ଆୟୁର୍ବେଦିକ ଔଷଧ ପରୀକ୍ଷାଗାରରେ ଅବ୍ୟବସ୍ଥା

ଆରମ୍ଭରୁ ଆଦାୟ ହୋଇନି ଔଷଧ ପରୀକ୍ଷା ବାବଦ ଅର୍ଥ

ଭୁବନେଶ୍ୱର : ରାଜ୍ୟର ଏକମାତ୍ର ଆୟୁର୍ବେଦ ଔଷଧ ପରୀକ୍ଷାଗାର ଆରମ୍ଭରୁ ଅବ୍ୟବସ୍ଥାରେ ଚାଲିଛି। ପରୀକ୍ଷାଗାରରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ରହିଥିଲେ ହେଁ ଏହାକୁ ଚଳାଇବାକୁ କୌଣସି ଟେକ୍‌ନିକାଲ କର୍ମଚାରୀ ନିଯୁକ୍ତ ହୋଇ ନାହାନ୍ତି। କେବଳ କର୍ମଚାରୀଙ୍କ ଅଭାବ ନୁହେଁ ପରୀକ୍ଷାଗାର ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା କୌଣସି ଔଷଧ ବାବଦ ଟଙ୍କା ଆଦାୟ କରାଯାଇ ନାହିଁ। ଏଭଳି ଅବ୍ୟବସ୍ଥା ଏଜିଙ୍କ ନଜରରେ ପଡ଼ିଛି। ଉଭୟ ସରକାରୀ ଓ ବେସରକାରୀ କମ୍ପାନିର ଔଷଧ ପରୀକ୍ଷାଗାରରେ ପରୀକ୍ଷା ହୋଇଥିଲେ ହେଁ ଅର୍ଥ ଆଦାୟ ନ ହେବାକୁ ନେଇ ଏଜି ବିରକ୍ତି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୭ ମସିହାରୁ ଆୟୁର୍ବେଦିକ ଔଷଧ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ଆୟୁଷ ନିର୍ଦେଶାଳୟ ଅଧୀନରେ ଏହା କାର୍ଯ୍ୟ କରୁଛି। ୨୦୧୪/୧୫ ଓ ୨୦୧୬/୧୭ରେ ୩୧୦ଟି ଔଷଧ ପରୀକ୍ଷାଗାରକୁ ଆସିଛି। ତହିଁରୁ ୨୪୮ଟି ନମୁନା ପରୀକ୍ଷା କରାଯାଇଛି। ଏଥିରେ ଡ୍ରଗ୍‌ ଇନ୍ସପେକ୍ଟର ସଂଗ୍ରହ କରିଥିବା ଔଷଧ ନମୁନା ଓ ସରକାରୀ ଆୟୁର୍ବେଦିକ ଫାର୍ମାସି, ବେସରକାର ସଂସ୍ଥା ଏବଂ ବ୍ୟକ୍ତିଗତ ସ୍ତରରେ ପରୀକ୍ଷା ପାଇଁ ଆଣିଥିବା ଔଷଧର ପରୀକ୍ଷା ହୋଇଛି। ୩୬ଟି ବେସରକାରୀ କମ୍ପାନି ଓ ୧୦୭ଟି ନନ୍‌ ଷ୍ଟାଚ୍ୟୁଟାରି ଔଷଧ ପରୀକ୍ଷା କରାଯାଇଛି।

ତେବେ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ଯେତେ ସଂଖ୍ୟକ ଔଷଧ ନମୁନା ପରୀକ୍ଷା ହୋଇଛି ତାହାର ଅର୍ଥ ଆଦାୟ କରାଯାଇନାହିଁ। ସରକାରୀ ଯନ୍ତ୍ରପାତି, କର୍ମଚାରୀ ଓ ରସାୟନିକ ପଦାର୍ଥର ବ୍ୟବହାର କରାଯାଇ ପରୀକ୍ଷା ହୋଇଥିବା ବେଳେ କାହିଁକି ଏଥିପାଇଁ ଉଦ୍ଦିଷ୍ଟ ଅର୍ଥ ଆଦାୟ କରାଯାଇ ନାହିଁ ବୋଲି ଏଜି ପ୍ରଶ୍ନ କରିଛନ୍ତି। ଏଥିରେ ଡ୍ରଗ୍‌ସ ଏଣ୍ଡ କସମେଟିକ୍ସ ନିୟମ ୧୯୪୫ର ଉଲ୍ଲଂଘନ ହୋଇଛି। ଯାହାଫଳରେ ରାଜ୍ୟ ସରକାରଙ୍କୁ ଔଷଧ ପରୀକ୍ଷା ବାବଦ ଅର୍ଥ ହରାଇବାକୁ ପଡ଼ିଛି। ଏହି ଅର୍ଥ ଆଦାୟ କରାଯାଇଥିଲେ ପରୀକ୍ଷାଗାରର ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଦିଗରେ ଏହାକୁ ଖର୍ଚ କରାଯାଇ ପାରିଥାନ୍ତା ବୋଲି ଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ପରବର୍ତୀ ସମୟରେ ପରୀକ୍ଷାଗାର କର୍ତୃପକ୍ଷ ଏଠାରେ ପରୀକ୍ଷା ହେଉଥିବା ଔଷଧର ଅର୍ଥ ଆଦାୟ ଦିଗରେ ଯତ୍ନବାନ ହେବା ସହ ଆୟୁଷ ନିର୍ଦେଶାଳୟ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର