ଠିକାଦାରଙ୍କ କୋଠା ଘର: ପତ୍ନୀଙ୍କୁ ମିଳିଛି ବିଜୁ ପକ୍କାଘର

ରାଜନଗର : ରାଜନଗର ବ୍ଲକ୍‌ରେ ସରକାରୀ ଆବାସ ଯୋଜନାରେ କେଳେଙ୍କାରୀର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ କୋଠା ଘର ଥିବା ଠିକାଦାରଙ୍କ ପତ୍ନୀଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପ୍ରଶାସନିକ ଅଧିକାରୀଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବାଲିକଣା ଗାଁର ବିଜୟ ସାହୁଙ୍କ ପତ୍ନୀ ମନୋରମାଙ୍କୁ ମିଳିଛି ବିଜୁ ପକ୍କାଘର। ୨୦୧୭-୧୮ ଆର୍ଥକ ବର୍ଷରେ ତାଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଛି। ସେ ଗରିବ, ଛପର ଘରେ ରହୁଛନ୍ତି ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ବୋଲି ଦର୍ଶାଯାଇଛି। ସରକାରୀ ରେକର୍ଡରେ ତାଙ୍କର ବିପିଏଲ୍‌ ନଂ. ୧୪୪୩୮୪ ଦର୍ଶାଯାଇ ତାଙ୍କୁ ବିଜୁ ପକ୍କାଘର ଧରାଇ ଦିଆଯାଇଛି। ୨୦୧୮ ମାର୍ଚ୍ଚ ୩୦ ତାରିଖେରେ ତାଙ୍କୁ ବିଜୁ ପକ୍କାଘର ପ୍ରଦାନ ଲାଗି ମଂଜୁରୀ ପ୍ରଦାନ କରାଯାଇଥିବା ବେଳେ ୨୦୧୮, ୧୧ ମେ’ରେ ତାଙ୍କୁ ପ୍ରଥମ କିସ୍ତି ବାବଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ବିଜୟଙ୍କ ରାଜମହଲ ପରି ଘର ଥିବାବେଳେ କିପରି ତାଙ୍କ ପତ୍ନୀଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜୟ ହେଉଛନ୍ତି ଜଣେ ଠିକାଦାର। ଗଲା ୫ ବର୍ଷ ମଧ୍ୟରେ ଟେଣ୍ଡର ମାଧ୍ୟମରେ ସେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର କାମ କରିଛନ୍ତି। ଗାଁରେ ତାଙ୍କର ବଡ଼ କୋଠା ଘର ରହିଛି। ୫/୬ ବଖରା ଘର ଥିବାବେଳେ ଘରର ଚାରିପଟେ ପାଚେରି ବୁଲିବା ସହିତ ଲୁହା ଗେଟ୍‌ ଲାଗିଛି। ଘରର ସମ୍ମୁଖ ଭାଗରେ ଏକ ହଲର୍‌ ରହିଛି। କେବଳ ସେତିକି ନୁହେଁ, ତାଙ୍କ ବାପାଙ୍କର ୨୦/୩୦ ଏକର ଜମିି ଥିବାବେଳେ ତାଙ୍କ ସାନଭାଇ ଜଣେ ଠିକାଦାର ଓ ସେ ଭୁବନେଶ୍ୱରରେ ଘର କରି ରହୁଛନ୍ତି। ତାଙ୍କର ଆଉ ଜଣେ ସାନଭାଇ ଏହି ବ୍ଲକ୍‌ର ଦେବେନ୍ଦ୍ର ନାରାୟଣପୁରରେ ଘର କରି ହଲର୍‌ କରି ରହିଛନ୍ତିି। ମାତ୍ର ଠିକାଦାର ବିଜୟଙ୍କ ପତ୍ନୀଙ୍କୁ ରାଜନଗର ବ୍ଲକ ପ୍ରଶାସନ ପ୍ରଦାନ କରିଛି ବିଜୁ ପକ୍କାଘର।

ରାଜନଗର ବ୍ଲକ୍‌ରେ ସରକାରୀ ଆବାସ ପ୍ରଦାନରେ ଏଭଳି ଦୁର୍ନୀତି ହୋଇଛି। କୋଠାଘର ମାଲିକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଆସୁଛି। ବିଶେଷ କରି ୨୦୧୭-୧୮ ଆର୍ଥକ ବର୍ଷରେ ଆସିଥିବା ବିଜୁ ପକ୍କାଘରକୁ ସବୁ ପଞ୍ଚାୟତକୁ ବଣ୍ଟା ନ ଯାଇ ୨/୩ଟି ପଞ୍ଚାୟତରେ ଏକପ୍ରକାର ନିଲାମ କରି ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର