ସରକାରୀ ଆବାସ‌ରେ ଘୋଟାଲା : ଜଣକା ୪ ବିଜୁ ପକ୍କାଘର

ଦଶରଥପୁର : ଗରିବଙ୍କୁ ଆବାସ ଯୋଗାଇବା ଆଳରେ ହୋଇଛି ବ୍ୟାପକ ଘୋଟାଲା। ଜଣେ ଜଣେ ହିତାଧିକାରୀଙ୍କୁ ଦିଆଯାଇଛି ଚାରି ଚାରିଟି ବିଜୁ ପକ୍କାଘର। ଘୋଟାଲା ପାଇଁ ସବୁ ନିୟମ କାନୁନ୍‌କୁ ଦଳି ମକଚି ଦିଆଯାଇଛି। ଅନ୍‌ଲାଇନ୍‌ରେ ପଞ୍ଜୀକରଣ ପାଇଁ ବିପିଏଲ୍‌ ନମ୍ବର ଆବଶ୍ୟକତା ରହିଥିବା ବେଳେ ସେହିସ୍ଥାନରେ ଶୂନ (୦୦୦) ଲେଖି ଲୁଟି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରୁ ଏଭଳି ଘୋଟାଲା ସଂପର୍କରେ ତଥ୍ୟ ମିଳିଛି ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଦୁର୍ନୀତି ସୀମା ପାର୍‌ ହୋଇଯାଇଛି। ଅଭିଯୋଗ ଏବଂ ଆନ୍ଦୋଳନ ହେଲେ ତଦନ୍ତ ନିର୍ଦେଶ ଦିଆଯାଉଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ଓଲଟି ତଦନ୍ତ ନାମରେ ଫାଇଲ୍‌କୁ ଚାପି ରଖି ପକେଟ ଗରମ କରାଯାଉଛି। ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ତରା ପଞ୍ଚାୟତର ଚକ୍ରଧର ସାହୁଙ୍କ ପୁଅ ବିପିନ ସାହୁଙ୍କୁ ମିଳିଛି ଦୁଇ ବର୍ଷରେ ୪ଟି ବିଜୁ ପକ୍କା ଘର। ଗୋଟିଏ ବିଜୁ ପକ୍କାଘର ପାଇଁ ୭୫ ହଜାର ଟଙ୍କା ହିସାବରେ ବିପିନଙ୍କୁ ୩ ଲକ୍ଷ ଟଙ୍କା ଦିଆଯାଇଥିବା ବ୍ଲକ ପକ୍ଷରୁ ଅନ୍‌ଲାଇନ୍‌ରେ ପ୍ରଦତ୍ତ ତଥ୍ୟରେ ଉଲ୍ଲେଖ ରହିଛି। ବିପିନ୍‌ ଏହି ଟଙ୍କା ପାଇଛନ୍ତି ନା ତାଙ୍କ ନାମରେ କେହି ସରକାରୀ ବାବୁ ଚଞ୍ଚକତା କରି ଟଙ୍କା ଉଠାଇଛି ତାହା ତଦନ୍ତ ସାପେକ୍ଷ। ସରକାରୀ ରେକର୍ଡ ଅନୁଯାୟୀ ଚକ୍ରଧର ସାହୁଙ୍କ ପୁଅ ବିପିନ ସାହୁଙ୍କୁ ୨୦୧୨–୧୩ ଆର୍ଥିକ ବର୍ଷରେ ବିପିଏଲ ନଂ ୫୪, ମଂଜୁର ସଂଖ୍ୟା ୧୫୫୯ରେ ୭୫ ହଜାର ପ୍ରଦାନ କରାଯାଇଥିଲା। ସେହି ବର୍ଷ ବିପିଏଲ ସଂଖ୍ୟା ୦୦୦ ମଂଜୁର ସଂଖ୍ୟା ୧୮୬୫ରେ ବିପନଙ୍କୁ ଆଉ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାପରେ ୨୦୧୩–୧୪ ବର୍ଷରେ ମଧ୍ୟ ଆଉ ଦୁଇଟି ବାସଗୃହ ପ୍ରଦାନ କରାଯାଇଥିବା ଦର୍ଶାଯାଇଛି।

ସେହିପରି ଖଣ୍ତରା ପଂଚାୟତ ଆଉଜଣେ ହିତାଧିକାରୀଙ୍କୁ ମଧ୍ୟ ଦୁଇ ବର୍ଷରେ ୪ଟି ବିଜୁ ପକ୍କାଘର ବାବଦକୁ ବ୍ଲକ ପ୍ରଶାସନ ୩ ଲକ୍ଷ ଟଙ୍କା ପ୍ରଦାନ କରିଛି। ୨୦୧୨–୧୩ ଆର୍ଥିକରେ ଖଣ୍ଡରାର ଶ୍ରୀନାଥ ସାମଲଙ୍କ ପୁଅ ସୁଧାକର ସାମଲଙ୍କୁ ବିପିଏଲ ନଂ ୫୩ ମଂଜୁର ସଂଖ୍ୟା ୧୫୫୯ରେ ୭୫ ହଜାର ପ୍ରଦାନ କରାଯାଇଥିଲା ବେଳେ ସେହି ବର୍ଷ ବିପିଏଲ ନଂ ୦, ମଂଜୁର ସଂଖ୍ୟା ୧୩୨୫ରେ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଥିର୍କ ବର୍ଷ ୨୦୧୩–୧୪ରେ ମଧ୍ୟ ସୁଧାକରଙ୍କୁ ଆଉ ୨ଟି ବିଜୁ ପକ୍କାଘର ପ୍ରଦାନ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବିପିନଙ୍କ ଦୁଇ ବର୍ଷରେ ଗୋଟିଏ ମଂଜୁର ସଂଖ୍ୟା,ବିପିଏଲ ସଂଖ୍ୟା ‘୦୦୦’ ରହିଥିବା ବେଳେ ସୁଧାକରଙ୍କର ମଧ୍ୟ ବିପିଏଲ ସଂଖ୍ୟା ଶୂନ (୦) ରହିଛି। ଦୁଇ ଜଣ ହିତାଧିକାରୀଙ୍କ ମଂଜୁର ସଂଖ୍ୟା ୧୫୫୯ ରହିଛି। ତେଣୁ ଚଞ୍ଚକତା କରି ସମ୍ପୂର୍ଣ୍ଣ ଅର୍ଥ ହଡପ ହୋଇଥିବା ଅଭିଯୋଗ ହେଉଛି। ଏ ବିଷୟରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପଚାରିବାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର