ଆବାସ ଯୋଜନା ଦିଗହରା : ହିତାଧିକାରୀଙ୍କୁ ମିଳୁନି ବାସଗୃହ, ଦଦରା କୁଡ଼ିଆରେ ବିତୁଛି ଜୀବନ

ବୈପାରିଗୁଡା : ସରକାରଙ୍କ ଅନେକ ଯୋଜନା ରହିଛି। ସେଥିମଧ୍ୟରେ ମଣିଷର ମୌଳିକ ଆବଶ୍ୟକତା ବାସଗୃହ ଯୋଜନା ମଧ୍ୟ ରହିଛି। କିନ୍ତୁ ପରିଚାଳନାଗତ ତ୍ରୁଟି ଏବଂ କ୍ଷେତ୍ରକର୍ମଚାରୀଙ୍କ ଅବହେଳା ଯୋଗୁଁ ଯୋଜନା ଦିଗହରା ହେବାକୁ ବସିଲାଣି। ରହିବାକୁ ଗୃହ ନଥିବାରୁ ଅତି ଦୟନୀୟ ଅବସ୍ଥାରେ ବାସି କରୁଛନ୍ତି ଏକ ଦମ୍ପତ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ଅନ୍ତର୍ଗତ ରାମଗିରି ପଞ୍ଚାୟତରେ।

ସୂଚନା ଅନୁସାରେ, ରାମଗିରି ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ବରେ ଏକ ଦଦରା ଘରେ ବାସ କରନ୍ତି ଗୋରା ପୂଜାରୀ(୬୨) ଏବଂ ଲଛମା ପୂଜାରୀ(୫୦)। ବାର୍ଦ୍ଧକ୍ୟ ଅବସ୍ଥାରେ ସନ୍ତାନ ସହାୟ ହେବେ ବୋଲି ସେମାନେ ଆଶା କରିଥିଲେ। କିନ୍ତୁ ପରିଣତ ବୟସରେ ଜନ୍ମିତ ପୁତ୍ର ଅଲଗା କରିଦେଲା ନିଜ ବାପା ମାଆଙ୍କୁ। ଫଳରେ ବାର୍ଦ୍ଧକ୍ୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଭାଗ୍ୟକୁ ଆଦରି ପଡି ରହିଛନ୍ତି ପରିତ୍ୟକ୍ତ ଘରେ। କେବଳ ୪ଟି ଖୁଣ୍ଟରେ ଉପରେ ଅଛି ଏକ ଭଙ୍ଗା ଟିଣ ଆଉ ଚାରିପାର୍ଶ୍ବ ଖୋଲା। ନା ଅଛି କବାଟ ନା ଝରକା। ବର୍ଷା ହେଲେ ଓଦା ହୋଇ ରୁହନ୍ତି ଏହି ଦମ୍ପତ୍ତି। ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଏହି ଦମ୍ପତ୍ତିଙ୍କ ପାଇଁ ସରକାରୀ ଯୋଜନା କହିଲେ କେବଳ ମାସିକ ୧୦କିଲୋ ଚାଉଳ। ରାସ୍ତା କଡ଼ରେ ଏହି ଦମ୍ପତ୍ତି ରହୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା ସ୍ବେଛାସେବୀ ଅନୁଷ୍ଠାନର ନଜର ପଡୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟରେ ବହୁବାର ନିଜର ସମସ୍ୟା ଜଣାଇ ନିରାଶ ହୋଇପଡିଛନ୍ତି ଏହି ଦମ୍ପତ୍ତି। ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର