନାହିଁ। ଆମେ ଆମ ଜାଗା ବିକ୍ରି କରୁନାହୁଁ, ଏହା ଆମ ମାଲିକାନାରେ ରହିଛି, ଏଭଳି ଚଞ୍ଚକତା କିଏ କରିଛି, ଭବିଷ୍ୟତରେ ସେ ଆମ ଜାଗାକୁ ଜବରଖଲ କରିବାର ଆଶଙ୍କା ମଧ୍ୟ ରହିଥିବା ନାହାକ ପରିବାର କହିଛନ୍ତି। ଅଭିଯୋଗ ପରେ କିଛି ଦିନ ଏମାନଙ୍କ ଘର ନିର୍ମାଣ କାର୍ୟ୍ୟ ବନ୍ଦ ରହିଥିବା ବେଳେ, ଏବେ ପୁନର୍ବାର ଆରମ୍ଭ କରାଯାଇଛି। କେବଳ ଏତିକି ନୁହେଁ, ୱାର୍ଡମେମ୍ବର ଓ ତାଙ୍କ ଦୁଇ ସମ୍ପର୍କୀୟ ଦେବୋତ୍ତର ଜାଗାରେ ଘର କରୁଥିବା ଅଭିଯୋଗ ଆସିଛି।

ରବି, ଭାଗିରଥୀ, ରମେଶଙ୍କ ମଧ୍ୟରୁ ରମେଶ ଆବାସ ଯୋଜନାରେ ଘର ପାଇନାହାନ୍ତି। ତାଙ୍କର ନିଜସ୍ବ ଜାଗା ନଥିବା ଦର୍ଶାଇ ବ୍ଲକ କର୍ତ୍ତୃପକ୍ଷ ଆବାସ ଯୋଜନାରେ ସାମିଲ କରୁନଥିବା ବେଳେ, ତାଙ୍କ ଜାଗାକୁ ଦର୍ଶାଇ ୱାର୍ଡମେମ୍ବରଙ୍କ ସମ୍ପର୍କୀୟ କିଭଳି ପକ୍କା ଘର ହାତେଇଲା ବେଳକୁ ପ୍ରଶାସନ କେମିତି ନିୟମ ଭୁଲିଗଲା ବୋଲି ଭାଗିରଥୀଙ୍କ ପତ୍ନୀ ରାଧା କହିଛନ୍ତି। ବିଡିଓଙ୍କ ସମେତ ସ୍ଥାନୀୟ ଥାନାରେ ମଧ୍ୟ ଏଥିନେଇ ଅଭିଯୋଗ କରାଯାଇଛି। ହେଲେ ଚଞ୍ଚକତାକାରୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନାହଁ। ଏ ବାବଦରେ ୱାର୍ଡମେମ୍ବର ସୁକାନ୍ତି ନାହାକଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା ସଫେଇ ଦେଇଛନ୍ତି। ତାଙ୍କ ସ୍ବାମୀ ପଞ୍ଚାୟତ ସାରା ଏଭଳି ଜାଲିଆତି ହୋଇଛି, ଆମକୁ କାହିଁକି ପଚାରୁଛ ବୋଲି ଓଲଟି ଯୁକ୍ତି ଦର୍ଶାଇଛନ୍ତି। ଗୋଡ଼ିପଲ୍ଲୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) କିଶୋର ବିଶ୍ବାଳଙ୍କୁ ଏବିଷୟରେ ପଚାରିବାରୁ ଏଭଳି ଜାଲିଆତି ମୋ ସମୟରେ ହୋଇନାହିଁ। ମୋ ପୂର୍ବରୁ ଥିବା ପିଇଓ ଏହା କରିଥିବେ ବୋଲି କହିଛନ୍ତି। ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି କ’ଣ ପଦକ୍ଷେପ ଗ୍ରହଣ କରୁଛି, ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର