ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ତଦାରଖ ପାଇଁ ‘ଅସର୍‌’

‘ଡ୍ରିଙ୍କ୍‌ ଫ୍ରମ୍ ଟ୍ୟାପ୍ ମିସନ୍‌’କୁ ପ୍ରଶଂସା କଲେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ସଚିବ
ଜି. ମାଥିଭାଥନନ୍ ହେଲେ ‘ଅସର୍’ର ସିଇଓ

ଭୁବନେଶ୍ବର : ସାରା ଦେଶରେ ଜଳ ଯୋଗାଣ ଓ ପରିମଳ କ୍ଷେତ୍ରରେ ଯେପରି ବ୍ୟାପକ କାର୍ଯ୍ୟକ୍ରମ କରିହେବ ସେଥିପାଇଁ ଆଜି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ତରରେ ଜଳ ଯୋଗାଣ ଏବଂ ପରିମଳ ସଂଗଠନ (ଅସର୍‌) ଆରମ୍ଭ ହୋଇଛି। ଏହି ସଂଗଠନରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଅଛନ୍ତି। ଯେଉଁ ରାଜ୍ୟରେ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସବୁଠୁ ଉନ୍ନତ ହୋଇଥିବ ତାହାକୁ ସାରା ଦେଶରେ ଯେପରି ଲାଗୁ କରାଯିବ ସେନେଇ ଏହି ସଂଗଠନ କାମ କରିବ।

ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଏହି ସଂଗଠନକୁ ଉଦ୍‌ଘାଟନ କରି କହିଥିଲେ, ଅମୃତ- ୨ ଯୋଜନାରେ ୪୮୦୦ରୁ ଅଧିକ ସହରରେ ୫ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ୨.୯୭ଲକ୍ଷ କୋଟି ଖର୍ଚ୍ଚ ହେବ। ଏଥିରୁ ୨.୭୭ଲକ୍ଷ କୋଟି କେବଳ ନୂଆ ପ୍ରକଳ୍ପ ବାବଦକୁ ‌ଖର୍ଚ୍ଚ ହେବାକୁ ଥିବାବେଳେ ବାକି ୨୦ହଜାର କୋଟି ଅମୃତ-୧ ଯୋଜନାରେ ବଳକା ଥିବା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ। ତେଣୁ ଏହାକୁ ଯେପରି ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରାଯିବ ଏବଂ ସାରା ଦେଶରେ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେଥିପାଇଁ ଏହି ‘ଅସର୍‌’ ସଂଗଠନ ଗଠନ କରାଯାଇଛି। ଓଡ଼ିଶା ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍ ମିସନ୍‌‌’ରେ ସାରା ଦେଶରେ ଏକ ନିଆରା ପ୍ରକଳ୍ପ କରିଥିବାରୁ ଓଡ଼ିଶାର ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ଙ୍କୁ ‘ଅସର୍‌’ର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମନୋନୀତ କରାଯାଇଛି। ସେ ଏହି ସଂଗଠନର ବିଭିନ୍ନ କାମକୁ ପ୍ରତ୍ୟେକ୍ଷ ଭାବେ ତଦାରଖ କରିବେ।

ପୁରୀରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ୍’ ଆରମ୍ଭ ହେବା ପୂର୍ବରୁ ପ୍ରତି ୧୦୦ଲିଟର ପାଣିରୁ ୪୬ଲିଟର ପାଣି ଅଣ ରାଜସ୍ବ (ଏନ୍‌ଆର୍‌ଡବ୍ଲ୍ୟୁ) ବା ନଷ୍ଟ ହେଉଥିଲା। କିନ୍ତୁ ଏହି ଯୋଜନା ଆରମ୍ଭ ହେବା ପରେ ଏହା ୧୫% ବା ୧୫ଲିଟରକୁ ଖସିଆସିଛି। ଆଗାମୀ ଦିନରେ ଏନ୍‌ଆର୍‌ଡବ୍ଲ୍ୟୁ ୧୦% କରିବାକୁ ଯୋଜନା ହୋଇଛି। ତେଣୁ ସାରା ଦେଶରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍ ମିସନ୍ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହା ହେଲେ କମ୍‌ ପାଣିକୁ ଅଧିକ ଲୋକ ବ୍ୟବହାର କରିପାରିବେ। ଓଡ଼ିଶାରେ ୧୧୫ ସହରରୁ ୫୫ ସହରରେ ଡିସେମ୍ବର, ୨୦୨୨ ସୁଦ୍ଧା ସବୁ ଘରକୁ ୨୪ଘଣ୍ଟା ପାଣି ଯୋଗାଇବାକୁ ଯୋଜନା ହୋଇଥିବାବେଳେ ଡିସେମ୍ବର,୨୦୨୩ ସୁଦ୍ଧା ସବୁ ସହରାଞ୍ଚଳରେ ପ୍ରତି ଘରକୁ ୨୪ଘଣ୍ଟା ବିଶୁଦ୍ଧ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଫଳପ୍ରଦ ହୋଇଥିବାରୁ ସାରା ଦେଶ‌େର ଏହାକୁ ଲାଗୁ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୦ରୁ ଅଧିକାରୀ ଯୋଗଦେଇଥିଲେ। ସମସ୍ତେ ଆଜି ପୁରୀ ଯାଇ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ୍’ କିପରି କାର୍ଯ୍ୟକ୍ଷମ ହେଉଛି ତାହା ବୁଲି ଦେଖିଛନ୍ତି।

ସମ୍ବନ୍ଧିତ ଖବର