ନୂଆଗାଁରେ ବଢ଼ିଚାଲିଛି ଆବାସ ଅନିୟମିତତା : ଥିଲାବାଲାଙ୍କୁ ମିଳୁଛି ଆବାସ ଘର, ପ୍ରକୃତ ହିତାଧିକାରୀ ଉପେକ୍ଷିତ

ନୂଆଗାଁ : ନୂଆଗାଁ ବ୍ଲକ୍‌ରେ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତା ଦେଖାଦେଇଛି। ବିନା ତଦନ୍ତରେ ଚାକିରିଆଙ୍କୁ ମିଳିଛି ଆବାସ। ଟ୍ରାକ୍ଟର୍‌ ଓ ଦୋମହଲା କୋଠା ଥିବା ଲୋକେ ମଧ୍ୟ ଆବାସ ପାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ। ସୂଚନା ମୁତାବକ, ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ନୂଆଗାଁ ବ୍ଲକ୍‌ରେ ମୋଟ ୧୬ ଶହ ୬୬ଟି ଆବାସ ଘର ଯୋଗାଇ ଦିଆଯାଇଛି। ଆବାସ ଘର ଦେବା ପୂର୍ବରୁ ବ୍ଲକ୍ କର୍ମଚାରୀମାନେ ହିତାଧିକାରୀଙ୍କ ଘର ବୁଲି ଯାଞ୍ଚ କରିବା ସହ ସେମାନଙ୍କ ଆର୍ଥିକ ଅବସ୍ଥା ଓ ଏସ୍‌ଇସିସି ତାଲିକାକୁ ଦେଖି ବ୍ଲକ୍‌କୁ ରିପୋର୍ଟ କରିବେ। କିନ୍ତୁ ନୂଆଗାଁ ବ୍ଲକ୍‌ରେ କର୍ମଚାରୀମାନେ ଦଲାଲ୍‌ ଓ କୁଜି ନେତାଙ୍କ ପ୍ରରୋଚନାରେ ଥିଲାବାଲାଙ୍କୁ ଆବାସ ଘର ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଚାରିଚକିଆ ଗାଡ଼ି, ଦୋମହଲା କୋଠାଘର ଓ ଚାକିରିଆ ପରିବାର ଲୋକେ ଆବାସ ହାତେଇଛନ୍ତି। ଏହି କେଳେଙ୍କାରୀ ପଛରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି। ଘର ଖଣ୍ଡେ ପାଇବାକୁ ବର୍ଷ ବର୍ଷ ଧରି ଚାହିଁ ବସିଥିବା ପ୍ରକୃତ ହିତାଧିକାରୀ ଆଉ ଥରେ ଉପେକ୍ଷିତ ହୋଇଛନ୍ତି। ଗରିବଙ୍କ ପ୍ରତି ପ୍ରଶାସନର ଏଭଳି ବେପରୁଆ ମନୋଭାବ ଯୋଗୁ ଲୋକେ ଘର ଖଣ୍ଡେ ପାଇଁ ଗାଁ ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି।

ନୂଆଗାଁ ପଞ୍ଚାୟତରେ ଦେଖିବାକୁ ଗଲେ ନୂଆଗାଁ ସମେତ ଖାଲମଡ଼ା, ଆମ୍ବଝରୀ, ମୃଦାଙ୍ଗ, ଭାଲିଆପଦର, କାଚପଲ୍ଲୀ, ବୁଢ଼ାବାରୀ ଆଦି ଗ୍ରାମକୁ ୧୬୩ ଟି ଆବାସ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ଅଧିକାଂଶ ଘର ଛାତ ଉପରେ ଛାତ ଥିବା ଲୋକଙ୍କୁ ଦିଆ ଯାଇଥିବା ବେଳେ ଚାକିରିଆ ପରିବାର ଓ ଟ୍ରାକ୍ଟର୍‌ ଥିବା ଲୋକଙ୍କୁ ଆବାସ ଘର ଯୋଗାଇ ଦିଆଯାଇଛି। ନୂଆଗାଁ ପଞ୍ଚାୟତରେ ଏଭଳି ଚଞ୍ଚକତା କାହା ସ୍ୱାର୍ଥରେ ହେଉଛି ବୋଲି ଅଭିଯୋଗ ଆଣିବା ସହ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। କିଛି ବ୍ୟକ୍ତି ଗାଁରେ ବର୍ଷ ବର୍ଷ ନ ରହି ମଧ୍ୟ ବାହାରେ ରହି ଆବାସ ଘର ହାତେଇଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ କିଛି ଦଲାଲ୍‌ ମିଶି ଗାଁରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ୨୦ରୁ ୩୦ ହଜାର ଟଙ୍କା ଆଦାୟ କରି ଏହି ଘର ଦେଇଥିବା ଅଭିଯୋଗ ଆସିଛି। ଏହି କାରବାରରେ ବ୍ଲକ୍‌ର କିଛି କର୍ମଚାରୀ ସାମିଲ୍ ଥିବା କୁହାଯାଉଛି। କେବଳ ନୂଆଗାଁ ପଞ୍ଚାୟତ ନୁହେଁ, ଉଦୟପୁର ପଞ୍ଚାୟତରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ଛାତ ଘର ଥିବା ଓ ଧନୀ ଲୋକଙ୍କୁ ଆବାସ ଘର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ବିଡିଓଙ୍କ ମତାମତ ମିଳିପାରି ନ ଥିବାରୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାଓଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର