ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆୟୁଷ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗୁରୁବାର ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି।

ପ୍ରଥମେ ଆୟୁଷ ନିର୍ଦ୍ଦେଶାଳୟରେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଅସ୍ବୀକାର କରି ବିଭୁପ୍ରସାଦ ଷଡ଼ଙ୍ଗୀ ପାଲଟା ଅଭିଯୋଗ ମଧ୍ୟ କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଅଧିକାରୀଙ୍କୁ କମିସନରେଟ୍‌ ପୁଲିସ ହାଜର ହେବା ଲାଗି ନୋଟିସ୍‌ କରିଥିଲା। ହେଲେ ସେ ହାଜର ହେଉ ନ ଥିଲେ। ଆଜି ଅଭିଯୁକ୍ତ ଅଧିକାରୀ ବିଭୁ ପ୍ରସ‌ାଦ ଷଢ଼ଙ୍ଗୀ ହାଜର  ହେବା ପରେ ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରି ନେଇଛି। ତାଙ୍କୁ ଧାରା ୩୫୪ ଏବଂ ଆଇଟି ଆକ୍ଟ ବଳରେ ଗିରଫ କରା ଯାଇଛି I

ଅପରପକ୍ଷରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହି ମହିଳା ଥାନାରେ ଏକ ଏତଲା ଦେଇଥିଲେ।  ମହିଳା କର୍ମଚାରୀ ଜଣକ ଯୌନ ନିର୍ଯାତନାର ପ୍ରମାଣ ସ୍ବରୂପ ତାଙ୍କ ସହ ଅଭିଯୁକ୍ତଙ୍କ ବାର୍ତ୍ତାଳାପର ଯେଉଁ କଲ୍‌ ରେକର୍ଡ ଧରି ଅଭିଯୋଗକାରିଣୀ ବୁଲୁଛନ୍ତି ତାହା ତାଙ୍କର କଣ୍ଠସ୍ୱର ନୁହେଁ ଏବଂ ଯେଉଁ ନମ୍ବରରୁ ଅଶ୍ଳୀଳ ଫୋନ୍‌ ଓ ମେସେଜ ସବୁ ଆସିଛି ବୋଲି ଅଭିଯୋଗ ଉଠିଛି ତାହା ମଧ୍ୟ ତାଙ୍କର ନୁହେଁ  ବୋଲି ଅଭିଯୁକ୍ତ ଅଧିକାରୀ ଯୁକ୍ତି ରଖିଥିଲେ।  କଣ୍ଠସ୍ୱର କାହାର ତାହା ଲ୍ୟାବ୍‌କୁ ପଠାଯାଇ ପ୍ରମାଣ କରାଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ ଦର୍ଶାଇଥିଲେ।

ଏପଟେ ଅଭିଯୋଗକାରିଣୀ ମଧ୍ୟ ଏହାର ଉପଯୁକ୍ତ ତଦନ୍ତ ଦାବି କରିଥିଲେ। ଅଡିଓ ଲ୍ୟାବ୍‌କୁ ପଠାଯାଇ ପ୍ରମାଣିତ କରାଯାଉ ବୋଲି ସେ କହିଥିଲେ। ଯେଉଁ ନମ୍ବରରୁ ଏହି ସବୁ ଅଶ୍ଳୀଳ ମେସେଜ୍‌ ଆସିଛି ତାହାର ମଧ୍ୟ ଉପଯୁକ୍ତ ତଦନ୍ତ ହେଉ ବୋଲି ଅଭିଯୋଗକାରିଣୀ କହିଥିଲେ।

ସମ୍ବନ୍ଧିତ ଖବର