ନିରାକାରପୁର : ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭକରି ବିଜୁ ପକ୍କାଘର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ବାବଦରେ ବାର୍ଷିକ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ସରକାରଙ୍କ ଏହି ମହତ ଯୋଜନା ଯେ ବାଟବଣା, ତାହା ସ୍ଥାନୀୟ ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ସାନସାମନ୍ତରାୟପୁର ଗ୍ରାମର ପ୍ରମୋଦ ମାର୍ଥାଙ୍କ ସ୍ଥିତି ପରଖିଲେ ସ୍ପଷ୍ଟ ହେଉଛି। ନିଜସ୍ୱ ଘର ଖଣ୍ଡିଏ ନାହିଁ, କିମ୍ବା ସରକାରୀ ବାସଗୃହ ଖଣ୍ଡେ ମିଳୁ ନାହିଁ। ଏଭଳି ପରିସ୍ଥିତିରେ ବାଉଁଶ ତାଟି ଘେରାଇ କାଳାତିପାତ କରୁଛନ୍ତି ପ୍ରମୋଦଙ୍କ ପରିବାର। ପାରିବାରିକ ସମସ୍ୟା କାରଣରୁ ପ୍ରମୋଦ ସର୍ବସ୍ୱ ହରାଇ ମୁଣ୍ତଟିକିଏ ଗୁଞ୍ଜିବା ପାଇଁ ରାହା ଖୋଜୁଛନ୍ତି। ହେଲେ ବାରମ୍ବାର ଆବେଦନ କରିବା ସତ୍ତ୍ବେ ତାଙ୍କୁ ସରକାରୀ ବାସଗୃହ ଖଣ୍ତିଏ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟବାଧକତାରେ ସେ ବାଉଁଶତାଟି ଘେରା ମାଟିଘରେ ଜୀବନ ବିତାଉଛନ୍ତି। ଏପରିକି, ସୈାଭାଗ୍ୟ ଯୋଜନାରେ ତାଙ୍କୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ମିଳି ନାହିଁ। ଫଳରେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଏହି ପରିବାର ଡିବିରି ଆଲୁଅରେ ଚଳୁଥିବା ପ୍ରମୋଦଙ୍କ ସ୍ତ୍ରୀ ମମତା ମାର୍ଥା କହିଛନ୍ତି। ଏଭଳି ଦୟନୀୟ ଅବସ୍ଥାରେ ଥିବା ପରିବାର ପ୍ରତି ପ୍ରଶାସନ ପଦକ୍ଷେପ ନେଇ ସରକାରୀ ବାସଗୃହ ଓ ବିଦ୍ୟୁତ୍ ସଂଯୋଗ ଦିଗରେ ସହଯୋଗ କରିବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି।
ନିରାକାରପୁରରେ ଆବାସ ଯୋଜନା ବାଟବଣା : ବାରମ୍ବାର ଆବେଦନ କରିବା ସତ୍ତ୍ୱେ ଗରିବ ଲୋକଙ୍କୁ ମିଳୁନି ବାସଗୃହ, ବାଉଁଶତାଟି ଘରେ ବିତୁଛି ଜୀବନ
/sambad/media/post_attachments/wp-content/uploads/2019/11/poor-family.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)