ଆୟୁର୍ବେଦିକ ହସ୍ପିଟାଲରେ ନିମ୍ନମାନର ସଂଶମନୀ ବଟୀ!

ମେସିନ୍ ବଦଳରେ ହାତରେ ତିଆରି ହୋଇଛି ବଟିକା, ରୋଗୀ ମୁହଁ ଫେରାଇଲେଣି

ଭୁବନେଶ୍ୱର : କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଥିଲା। ଏଥିରେ ଆୟୁର୍ବେଦିକ ଔଷଧ ସଂଶମନୀ ବଟି ମଧ୍ୟ ରହିଥିଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଆରମ୍ଭରୁ ଔଷଧ ପ୍ରସ୍ତୁତିରେ ଆହେତୁକ ବିଳମ୍ବ ହୋଇଥିବା ବେଳେ ଏବେ ଔଷଧର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠିଛି। ତରବରିଆ ଭାବେ ମେସିନ୍ ବଦଳରେ ହାତରେ ବଟିକା ପ୍ରସ୍ତୁତ କରାଯାଇଥିବା ଓ ଏହି ବଟିକା ରୋଗୀଙ୍କ ଖାଇବା ଉପଯୋଗୀ ହୋଇ ନ ଥିବା ଆୟୁଷ ଡିସ୍‌ପେନସାରିଗୁଡ଼ିକରୁ ଚର୍ଚ୍ଚା ହୋଇଛି। ତେଣୁ ଏଥିରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି।

ଗତ ଜୁନ୍ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶମନୀ ବଟି ପ୍ରସ୍ତୁତ କରିବା ଲାଗି ୧୮ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଥିଲା। ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଏହାକୁ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ତେବେ କରୋନା ଓ ଅନ୍ୟ କାରଣ ପାଇଁ ଏହି ଔଷଧ ପ୍ରସ୍ତୁତିରେ ଆହେତୁକ ବିଳମ୍ବ ହୋଇଥିଲା। ଏପରିକି ତୁରନ୍ତ ଔଷଧ ପ୍ରସ୍ତୁତ କରି ଏହାକୁ ଆୟୁଷ ଡିସ୍‌ପେନସାରି ଗୁଡ଼ିକୁ ବଣ୍ଟନ କରିବା ଲାଗି ଆୟୁଷ ନିର୍ଦେଶକଙ୍କୁ ତାଗିଦ୍ କରିବାକୁ ପଡ଼ିଥିଲା। ଶେଷରେ ରାଜ୍ୟର ବିଭିନ୍ନ ଡିସ୍‌ପେନସାରିଗୁଡ଼ିକୁ ଏହି ବଟିକା ଦିଆଯାଇଛି। ସରକାରୀ ଆୟୁର୍ବେଦିକ ଫାର୍ମାସିରୁ ପୁରୀ, ଖୋର୍ଧା, ନୟାଗଡ଼, ଗଜପତି, ଯାଜପୁର, କେନ୍ଦୁଝର, ଜଗତସିଂହପୁର, କଟକ, ବାଲେଶ୍ବର, ଭଦ୍ରକ, ବାରିପଦା ଓ ଢେଙ୍କାନାଳ ଜିଲ୍ଲାରୁ ଏହି ଔଷଧ ପଠାଯାଇଥିବା ଜଣାପଡ଼ିଛି। ମାତ୍ର ଏହି ନିମ୍ନମାନର ଔଷଧକୁ ନେଇ ଏବେ ପ୍ରଶ୍ନ ଉଠିବାକୁ ଆରମ୍ଭ ହୋଇଛି। ସରକାରୀ ସଂଶମନୀ ବଟୀ ଓ ଘରୋଇ କମ୍ପାନି ଦ୍ବାର ପ୍ରସ୍ତୁତ ସଂଶମନୀ ବଟୀରେ ଆକାଶ ପାତାଳ ଫରକ୍‌ ଦେଖିବାକୁ ମିଳୁଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏହି ଔଷଧକୁ ନେଇ ମୁହଁ ଫେରାଇବାକୁ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି।

ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଏହି ବଟିକା ମେସିନ୍ ଜରିଆରେ ପ୍ରସ୍ତୁତ କରିବା ଲାଗି ଆବଶ୍ୟକ ଯନ୍ତ୍ରପାତି ରହିଛି। ହେଲେ ଡିସ୍‌ପେନସାରିଗୁଡ଼ିକୁ ଯେଉଁ ଔଷଧ ଯାଇଛି ତାହା ମେସିନ୍ ବଦଳରେ କର୍ମଚାରୀଙ୍କ ଦ୍ବାରା ହାତରେ ତିଆରି ହୋଇଥିବା ଜଳ ଜଳ ହୋଇ ଦିଶୁଛି। ‌ଏହାସହ ଔଷଧ ପ୍ରସ୍ତୁତି ପରେ ଆୟୁର୍ବେଦିକ ଡ୍ରଗ୍ ଟେଷ୍ଟିଂ ପରୀକ୍ଷାଗାରରେ ଔଷଧର ନିୟମ ରହିଛି। ତେଣୁ ଔଷଧ ଆୟୁର୍ବେଦିକ ଡ୍ରଗ୍ ଟେଷ୍ଟିଂ ପରୀକ୍ଷାଗାରରେ ପରୀକ୍ଷା ସମୟରେ ଏହା କିଭଳି ଧରା ପଡ଼ିଲାନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଔଷଧ ନମୁନା ସଂଗ୍ରହ କରିଥିବା ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ନଜରକୁ ଏହା କିଭଳି ଆସିଲା ତାହା ମଧ୍ୟ ସନ୍ଦେହ ଘେରରେ। ତେଣୁ ଔଷଧ ପ୍ରସ୍ତୁତିରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ଆସିବାକୁ ଆରମ୍ଭ କଲାଣି। ତେଣୁ ଏହାର ଏକ ନିରପେକ୍ଷ ତଦନ୍ତ କରାଗଲେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ସାଧାରଣରେ ଦାବି ହୋଇଛି। ଏଭଳି ନିମ୍ନମାନର ଔଷଧ ପ୍ରସ୍ତୁତି କରାଯିବା ସତ୍ବେ ନିକଟରେ ପୁରୁଣା ଭୁବନେଶ୍ବସ୍ଥିତ ସରକାରୀ ଆୟୁର୍ବେଦିକ ଫାର୍ମାସିକୁ ୧୨ଟି ଔଷଧ ପ୍ରସ୍ତୁତ ପାଇଁ ୫୬ଲକ୍ଷ ଟଙ୍କା ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

ଏ ନେଇ ରାଜ୍ୟ ଆୟୁଷ ନିର୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, ତାଙ୍କ ନିକଟରେ ଏଭଳି ଅଭିଯୋଗ ଆସିନାହିଁ। ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ଜରିଆରେ ସଂପୃକ୍ତ ଔଷଧର ପରୀକ୍ଷା କରାଯିବ ବୋଲି ଶ୍ରୀ ମାଝୀ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର