ଆଦିବାସୀ ଇଲାକାରେ ଆବାସ ଯୋଜନାର ଦୟନୀୟ ଚିତ୍ର : ଆବାସ ଟଙ୍କା ଧରି ଠିକାଦାର ଛୁ, ହିତାଧିକାରୀ ହନ୍ତସନ୍ତ

ନୂଆଗାଁ : ଦିନେ ଖାଇଲେ ଆର ଦିନକୁ ଉପବାସ। ସବୁ ସମୟରେ ପରିବାରରେ ଆର୍ଥିକ ଅନଟନ ଲାଗିଥିବାରୁ ଘର ଖଣ୍ତିଏ କରିପାରି ନାହାନ୍ତି। ସରକାରଙ୍କ ତରଫରୁ ଆସିଥିବା ଆବାସ ଦିଆଯାଇଥିଲେ ମଧ୍ୟ ତାହା କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ। ଏମିତି ଅବସ୍ଥାରେ ଦଲାଲ୍ ଘର ନିର୍ମାଣ କରିଦେବ କହି ତାଙ୍କ ଟଙ୍କା ହଡ଼ପ କରି ନେଇଛି। ଏବେ ଘର ନ ଥିବାରୁ ପରିବାର ଲୋକେ ଅତି ଦୟନୀୟ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି। ନୂଆଗାଁ ବ୍ଲକ୍ ଗୁମୀ ପଞ୍ଚାୟତର ଅତି ନିପଟ ଆଦିବାସୀ ମଣିଆକୋଟ ଗାଁରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ରେ ଦଲାଲ୍‌ଙ୍କ ରାଜ୍ ଚାଲିଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ସତମିଛ କହି ପ୍ରଭାବିତ କରି ଅର୍ଥ ଉପାର୍ଜନ କରିବାରେ ଲାଗିଛନ୍ତି। ମଣିଆକୋଟ ଗାଁର ଖତିଆ ଯାନୀ ଆବାସ ପାଇବା ପରେ ଦଲାଲ୍ ତାଙ୍କ ପାଖରେ ପହଞ୍ଚି ଘର ନିର୍ମାଣ କରିଦେବାକୁ କହିଥିଲା। ଅନ୍ୟ କିଛି ଉପାୟ ନପାଇ ଖତିଆ ଯାନୀ ଦଲାଲ୍‌ କଥାରେ ରାଜି ହୋଇଥିଲେ। ୨୦୧୭–୧୮ ମସିହାରେ କାର୍ଯ୍ୟାଦେଶ ପାଇବା ପରେ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ଖତିଆ ଯାନୀଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା ଏବଂ ସେହି ଟଙ୍କାରେ ଦଲାଲ୍ ଘର ନିର୍ମାଣ କରିବ କହି ନେଇଥିଲା। ଦଲାଲ୍ ଘର ନିର୍ମାଣ ଆରମ୍ଭ କରି ପ୍ଲିନ୍ଥ ପତନ କରିବା ପରେ ଖତିଆଙ୍କ ଆକାଉଣ୍ଟ୍‌କୁ ଆଉ ୩୫ ହଜାର ଟଙ୍କା ଆସିଥିଲା। ଦଲାଲ୍ ଜାଣିବା ପରେ ଖତିଆ ବ୍ୟାଙ୍କରୁ ଆଣିଥିବା ୩୫ ହଜାର ଟଙ୍କାଙ୍କୁ ପୁଣି ନେଇଯାଇଥିଲା। ଏବେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଦଲାଲ୍ ଘରକୁ ଅଧପାନ୍ତରିଆ ଅବସ୍ଥାରେ ପକାଇ ରଖିଛି। ଏବେ ଖତିଆ ଯାନୀଙ୍କ ପୁଅ ସୁଶାନ୍ତ ଯାନୀ, ସ୍ତ୍ରୀ ପ୍ରଭାତୀ ଯାନୀ ଏବଂ ଦୁଇ ନାତିନାତୁଣୀ ଖୋଲା ଆକାଶ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବାହାରେ ରାତ୍ରୀ ଯାପନ କରିବା ସହ ଗୋଟିଏ ଜାଗାରେ ରୋଷେଇ ଏବଂ ସମସ୍ତ ନିତ୍ୟକର୍ମ କରୁଥିବା ପୁଅ ସୁଶାନ୍ତ ଯାନୀ କହିଛନ୍ତି। ବାରମ୍ବାର ପରିବାର ଲୋକେ ଦଲାଲ୍‌କୁ ଗୁହାରୀ କରି ଆସୁଥିଲେ ମଧ୍ୟ ଆଜିକାଲି କହି ଏକବର୍ଷ ହେବ ଖତିଆ ଯାନୀଙ୍କୁ ଭୂତେଇ ଚାଲିଛନ୍ତି।

ଦଲାଲ୍ କରିଥିବା ଘରୁ ସିମେଣ୍ଟ ବାହାରି ପଡୁଥିବା ବେଳେ ଲୁହାରଡ୍ ଆବଶ୍ୟକତା ଅନୁଯାଇ ଲଗା ଯାଇନାହିଁ। ଖତିଆ ଯାନୀ ନିରକ୍ଷର ହୋଇଥିବାରୁ ଦଲାଲ୍ ତାଙ୍କ ସହ ଖେଳ ଖେଳୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତି କେବଳ ଖତିଆ ଯାନୀ ନୁହନ୍ତି ଗାଁର ଅଧିକାଂଶ ହିତାଧିକାରୀଙ୍କ ଘରକୁ ଦଲାଲ୍ ନିର୍ମାଣ କରି ହଜାର ହଜାର ଟଙ୍କା ଲୁଟିବାରେ ଲାଗିଛି। ଏହି ଖବର ବ୍ଲକ୍ ପ୍ରଶାସନ ପାଖରେ ଥିଲେ ମଧ୍ୟ ଆଜି ସୁଦ୍ଧା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେବେ ବ୍ଲକ୍ ପ୍ରଶାସନ ଏହି ପରିବାରକୁ ଦୃଷ୍ଟି ଦେଇ ବିପଦମୁକ୍ତ କରିବାକୁ ଦାବି ହୋଇଛି। ଏହି ଘଟଣାରେ ନୂଆଗାଁ ବିଡିଓ ସିରିୟାଲ ପଟେଲ୍ କହିଛନ୍ତି, ଘଟଣାର ତଦନ୍ତ କରାଯିବ ଏବଂ ଦଲାଲ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର