ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା : ବିଭୁ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହେବା‌ ପରେ ଜାମିନରେ ମୁକୁଳିଥିବା ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦବିରୁ ନିଲମ୍ବିତ କରାଯାଇଥିଲା। ଜଣେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କ ଏଭଳି ଅଶୋଭନୀୟ ଓ ଅମାନବୀୟ କର୍ମକୁ ସରକାର ବରଦାସ୍ତ ନକରି ତୁରନ୍ତ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଆୟୁଷ ନିର୍ଦ୍ଦେଶାଳୟରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ବିଭୁ ପ୍ରସାଦଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେ ମହିଳା ଥାନାରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୪ ଦିନ ଝାରପଡ଼ା ଜେଲ୍‌ର ବିଚାର ବିଭାଗୀୟ ହାଜତରେ ରହିବା ପରେ ୧୩ ତାରିଖ ଦିନ ତାଙ୍କୁ ଜାମିନ ମିଳିଥିଲା। ବିଚାର ବିଭାଗୀୟ ହାଜତରେ ରହିବା ଭିତରେ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। କିନ୍ତୁ ସେ ଅନେକ ଦିନ ପର୍ଯ୍ୟନ୍ତ ନିଲମ୍ବନ ଆଦେଶକୁ ଗ୍ରହଣ କରିନଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟି ଶ୍ରୀ ଷଡଙ୍ଗୀଙ୍କୁ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ ଦେଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିବା ଜଣାପଡ଼ିଛି। ତେବେ ଘଟଣାର ୩୪ ଦିନ ପରେ ଆଜି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଅନ୍ୟ ପକ୍ଷରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହି ଆସୁଛନ୍ତି ଓ ଫୋନ୍‌ ବାର୍ତ୍ତାଳାପର କଣ୍ଠ ସ୍ବର ଅଭିଯୋଗକାରିଣୀଙ୍କର ନୁହେଁ ବୋଲି ଅଭିଯୋଗ କରି ସେ ପାଲଟା ଏତଲା ଦେଇଥିଲେ। ଅଡିଓ କ୍ଲିପ୍‌ ଲ୍ୟାବ୍‌କୁ ପଠାଯାଇ ପ୍ରମାଣ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ।

ସମ୍ବନ୍ଧିତ ଖବର