ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା : ଜେଲ୍‌ ଗଲେ ଆୟୁଷ ନିର୍ଦ୍ଦେଶକ

୧୩ ମିନିଟ୍‌ ପୂର୍ବରୁ ମହିଳା ଥାନାରେ ହାଜର ହେଲେ

ଭୁବନେଶ୍ବର : ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ। କମିସନରେଟ୍‌ ପୁଲିସର ନୋଟିସ୍‌ ଅବଧି ଶେଷ ହେବାର ଠିକ୍‌ ୧୩ ମିନିଟ୍‌ ପୂର୍ବରୁ ସେ ଆଜି ମହିଳା ଥାନାରେ ହାଜର ହୋଇଥିଲେ। ପୁଲିସ୍‌ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଆଇପିସି ଦଫା ୩୫୪(ଡି), ୨୯୪, ୫୦୬, ୫୦୭, ୫୦୯ରେ ମାମଲା ରୁଜୁ କରି ଅପରାହ୍‌ଣରେ କୋର୍ଟଚାଲାଣ କରିଥିଲା। ଜାମିନ୍‌ ନ ମିଳିବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଯାଇଛି। ସଂପୃକ୍ତ ଯୁବତୀଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇବା ସହ ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖି ନିଜକୁ ବଞ୍ଚାଇବା ପାଇଁ ଶ୍ରୀ ଷଡ଼ଙ୍ଗୀ କରିଥିବା ସମସ୍ତ ଯୋଜନା ବିଫଳ ହୋଇଛି।

ସୂଚନାଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ନିଜ କ୍ଷମତାର ଅପବ୍ୟବହାର କରି ଜାତୀୟ ଆୟୁଷ ମିସନ୍‌ର ଜଣେ ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା।

ଯୁବତୀଜଣଙ୍କ ସମସ୍ତ ତଥ୍ୟ ପ୍ରମାଣ ସହ ଏ ସଂପର୍କ‌ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଖବର ପାଇ ଅଭିଯୁକ୍ତ ଶ୍ରୀ ଷଡ଼ଙ୍ଗୀ ଫେରାର୍‌ ହୋଇଯାଇଥିଲେ। ପୁଲିସ ନ’ ତାଲାରେ ଥିବା ଆୟୁଷ ମିସନ୍‌ ଅଫିସ୍‌, ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ତାଙ୍କ ଘରେ ଚଢ଼ଉ କରିଥିଲେ ହେଁ ନିରାଶ ହୋଇ ଫେରିଥିଲା। ଶେଷରେ ପୁଲିସ ଆୟୁଷ ମିସନ ସହ ତାଙ୍କ ଘରକୁ ନୋଟିସ୍‌ ପଠାଇଥିଲା। କମିସନରେଟ୍‌ ପୁଲିସ ସମ୍ମୁଖରେ ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବାକୁ ସେଥି‌ରେ ନିର୍ଦ୍ଦେଶ ରହିଥିଲା। ନଚେତ୍‌ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ଯୋଜନା କରିଥିଲା ପୁଲିସ। ତେବେ ଏହି ନୋଟିସ୍‌ ଅବଧି ଶେଷ ହେବାର ୧୩ ମିନିଟ୍‌ ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ସେଠାରେ ସାଢ଼େ ୪ ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଛି।

ଅଭିଯୁକ୍ତ ଥାନାରେ ପହଞ୍ଚିବା ପରେ ଅଭିଯୋଗକାରିଣୀଙ୍କୁ ମଧ୍ୟ ଥାନାକୁ ଡକାଯାଇଥିଲା। ସେ ପ୍ରାୟ ଏକ ଘଣ୍ଟା ଥାନ‌ାରେ ରହିବା ପରେ ବାହାରି ଯାଇଥିଲେ। ଅଭିଯୋଗକାରିଣୀ କାହିଁକି ଥାନାକୁ ଆସିଲେ? ରଫାଦଫା ପାଇଁ ଯୋଜନା ଚାଲିଥିଲା କି? ଏଭଳି ଅନେକ ପ୍ରଶ୍ନ ପ୍ରସଙ୍ଗକୁ ରହସ୍ୟମୟ କରିଛି। ଏ ନେଇ ଅଭିଯୋଗକାରିଣୀ ମଧ୍ୟ କିଛି କହିବା ପାଇଁ ଚାହିନାହାନ୍ତି।

ଅଭିଯୋଗ ହୋଇଥିଲା ଯେ ଜାତୀୟ ଆୟୁଷ ମିସନ୍‌ରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ଏହି ଯୁବତୀଙ୍କୁ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ ଅଶ୍ଳୀଳ ମେସେଜ୍‌ ଓ ନିଜର ଉଲଗ୍ନ ଭିଡିଓ ପଠାଉଥିଲେ। ଏପରିକି ତାଙ୍କୁ ବାଥ୍‌ରୁମ୍‌ରୁ ଭିଡିଓ କଲ୍‌ କରିବାକୁ ମଧ୍ୟ କହୁଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀଜଣଙ୍କ ଗତ ୬ ତାରିଖ ଦିନ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ସୂଚନା ପାଇ ଶ୍ରୀ ଷଡ଼ଙ୍ଗୀ ଫେରାର୍‌ ହୋଇଯିବା ସହ ଯୁବତୀଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇବା ସହ ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଥିଲେ। କିନ୍ତୁ ତାହା ଏବେ ବିଫଳ ହୋଇଛି।

ଅନ୍ୟପଟେ ଗିରଫ ଅଧିକାରୀଙ୍କୁ ସରକାର ନିଲମ୍ବିତ କରିନାହାନ୍ତି। ରାତି ସୁଦ୍ଧା ନିଷ୍ପତ୍ତି ନିଆଯାଇ ନାହିଁ। ତାଙ୍କୁ ବଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀମାନେ ଉଦ୍ୟମ ଚଳାଇଥିବା ଚର୍ଚ୍ଚା ହେଉଛି। ଠିକା କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିବା ପୂର୍ବରୁ ନିୟମ ମୁତାବକ ବିଭାଗୀୟ ହାରାସ୍‌ମେଣ୍ଟ କମିଟିରେ ଅଭିଯୋଗ କରିବା କଥା। ତା’ପରେ ପୁଲିସକୁ ଅଭିଯୋଗ ନେବା କଥା। ପୁଲିସ ମଧ୍ୟ ଏହି ପ୍ରକ୍ରିୟା ପୂର୍ଣ୍ଣ ହୋଇଛି କି ନାହିଁ ଅନୁଧ୍ୟାନ କରିବା କଥା। ଏହା ସବୁ ହୋଇଛି କି ନାହିଁ; ତାହା ଉପରେ ଅଧିକାରୀମାନେ ତନାଘନା ଚଳାଇଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ଏ ସବୁ ଯାଞ୍ଚ କରିସାରିବା ପରେ ସରକାରଙ୍କୁ ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି। ତେବେ କମିସନରେଟ୍‌ ପୁଲିସ ପକ୍ଷରୁ ଅଧିକାରୀଙ୍କ ଗିରଫଦାରି ନେଇ ସରକାରଙ୍କୁ ବିଧିବଦ୍ଧ ଭାବରେ ଅବଗତ କରାଇଛି।

ସମ୍ବନ୍ଧିତ ଖବର