ରାଉରକେଲା/ସାରନଗରୀ: ମିନି ଇଣ୍ଡିଆ ଷ୍ଟିଲସିଟି ରାଉରକେଲା ସାରନଗରୀର ହଜି ଯାଇଛି ଚମକ। ସାର କାରଖାନା ବନ୍ଦ ହେବା ପରେ ଏ ଇଲାକା ହରାଇ ବସିଛି ଅସ୍ତିତ୍ବ। ଏକଦା କୋଳାହଳରେ ଫାଟି ପଡୁଥିବା ଜନ ଗହଳିପୂର୍ଣ୍ଣ ଏ ଅଞ୍ଚଳରେ ବର୍ତ୍ତମାନ ଅଳ୍ପ କିଛି ଆର୍ଏସ୍ପି କର୍ମଚାରୀ ଓ ସ୍ଥାନୀୟ ଲୋକ ବସବାସ କରୁଛନ୍ତି। ସାରନଗରୀ କମ୍ୟୁନିଟି ସେଣ୍ଟରରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଆୟାପ୍ପା ପୂଜା ଓ ଲୋହରି ପର୍ବ ହଜି ଯାଇଛି। ସବୁଦିନ ପାଇଁ ବନ୍ଦ ହୋଇଛି ସାରନଗରୀରେ ଏହି ପ୍ରସିଦ୍ଧ ପର୍ବ। ଏପରିକି ଦେଖିବାକୁ ମିଳୁନି ବି ସେହି ସମ୍ପ୍ରଦାୟର ଲୋକଙ୍କୁ। ସାର କାରଖାନା ବନ୍ଦହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେମିତି ସବୁଦିନ ପାଇଁ ସାରନଗରୀକୁ ପାସୋରି ଯାଇଛନ୍ତି। ନାନା ସମସ୍ୟାରେ ଘାଣ୍ଟି ହେଉଥିବା ଏହି ଅଞ୍ଚଳ ବିକାଶ ଅଧାରେ ଅଟକି ଯାଇଛି। ଅବହେଳିତ ଅଞ୍ଚଳ ପ୍ରତି ଧ୍ୟାନ ଦିଆନଗଲେ ଭବିଷ୍ୟତରେ ଏହି ପୁରାତନ ସହରାଞ୍ଚଳ କେବଳ ନାଁରେ ସୀମିତି ରହିଯିବ।
୧୯୫୬ରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପ୍ରତିଷ୍ଠା ହୋଇଥିଲା। ଏହା ପରେ ପରେ ସେକ୍ଟର-୨୨ରେ ସାର କାରଖାନା ଗଢ଼ି ଉଠିଥିଲା। ୧୯୬୧ରେ ଏହା ଫର୍ଟିଲାଇଜର କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫ୍ସିଆଇ) ଅଧୀନରେ ରହିଥିଲା। ତେବେ ୧୯୬୪ରେ ସାର କାରଖାନା ଆର୍ଏସ୍ପି ଅଧୀନକୁ ଆସିଥିଲା। ସାର କାରଖାନାରେ ନାଇଟ୍ରୋଜେନ, ଫସଫରସ ଓ କ୍ୟାଲସିୟମ ଗ୍ୟାସ ଉତ୍ପାଦନ ହୋଇ ଭାରତର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିଲା। ତେବେ ସାରର ଅଭାବ, ଯାନ୍ତ୍ରିକ ତ୍ରୁଟି, ଉପଯୁକ୍ତ ରକ୍ଷଣବେକ୍ଷଣର ଅଭାବରୁ ୨୦୦୦ରେ କାରଖାନାଟି ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା। କାରଖାନା ଚାଲୁଥିବାବେଳେ କର୍ମଚାରୀଙ୍କ ରହିବା ପାଇଁ ନିର୍ମାଣ ହୋଇଥିଲା ୮୦୦ କ୍ବାର୍ଟର୍ସ। ସେତେବେଳେ ରାଉରକେଲା ସହରକୁ ଯିବା ଆସିବାକୁ ଅଟୋ, ବସ୍ ଆଦି ଚଳାଚଳ କରୁ ନଥିଲା। ଏଥିପାଇଁ ସେତେବେଳେ ୮ ଜଣ ବ୍ୟକ୍ତି ଏକତ୍ର ହୋଇ ଫର୍ଟିଲାଇଜର ଏମ୍ପୋଲୟିଜ ଟ୍ରାନ୍ସପୋର୍ଟ ସୋସାଇଟି ଗଠନ କରିଥିଲେ। ସେମାନେ ଆର୍ଏସପିକୁ ବସ ଚଳାଚଳ ପାଇଁ ନିବେଦନ କରିଥିଲେ। ଆର୍ଏସ୍ପି କର୍ତ୍ତୃପକ୍ଷ ୨ଟି ପୁରୁଣା ବସ ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ଚଳାଇଥିଲେ। କେବଳ ଏତିକି ନୁହେଁ, କମିଟିର ଉଦ୍ୟମକ୍ରମେ ସାରନଗରୀରେ ଏକ ଓଡ଼ିଆ ମିଡ଼ିୟମ ସ୍କୁଲ, ରାସ୍ତାଘାଟର ବିକାଶ, ପେଟ୍ରୋଲ ପମ୍ପ ସ୍ଥାପନ କରାଯାଇଥିଲା। ସେତେବେଳେ ସାରନଗରୀରେ ବିଭିନ୍ନ ଭାଷା ଓ ସମ୍ପ୍ରଦାୟର ଲୋକେ ବାସ କରୁଥିଲେ। ସାରନଗରୀ କମ୍ପ୍ୟୁନିଟି ସେଣ୍ଟରରେ ଆୟାପ୍ପା ପୂଜା, ଖ୍ରୀଷ୍ଟମାସ ଓ ଲୋହରି ପର୍ବ ଧୂମଧାମରେ ପାଳନ କରାଯାଉଥିଲା।
ଏବେ ନା ସେ ପର୍ବ ପାଳନ ଦେଖିବାକୁ ମିଳୁଛି, ନା ସେହି ବ୍ୟକ୍ତିମାନଙ୍କୁ। ସ୍ବତନ୍ତ୍ରତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପ୍ରୋଜେକ୍ଟର ମାଧୢମରେ ଲୋକଙ୍କ ମନୋରରଞ୍ଜନ ପାଇଁ ସିନେମା ପ୍ରଦର୍ଶିତ ହେଉଥିଲା। ସେସବୁ ଆଜି କିଛି ନାହିଁ। ୫ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ଇସ୍ପାତ ଓଡ଼ିଆ ମିଡ଼ିୟମ ସ୍କୁଲ। ସ୍କୁଲ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଇସ୍ପାତ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଏହି ସମସ୍ୟା ନେଇ ବହୁବାର ପ୍ରଶାସନ ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ କିଛି ହୋଇନାହିଁ। ସାରନଗରୀରେ ଦୁଇଟି ଇ˚ରାଜୀ ମାଧୢମ ବିଦ୍ୟାଳୟ ଚାଲୁଛି। ଗରିବ ଓ ବିପିଏଲ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏତେଟା ସୁବିଧା ମିଳୁନାହିଁ। ସାରନଗରୀରେ ସୋନା ଉଦ୍ୟାନ ଓ ପୁଷ୍ପାପାର୍କ (ଫିଟନେସ ପାର୍କ) ଅବଶ୍ୟ ଅଛି। କିନ୍ତୁ ସୋନା ଉଦ୍ୟାନ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ସରୀସୃପଙ୍କ ଅଭୟାରଣ୍ୟ ପାଲଟିଥିବା ବେଳେ ପୁଷ୍ପା ପାର୍କ ପ୍ରେମୀ ଯୁଗଳଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଚିନ୍ମୟ ମହାପାତ୍ର କହନ୍ତି, ‘‘ସାରନଗରୀ ଆଜି ପୂର୍ଣ୍ଣମାତ୍ରାରେ ଅବହେଳିତ। ସେ କାଳ ପଖାଳ ଆଉ ନାହିଁ। ଆଗରୁ ବିଭିନ୍ନ ପର୍ବ ଏବେ ଏଠି ବିରଳ। ଯଦିଓ ଅ˚ଚଳରେ କିଛି ସୁବିଧା ଉପଲବ୍ଧ ଅଛି, ତେବେ ତାହା ସମୁଦ୍ରରୁ ଶଙ୍ଖେ। ଏହି ଅ˚ଚଳର ବିକାଶ ପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି।’’ ଅନ୍ୟ ଜଣେ ନାଗରିକ ନଳିନୀକା ମିଶ୍ର କହିଛନ୍ତି, ‘‘ସାରନଗରୀକୁ ଏବେ ଜଗନ୍ନାଥ ଭରସା। ମୁଁ ଯୁବକ ଥିବା ସମୟରୁ ସାରନଗରୀ ସହ ଓତଃପ୍ରୋତଃ ଭାବେ ଜଡ଼ିତ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ କେବଳ ଏତିକି କହିବାକୁ ଚାହେଁ ଯେ, ଏହି ଅ˚ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିଲେ ସାରନଗରୀରେ ନିଶ୍ଚିତ ଭାବେ ଏକ ନୂତନ ସୂର୍ଯୋଦୟ ହେବ।’’