ଆୟୁର୍ବେଦିକ ଚିକିତ୍ସାର ଅସଲ ରୂପ: ସୁନ୍ଦରଗଡ଼ରେ ଦରମା, ବ୍ରହ୍ମପୁର ଓ ପୁରୀରେ ସେବା

ସୁନ୍ଦରଗଡ଼: ଦରମା ସୁନ୍ଦରଗଡ଼ରେ। ବ୍ରହ୍ମପୁର ଓ ପୁରୀ ପରି ବାହାର ଜିଲ୍ଲାରେ ସେବା। ଛ’ ମାସ କି ବର୍ଷେ ନୁହେଁ, ବହୁ ବର୍ଷ ଧରି ସୁନ୍ଦରଗଡ଼ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରରେ ନିଯୁକ୍ତ ଡାକ୍ତରମାନେ ଏପରି ସେବା ଦେଇ ଚାଲିଛନ୍ତି। ଏଠାରେ ନିଯୁକ୍ତି ପାଇବା ପରେ ପରେ ଡେପୁଟେସନ୍ ଆଳରେ ଯାଇ ଫେରିବାର ନାଁ ଧରୁ ନାହାନ୍ତି। ଫଳରେ ସୁନ୍ଦରଗଡ଼ରେ ଆୟୁର୍ବେଦିକ ସେବା ଏକ ପ୍ରକାର ଅଚଳ ଅବସ୍ଥାରେ ରହିଛି। ଜିଲ୍ଲାରେ ଡାକ୍ତର ଅଭାବ ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଥିବା ବେଳେ ବିଭାଗ ଏଥିପ୍ରତି ନଜର ନଦେବା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ସୁନ୍ଦରଗଡ଼ ଗ୍ରାମାଞ୍ଚଳର ଲୋକଙ୍କୁ ଆୟୁର୍ବେଦିକ ଓ ହୋମିଓପ୍ୟାଥି ଚିକିତ୍ସା ଯୋଗାଇଦେବାକୁ ୩୩ଟି ଆୟୁର୍ବେଦିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୨୪ଟି ହୋମିଓପ୍ୟାଥି କେନ୍ଦ୍ର ଖୋଲା ଯାଇଛି। ଏ ଦୁଇ ଚିକିତ୍ସା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଥିବା ବେଳେ ଆବଶ୍ୟକ ଡାକ୍ତର ଯୋଗାଇଦେବାରେ ସରକାର ତଥା ସମ୍ପୃକ୍ତ ବିଭାଗ ଉଦାସୀନ ରହିଥିବାରୁ ଜିଲ୍ଲାରେ ଏହା ପ୍ରହସନ ପାଲଟିଛି।

ବାଲିଶଙ୍କରା ବ୍ଲକରେ ୪ଟି, ବଣାଇଁଗଡ଼, ହେମଗିର, ଲେଫ୍ରିପଡ଼ାରେ ୩ଟି ଲେଖାଏ, ଗୁରୁଣ୍ଡିଆ, କୁଆରମୁଣ୍ଡା, ଲହୁଣିପଡ଼ା, ନୂଆଗାଁ, ସବଡେଗା, ଟାଙ୍ଗରପାଲି, ସୁନ୍ଦରଗଡ଼ ସଦର ବ୍ଲକ୍ରେ ୨ଟି ଲେଖାଏ ଓ ଅନ୍ୟ ବ୍ଲକରେ ଗୋଟିଏ ଲେଖାଏ ଆୟୁର୍ବେଦିକ କେନ୍ଦ୍ର ରହିଥିବା ବେଳେ ଆରମ୍ଭରୁ ୧୩ଟି କେନ୍ଦ୍ରରେ ତାଲା ଝୁଲୁଛି। ୩୩ଟି କେନ୍ଦ୍ରକୁ ୨୭ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ, କିନ୍ତୁ ସେଥିମଧ୍ୟରୁ ୫ ଜଣ ବହୁ ବର୍ଷ ହେଲା ଡେପୁଟେସନ୍ରେ। ଡ. ସୁଲୋଚନା ରଥ ୨୦୦୩ ଜୁନ ୨୭ରେ ବ୍ରହ୍ମପୁରକୁ ଡେପୁଟେସନରେ ଯାଇଥିବା ବେଳେ ଡ. ଶାନ୍ତିଲତା ସାହୁ ୨୦୦୮ ମାର୍ଚ୍ଚ ୧୦ରେ ପୁରୀକୁ, ଡ. ନବୀନ କୁମାର ବେହେରା ୨୦୧୨ ସେପ୍ଟେମ୍ବର ୧୦ରେ ବଲାଙ୍ଗୀରକୁ, ଡ. ଗୋପୀନାଥ ମିଶ୍ର ୨୦୦୪ ଅଗଷ୍ଟ ୯ରେ ଓ ଡ. ଚନ୍ଦ୍ରଶେଖର ସାମନ୍ତ ୨୦୧୯ ଡିସେମ୍ବର ୩ରେ ବଲାଙ୍ଗୀରକୁ ଡେପୁଟେସନରେ ଯାଇଛନ୍ତି। କିନ୍ତୁ ସେମାନେ ସୁନ୍ଦରଗଡ଼ ଫେରିବାକୁ ଆଉ ଚାହୁ ନଥିବା ବେଳେ ଏତେ ସମୟ ଧରି ବିଭାଗ କାହିଁକି ଡେପୁଟେସନରେ ରଖି ଗୋଟିଏ ଜିଲ୍ଲାର ସ୍ବାସ୍ଥ୍ୟ ସେବାକୁ ଉପେକ୍ଷା କରି ଚାଲିଛି, ତାକୁ ନେଇ ଉଠିଛି ପ୍ରଶ୍ନ।

ଡାକ୍ତର ଅଭାବରୁ ବର୍ଷ ବର୍ଷ ଧରି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ଏଠାରେ ଥିବା ଔଷଧ ସହ ଲକ୍ଷ ଲକ୍ଷ ଟଙ୍କାର କୋଠା ନଷ୍ଟ ହେବାକୁ ବସିଛି। ବର୍ତ୍ତମାନ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଆୟୁର୍ବେଦ ଚିକିତ୍ସାକୁ ଗୁରୁତ୍ବ ଦେଉଥିବା ଓ ଲୋକେ ମଧ୍ୟ ଏହି ଚିକିତ୍ସା ସେବା ନେବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏପରି ନାହିଁ ନାହିଁର ସ୍ଥିତି ଆୟୁର୍ବେଦିକ ସେବାକୁ ପ୍ରହସନରେ ପରିଣତ କରିଛି।

ସମ୍ବନ୍ଧିତ ଖବର