ଏବେ ଜେଲ୍ ସଙ୍ଗରୋଧ ୱାର୍ଡରେ ଆୟୁଷ ନିର୍ଦ୍ଦେଶକ
କୁତ୍ରାରେ ଦାମଙ୍କ ବିରୋଧରେ ରିପୋର୍ଟ ଦେଇଥିଲେ
ସୁରଙ୍କ ବିରୋଧରେ ଯିବାରୁ ସ୍ବାଧିକାର କମିଟି ଘେରିଥିଲା
ମାଜିଷ୍ଟ୍ରେଟ୍ କ୍ଷମତା ନ ଦେବା ଲାଗି କମିଟି କରିଥିଲା ସୁପାରିସ
ଭୁବନେଶ୍ୱର : ବହୁଚର୍ଚ୍ଚିତ ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଝାରପଡ଼ା ଜେଲ୍ର ସଙ୍ଗରୋଧ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ୧୪ ଦିନ କାଟିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତର ସାଧାରଣ ୱାର୍ଡକୁ ପଠାଇ ଦିଆଯିବ। ଗତକାଲି ରାତିରେ ମାନ୍ୟବର ଏସ୍ଡିଜେଏମ୍ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନିଆଯାଇଥିଲା। କିନ୍ତୁ ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜେଲ୍ ହସ୍ପିଟାଲ ଶଯ୍ୟାରେ ରଖାଯାଇଥିଲା। ଆଜି ଡାକ୍ତର ସୁସ୍ଥ ବୋଲି ସୂଚନା ଦେବା ପରେ ତାଙ୍କୁ ସଙ୍ଗରୋଧ ୱାର୍ଡକୁ ନିଆଯାଇଛି।
ଅଭିଯୋଗ ଅନୁସାରେ ଜାତୀୟ ଆୟୁଷ ମିସନ୍ରେ ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ଜଣେ ଯୁବତୀଙ୍କୁ ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ଅଶ୍ଳୀଳ ମେସେଜ୍ ପଠାଇବା ସହ ବାଥ୍ରୁମରୁ ନିଜର ନଗ୍ନ ଭିଡିଓ ପଠାଉଥିଲେ। ଏମିତିକି ବାଥ୍ରୁମ୍ରୁ ନଗ୍ନ ଭିଡିଓ ପଠାଇବାକୁ ସେ ଯୁବତୀଙ୍କୁ କହୁଥିଲେ। ଖୋଦ୍ ନିର୍ଦ୍ଦେଶକଙ୍କ ଏଭଳି ଆଚରଣରେ ପୀଡ଼ିତା ବ୍ୟଥିତ ହୋଇ ପଡ଼ିଥିଲେ ହେଁ ଚାକିରି ଭୟରେ ନିରବ ରହିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ପରେ ସେ ଅତିଷ୍ଠ ହୋଇପଡ଼ିଥିଲେ। ତେଣୁ ଗତ ୬ ତାରିଖରେ ସେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସରେ ମାମଲା ପହଞ୍ଚିବା ପରେ ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଚାପ ସୃଷ୍ଟି କରାଯାଇଥିଲା। ତେବେ ଏହି ସଂଗିନ୍ ଅଭିଯୋଗରୁ ମୁକୁଳିବା ପାଇଁ ସେ ପୀଡ଼ିତାଙ୍କ ନିଯୁକ୍ତି ଜାଲ୍ ବୋଲି ଦର୍ଶାଇ ସେ ଭିଜିଲାନ୍ସ ମାମଲା ଚାଲ୍ ଖେଳିଥିଲେ। କିନ୍ତୁ ତାହା କାମ ଦେଇନଥିଲା। ତେଣୁ ସେ ବାଧ୍ୟ ହୋଇ ୮ ତାରିଖ ଦିନ ମହିଳା ଥାନାରେ ହାଜର ହୋଇଥିଲେ ଓ ପୁଲିସ ତାଙ୍କୁ ଗିରଫ କରିଥିଲା।