ଆୟୁର୍ବେଦ ଡାକ୍ତରଙ୍କୁ ଶଲ୍ୟ ଅସ୍ତ୍ରୋପଚାର ଅନୁମତି ପ୍ରସଙ୍ଗ : ଆୟୁର୍ବେଦ ଡାକ୍ତରଙ୍କ ସ୍ବାଗତ, ଏଲୋପାଥି ଡାକ୍ତରଙ୍କ ମିଶ୍ର ପ୍ରତିକ୍ରିୟା

ବ୍ରହ୍ମପୁର : ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶଲ୍ୟତନ୍ତ୍ର ଓ ଶାଲକ୍ୟତନ୍ତ୍ର ଆୟୁର୍ବେଦ ଡାକ୍ତରମାନେ ଅସ୍ତ୍ରୋପଚାର କରିପାରିବେ ବୋଲି କୁହାଯାଇଛି। ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା ରେଗୁଲେସନ୍‌, ୧୦୧୬’କୁ ମଧ୍ୟ ସଂଶୋଧନ କରାଯାଇଛି। ତେବେ ଏହି ବିଜ୍ଞପ୍ତିକୁ ନେଇ ଡାକ୍ତରମାନଙ୍କ ମଧ୍ୟରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଯାଇଛି।

ବ୍ରହ୍ମପୁର ଅଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଆସୋସିଏଟ୍‌ ‌ ପ୍ରଫେସର ଡାକ୍ତର ବିମଳ କୁମାର ପଣ୍ଡା କହିଛନ୍ତି, ସରକାରଙ୍କ ଏ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ପୂର୍ବରୁ ଆୟୁର୍ବେଦ ଡାକ୍ତରମାନେ ଅସ୍ତ୍ରୋପଚାର କରି ଆସୁଛନ୍ତି। କିନ୍ତୁ ନିଶ୍ଚେତକ ଏବଂ ଆଣ୍ଟିବାୟୋଟିକ୍‌ ସମସ୍ତେ ଦେବା ସମ୍ଭବ ନ ଥିଲା। ଯେଉଁମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ମଡ଼ର୍ଣ୍ଣ ଫାର୍ମାକୋଲୋଜି ପଢ଼ିଥିଲେ ସେମାନେ କେବଳ ଦେଇ ପାରୁଥିଲେ। କିନ୍ତୁ ଏହି ସଂଶୋଧିତ ନିୟମ ଦ୍ବାରା ଶଲ୍ୟତନ୍ତ୍ର ଓ ଶାଲକ୍ୟତନ୍ତ୍ର ଆୟୁର୍ବେଦ ବିଶେଷଜ୍ଞମାନେ ବିନା ଦ୍ବିଧାରେ ଅସ୍ତ୍ରୋପଚାର କରିପାରିବେ। ଏ ସମ୍ପର୍କରେ ଓମ୍‌ସାର ପୂର୍ବତନ ସଭାପତି ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ନିରାକାର ଭଟ୍ଟ କହିଛନ୍ତି, ଆୟୁର୍ବେଦିକ ଡାକ୍ତରମାନେ ଆୟୁର୍ବେଦ ପଦ୍ଧତିରେ ଅସ୍ତ୍ରୋପଚାର କରନ୍ତୁ ଆମର କିଛି କହିବାର ନାହିଁ। କିନ୍ତୁ ସେମାନେ ଏଲୋପାଥି ଔଷଧ ଦିଅନ୍ତୁ ନାହିଁ କି ଏଲୋପାଥିର କୌଣସି ପଦ୍ଧତିକୁ ଅବଲମ୍ବନ କରନ୍ତୁ ନାହିଁ। ଆୟୁର୍ବେଦ ବହୁ ପ୍ରାଚୀନ, ତାହାର ସ୍ବତନ୍ତ୍ରତା ରହିଛି। ତେଣୁ ସେମାନେ ଆୟୁର୍ବେଦ ପଦ୍ଧତିରେ ‌ଚିକିତ୍ସା କରନ୍ତୁ। ଆୟୁର୍ବେଦ ଡାକ୍ତରମାନେ ଏଲୋପାଥି ଔଷଧ ଲେଖି ପାରିବେ ନାହିଁ ଓ ଚିକିତ୍ସା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜ କର୍ଣ୍ଣ, ଗଳା ଓ ନାସା(ଇଏନ୍‌ଟି) ବି‌ଶେଷଜ୍ଞ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି, ସରକାରଙ୍କ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ସଂକ୍ରମଣ(ଇନ୍‌ଫେକ୍ସନ) କାରଣରୁ ଅଧିକାଂଶ ଅସ୍ତ୍ରୋପଚାର କରା ଯାଇଥାଏ। ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଣ୍ଟି ବାୟୋଟିକ୍‌ ଦିଆ ଯାଇଥାଏ। କିନ୍ତୁ ଆୟୁର୍ବେଦରେ ସେମାନେ କି ଆଣ୍ଟି ବ‌ାୟୋଟିକ୍‌ ଦେବେ ତାହା ପ୍ରଶ୍ନବାଚୀ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, ‘ଇଣ୍ଡିଆନ୍‌ ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିସିନ୍‌ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ରେଗୁଲେସନ୍‌, ୧୦୧୬’କୁ ସଂଶୋଧନ କରାଯାଇ ଯେଉଁ ପଦ୍ଧତି ସବୁ ସାମିଲ୍‌ କରାଯିବ ସେ ସବୁ ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ କ୍ରମେ ଏହି ସଂଶୋଧନ କରା ଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ସ୍ନାତକୋତ୍ତର ଶିକ୍ଷାରେ ‘ଶଲ୍ୟତନ୍ତ୍ର’ (ସାଧାରଣ ଅସ୍ତ୍ରୋପଚାର) ଏବଂ ‘ଶାଲକ୍ୟତନ୍ତ୍ର’ (କର୍ଣ୍ଣ, ନାସା, ଗଳା, ଏବଂ ଚକ୍ଷୁ ଅସ୍ତ୍ରୋପଚାର) ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି ବିଷୟରେ ବାସ୍ତବ ତାଲିମ ପାଇବେ। ସାଧାରଣ ଅସ୍ତ୍ରୋପଚାର ପଦ୍ଧତିରେ ମୃତ ଟିସ୍ୟୁ ବାହାର କରିବା, ଚର୍ମ ପ୍ରତିରୋପଣ କରିବା, ଲାପ୍ରୋଟମି (ପେଟ କାଟି ଖୋଲିବା) ଏବଂ ଅନ୍ତଃନଳୀ ଅସ୍ତ୍ରୋପଚାର ଆଦି ତାଲିମ ରହିବ। ‘ଶାଲକ୍ୟତନ୍ତ୍ର’ରେ ସେମାନେ , ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆଦି କ୍ଷେତ୍ରରେ ଉନ୍ନତ ଚକ୍ଷୁ ଅସ୍ତ୍ରୋପଚାର ଆଦି ଶିକ୍ଷା ଗ୍ରହଣ କରି ଚିକିତ୍ସା କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର