ରାଜ୍ୟରେ ଆୟୁର୍ବେଦିକ ଔଷଧ ଯାଞ୍ଚର ବିକଳ ଚିତ୍ର : ଶହେ କମ୍ପାନି ପାଇଁ ଜଣେ ଡ୍ରଗ୍‌ସ ଇନ୍‌ସପେକ୍ଟର

ରାଜ୍ୟ ବାହାର କମ୍ପାନିର ଔଷଧର ଯାଞ୍ଚ‌ ହେଉନି, ଡିଏଏମ୍‌ଓଙ୍କୁ ଡ୍ରଗ୍‌ସ ଇନ୍‌ସପେକ୍ଟର ମାନ୍ୟତା ଦେବାକୁ ଯୋଜନା:ଆୟୁଷ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଆୟୁର୍ବେଦିକ ଔଷଧର ମାନ ଯାଞ୍ଚର ବିକଳ ଚିତ୍ର ସାମ୍ନାକୁ ଆସିଛି। ରାଜ୍ୟରେ ପ୍ରାୟ ଶହେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତକାରୀ କମ୍ପାନି ରହିଥିବା ବେଳେ ଔଷଧର ମାନ ଯାଞ୍ଚ ପାଇଁ ଜଣେ ମାତ୍ର ଡ୍ରଗ୍‌ସ ଇନ୍‌ସପେକ୍ଟର ଅଛନ୍ତି। ଏଭଳି ପରିସ୍ଥିତିରେ ଔଷଧ ପ୍ରସ୍ତୁତକାରୀ କମ୍ପାନିଙ୍କ ଔଷଧ ନମୁନା ସଂଗ୍ରହ ଓ ରାଜ୍ୟ ବାହାରୁ ଓଡ଼ିଶାକୁ ବିକ୍ରି ପାଇଁ ଆସୁଥିବା ଔଷଧର ନମୁନା ସଂଗ୍ରହ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ରାଜ୍ୟ ଆୟୁଷ ନିର୍ଦେଶାଳୟ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ଏକପ୍ରକାର ଚୁପ୍ ବସିଛି।

ରାଜ୍ୟରେ ଏବେ ୮୯ଟି ଆୟୁର୍ବେଦିକ ଔଷଧ ପ୍ରସ୍ତୁତକାରୀ କମ୍ପାନି ରହିଛନ୍ତି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସବୁ କମ୍ପାନି ରହିଛନ୍ତି। ଔଷଧ ପ୍ରସ୍ତୁତକାରୀ କମ୍ପାନି ଯେଉଁ ଔଷଧ ପ୍ରସ୍ତୁତ କରୁଛନ୍ତି, ଏହାର ଗୁଣବତ୍ତା ଯାଞ୍ଚ କରିବା ପାଇଁ ରାଜ୍ୟରେ ଜଣେ ମାତ୍ର ଆୟୁର୍ବେଦିକ ଡ୍ରଗ୍‌ସ ଇନ୍‌ସପେକ୍ଟର ରହିଛନ୍ତି। ଆୟୁର୍ବେଦ ଔଷଧ ଉପରେ ଭରସା କରୁଥିବା ଲକ୍ଷାଧିକ ଲୋକଙ୍କ ଜୀବନ ତାଙ୍କ ହାତରେ ରହିଛି। କେବଳ ରାଜ୍ୟର ଔଷଧ ପ୍ରସ୍ତୁତକାରୀ କମ୍ପାନି ନୁହନ୍ତି, ରାଜ୍ୟ ବାହାରୁ ମଧ୍ୟ ବହୁ ନାମୀଦାମୀ କମ୍ପାନିଙ୍କ ଔଷଧ ରାଜ୍ୟରେ ବିକ୍ରି ହେଉଛି। ଏସବୁ କମ୍ପାନିଙ୍କ ଔଷଧର ଗୁଣବତ୍ତା ଦାୟିତ୍ବ ମଧ୍ୟ ଜଣେ ଡ୍ରଗ୍‌ସ ଇନ୍‌ସପେକ୍ଟରଙ୍କ ହାତରେ ଛାଡ଼ି ଦେଇଛି ଆୟୁଷ ନିର୍ଦେଶାଳୟ। ସେମାନଙ୍କ ଔଷଧର ମାନ କେବେ ପରୀକ୍ଷା କରାଯାଉନାହିଁ। ନାମୀ କମ୍ପାନି ହୋଇଥିବାରୁ ସେମାନେ ନିଜ ନିଜର ପରୀକ୍ଷାଗାରରେ ପ୍ରସ୍ତୁତ ଔଷଧକୁ ପରୀକ୍ଷା କରୁଥିବା କୁହାଯାଉଛି। ରାଜ୍ୟ ଆୟୁଷ ବିଭାଗ କାହିଁକି ଏ କ୍ଷେତ୍ରରେ ଚୁପ୍ ବସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଜ୍ୟରେ ଆୟୁର୍ବେଦିକ ଔଷଧର ଯାଞ୍ଚ ପାଇଁ ୩ଟି ଡ୍ରଗ୍‌ସ ଇନ୍‌ସପେକ୍ଟର ପଦ ରହିଛି। ମାତ୍ର ଜଣକୁ ବାଦ୍ ଦେଲେ ଅନ୍ୟ ଦୁଇଟି ପଦ ଖାଲି ପଡ଼ିଛି। କେବଳ ଡ୍ରଗ୍‌ସ ଇନ୍‌ସପେକ୍ଟର ନୁହଁନ୍ତି, ଏହାସହ ଉପ-ଡ୍ରଗ୍‌ସ କଣ୍ଟ୍ରୋଲର ଓ ସହକାରୀ-ଡ୍ରଗ୍‌ସ କଣ୍ଟ୍ରୋଲର ପଦ ମଧ୍ୟ ଖାଲି ପଡ଼ିଛି। ରାଜ୍ୟରେ ଏଲୋପ୍ୟାଥିକ ଔଷଧର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଜିଲ୍ଲାସ୍ତରରେ ଡ୍ରଗ୍‌ସ ଇନ୍‌ସପେକ୍ଟର ରହିଛନ୍ତି। ନିମ୍ନମାନର ଔଷଧ ବିକ୍ରି କରୁଥିବା କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମାତ୍ର ଆୟୁର୍ବେଦିକ ଔଷଧ କ୍ଷେତ୍ରରେ ସବୁ ଔଷଧ କମ୍ପାନିଗୁଡ଼ିକର ନମୁନା ସଂଗ୍ରହ କରିବା ସମ୍ଭବ ହେଉନାହିଁ। ଏହାସହ ରାଜ୍ୟରେ ଅନେକ ସ୍ଥାନରେ କ୍ବାକ୍‌ ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଏପରିକି ସେମାନେ ନିଜ ହାତରେ ଔଷଧ ପ୍ରସ୍ତୁତ କରି ରୋଗୀମାନଙ୍କୁ ଦେଉଛନ୍ତି। ମାତ୍ର ସେମାନଙ୍କ ଦ୍ବାରା ପ୍ରସ୍ତୁତ ଔଷଧର ମାନ କ’ଣ ତାହାକୁ ଯାଞ୍ଚ କରାଯାଉନାହିଁ। ଯେଉଁ ଔଷଧ କମ୍ପାନିମାନେ ନିଜ ଔଷଧର ଗୁଣବତ୍ତାର ଖିଲାପ କରୁଛନ୍ତି, ସେମାନଙ୍କ ଉପରେ କେଉଁ ପ୍ରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ବିଭାଗର ଅଧିକାରୀ କହିପାରୁ ନାହାନ୍ତି। ବର୍ଷକୁ ପ୍ରାୟ ୫୦/୬୦ ଔଷଧ ନମୁନା ସଂଗ୍ରହ ହେଉଥିବା ବେଳେ ପରୀକ୍ଷାଗାରରେ ମାନବ ସମ୍ବଳର ଅଭାବ ଏ ଦିଗରେ ବାଧକ ସାଜୁଛି।

ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ବିନୀ ମିଶ୍ର କହିଛନ୍ତି, ରାଜ୍ୟରେ ଖାଲି ପଡ଼ିଥିବା ଆୟୁର୍ବେଦିକ ଡ୍ରଗ୍‌ସ ଇନ୍‌ସପେକ୍ଟର ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ନିକଟରେ ହୋଇଥିବା ଏକ ସମୀକ୍ଷା ବୈଠକରେ ରାଜ୍ୟରେ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓଙ୍କୁ ଡ୍ରଗ୍‌ସ ଇନ୍‌ସପେକ୍ଟର ମାନ୍ୟତା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି। ରାଜ୍ୟରେ ଏବେ ୧୩ ଡିଏଏମ୍‌ଓ ରହିଥିବା ବେଳେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ରାଜ୍ୟରେ ଆୟୁର୍ବେଦିକ ଡ୍ରଗ୍‌ସ ଇନ୍‌ସପେକ୍ଟର ପଦ ସମସ୍ୟ‌ାର ସମାଧାନ ହୋଇପାରିବ। ପଞ୍ଜାବ ସରକାର ଏଭଳି ଢଙ୍ଗରେ ଡିଏଏମ୍‌ଓଙ୍କୁ ଇନ୍‌ସପେକ୍ଟର ମାନ୍ୟତା ପ୍ରଦାନ କରିଛନ୍ତି। ଏହି ମାନ୍ୟତା ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ନିଯୁକ୍ତି ପ୍ରକ୍ରିୟା କ’ଣ ରହିବ, ତାହା ଉପରେ ଆଲୋଚନା ହେବ। ଏଥିପାଇଁ ଏକ ସର୍ଭିସ୍ କୋଡ଼ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଫଳରେ ତୃଣମୂଳସ୍ତରରେ ଔଷଧର ଗୁଣବତ୍ତା ଯାଞ୍ଚ ସହଜ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର