ଦେଓଗାଁ ବ୍ଳକରେ ଆବାସ ଯୋଜନାରେ ୫ ବର୍ଷରେ ୯୬୦୦ ଲକ୍ଷ୍ୟ, ପୂରଣ ହୋଇଛି ୬୬୬୫

ଦେଓଗାଁ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ପ୍ରତି ଗ‌ାଁର ଲୋକମାନେ ଆଉ କଚ୍ଚା ଘରେ ରହିବେ ନାହିଁ। ପ୍ରତ୍ୟେକ ପରିବାରକୁ ଯୋଗାଇ ଦିଆଯିବ ପକ୍କାଘର। ଯେଉଁ ହିତାଧିକାରୀ ନର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କରି ପାରିବେ ତାଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ସରକାର ଯୋଜନା କରିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଠିକ ନ ଥିବାରୁ ଗରିବ ପରିବାରମାନେ ଘର ତିଆରି କରିପାରୁ ନାହାନ୍ତି। ସରକାର ଓ ହିତାଧିକାରୀଙ୍କ ମଝିରେ ଥିବା କର୍ମଚାରୀମାନଙ୍କ ବେପାରୁଆ ମନୋଭାବ ଯୋଗୁଁ ସରକାର ଲକ୍ଷ୍ୟ ପୂରଣ କରି ପାରୁ ନଥିବା ଜଣାପଡ଼ିଛି।

ଗତ ୫ ବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଜୁ ପକ୍କାଘର ଯୋଜନା କେତେ ଆସିଛି ଓ କେତେ ନିର୍ମାଣ ସରିଛି ବୋଲି ତଥ୍ୟ ସଂଗ୍ରହ କରାଯିବାରୁ ଜଣାପଡ଼ିଛି ଯେ, ୨୦୧୬/୧୭ ଆର୍ଥିକ ବର୍ଷରେ ୧୮୬୮ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୮୦୬ ସମ୍ପୂର୍ଣ୍ଣ ହୋଇଛି। ସେହିପରି ୨୦୧୭/୧୮ ଆର୍ଥିକ ବର୍ଷରେ ୧୫୦୩ ଆସିଥିବା ବେଳେ ୧୪୭୦ ସମ୍ପୂର୍ଣ୍ଣ, ୨୦୧୮/ ୧୯ରେ ଆସିଛି ୧୦୮୪ ସମ୍ପୂର୍ଣ୍ଣ ହୋଇଛି ୧୦୪୮, ୨୦୧୯/ ୨୦ରେ ଆସିଛି ୨୮୯୬ ସମ୍ପୂର୍ଣ୍ଣ ହୋଇଛି ୧୯୪୭ ଓ ଚଳିତ ଆର୍ଥିକ ବର୍ଷରେ ୧୯୩୦ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୮ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ବିଜୁ ପକ୍କାଘର ଯୋଜନାରେ ୨୦୧୬/୧୭ରେ ୧୮୭ ଆସିଛି ସମ୍ପୂର୍ଣ୍ଣ ହୋଇଛି ୧୮୨। ସେହିପରି, ୨୦୧୭/୧୮ରେ ୪୧ଟି ଆସିଥିବା ବେଳେ ଗୋଟିଏ ଅସମ୍ପୂର୍ଣ୍ଣ ଅଛି। ୨୦୧୮/୧୯ ଆର୍ଥିକ ବର୍ଷରେ ୧୦୨ଟି ଆସିଥିବା ବେଳେ ୮୪ଟି ସମ୍ପୂର୍ଣ୍ଣ ହୋଇଛି। ଦୁଇ ବର୍ଷ ହେଲା ରାଜ୍ୟ ସରକାରଙ୍କ ଘର ଯୋଜନା ବନ୍ଦ ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ୯୨୮୧ଟି ଓ ରାଜ୍ୟ ସରକାର ୩୩୦ଟି ମୋଟ ୯୬୧୧ଟି ମଧ୍ୟରୁ କେନ୍ଦ୍ର ସରକାରଙ୍କ ୬୩୫୯ଟି ଓ ରାଜ୍ୟ ସରକାରଙ୍କ ୩୦୬ ମୋଟ ୬୬୬୫ଟି ପୂରଣ ହୋଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୯୪୬ଟି ଘର ନିର୍ମାଣ କରିବାକୁ ବାକି ରହିଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରୋତ୍ସାହନ ରାଶି ଅନୁସାରେ ୫ ବର୍ଷ ମଧ୍ୟରେ ୧୫୧୨ ଜଣ ହିତାଧିକାରୀ ନିର୍ଦ୍ଧାରିତ ସମୟ ସୀମା ୪ ମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ କରିଥିବାରୁ ୨୦ ହଜାର ଟଙ୍କା ଲେଖାଏଁ ପାଇଥିବା ବେଳେ ୯୭୨ଜଣ ହିତାଧିକାରୀ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିଥିବା ସୋମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର