ଭୁବନେଶ୍ବର : ରାଜ୍ୟରେ କରୋନା (କୋଭିଡ୍-୧୯)ର ମୁକାବିଲା ପାଇଁ ଶେଷରେ ସ୍ବାସ୍ଥ୍ୟ ବିଭାଗ ଆୟୁଷ ଡାକ୍ତରଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟରେ ବିଭିନ୍ନ ଜିଲ୍ଲା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ମେଡିକାଲ ଅଧିକାରୀ ବା ଡିଏଏମ୍ଓ ଓ ଡିଏଚ୍ଏମ୍ଓଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରଙ୍କୁ କୋଭିଡ୍ ପାଇଁ ସ୍ବତନ୍ତ୍ର ତାଲିମ୍ ଦିଆଯିବ। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ଡିଏଏମ୍ଓ ଓ ଡିଏଚ୍ଏମ୍ଓମାନେ ୱିଙ୍ଗ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଏହାସହ ଆୟୁଷ ଡାକ୍ତରଙ୍କ ସମେତ ପିଜି ଛାତ୍ରଛାତ୍ରୀ/ସ୍ନାତକ(ଶେଷ ଓ ତୃତୀୟ ବର୍ଷ)ଙ୍କୁ ମିଶାଇ ସମୁଦାୟ ୧୬୨୦ ଜଣଙ୍କୁ କୋଭିଡ୍ ପାଇଁ ତାଲିମ୍ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟ ସମସ୍ତ ଆୟୁଷ ଡାକ୍ତରଙ୍କୁ ଜୁମ୍ ଆପ୍ ଜରିଆରେ କରୋନା ସମ୍ବନ୍ଧିତ ଅନଲାଇନ୍ ତାଲିମ୍ ପ୍ରଦାନ କରାଯିବ ବୋଲି ସଂଘର ସାଧାରଣ ସଂପାଦକ ଡା. ଚିତ୍ତରଂଜନ ବେହେରା ସୂଚନା ଦେଇଛନ୍ତି।