କୋଭିଡ୍‌ ଡ୍ୟୁଟିରେ ଗଲେ,ଏବେ ଓପିଡି ସମ୍ଭାଳୁଛନ୍ତି ଆୟୁଷ ଡାକ୍ତର

ଖତ ଖାଉଛି ୮ କୋଟିର ଆୟୁଷ ଔଷଧ, ଓପିଡିରେ ଡ୍ୟୁଟି କରିବାକୁ ନେଇ ସଂଘର ବିରୋଧ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିଲେ ଆୟୁଷ ଡାକ୍ତର। କୋଭିଡ୍‌ କେୟାରଠାରୁ ଆରମ୍ଭ କରି ରାପିଡ୍ ରେସପନ୍ସ ଟିମ୍, ଟୋଲ ଫ୍ରି ନମ୍ବରରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା। ରାଜ୍ୟବ୍ୟାପୀ ପ୍ରାୟ ୧୧ଶହ ଡାକ୍ତର ଏଥିରେ ନିୟୋଜିତ ହୋଇଥିଲେ। ମାତ୍ର ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ଏପରିକି କେତେକ ଜିଲ୍ଲାରେ ହାତଗଣତି ରୋଗୀ ଚିହ୍ନଟ ହେଉଛନ୍ତି। ଏପରିସ୍ଥଳେ ଆୟୁଷ ଡାକ୍ତରମାନଙ୍କୁ କୋଭିଡ୍‌ ଡ୍ୟୁଟିରୁ ରିଲିଭ୍ କରି ନିଜ ନିଜ ହସ୍ପିଟାଲକୁ ଫେରାଇ ନେବା ଲାଗି ଦାବି ହୋଇଛି। ମାତ୍ର ଜିଲ୍ଲାସ୍ତରରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ସେସବୁ ଜିଲ୍ଲାରେ ସିଡିଏମ୍‌ଓମାନେ ଆୟୁଷ ଡାକ୍ତରମାନଙ୍କୁ ରିଲିଭ୍ କରିବା ବଦଳରେ ପିଏଚ୍‌ସି ଓ ସିଏଚ୍‌ସିର ଓପିଡି ଡ୍ୟୁଟି ଦେଉଥିବା ନଜରକୁ ଆସିଛି। ଏଥିରେ ଅଣ ସଂକ୍ରମିତ ରୋଗ ବା ଏନ୍‌ସିଡି, ଜେରିଆଟିକ୍ ଓ ଟିସିସିରେ ନିୟୋଜିତ କରାଯାଇଛି। ଗୋଟିଏ ପଟେ ଆୟୁଷ ଡାକ୍ତରମାନଙ୍କୁ ଏଲୋପ୍ୟାଥିକ ଔଷଧ ଲେଖିବାର ଅନୁମତି ନ ଥିବା ବେଳେ କିଭଳି ଆୟୁଷ ଡାକ୍ତରମାନଙ୍କୁ ଓପିଡି କାର୍ଯ୍ୟରେ ନିୟୋଜିତ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ମାର୍ଚ ୧୫ତାରିଖରେ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କ ହୋଇ ପଡ଼ିଥିଲେ। ଏପ୍ରିଲ ୪ତାରିଖରେ ରାଜ୍ୟରେ କ‌ାର୍ଯ୍ୟରତ ୧୧ଶହ ଆୟୁଷ ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା। ସେବେଠାରୁ କ୍ରମାଗତ ଭାବେ ଆୟୁଷ ଡାକ୍ତରମାନେ ଡ୍ୟୁଟି କରି ଆସୁଛନ୍ତି। ତେବେ ରାଜ୍ୟରେ ଏବେ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି। ହେଲେ ଆୟୁଷ ଡାକ୍ତରମାନେ ପୂର୍ବଭଳି କୋଭିଡ୍‌ ଡ୍ୟୁଟିରେ ଅଛନ୍ତି। ଯେଉଁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି ସେସବୁ ଜିଲ୍ଲାର ସିଡିଏମ୍‌ଓମାନେ ଆୟୁଷ ଡାକ୍ତରମାନଙ୍କୁ ସେମାନଙ୍କର ଏଲୋପ୍ୟାଥିକ ଓପିଡିରେ ନିୟୋଜିତ କରିଛନ୍ତି। ଫଳରେ ବାଧ୍ୟହୋଇ ଆୟୁଷ ଡାକ୍ତରମାନେ ସେଠାରେ ଡ୍ୟୁଟି କରୁଛନ୍ତି। ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଆୟୁଷ ଡାକ୍ତରମାନଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯିବା ପରେ ଆୟୁଷ ଡିସ୍‌ପେନସାରିଗୁଡ଼ିକରେ ତାଲା ଝୁଲିଥିଲା। ରାଜ୍ୟରେ ୬୨୦ ଆୟୁର୍ବେଦିକ ଓ ୫୧୯ ହୋମିଓପ୍ୟାଥିକ ଡିସ୍‌ପେନସାରି ରହିଛି। କିଛିମାସ ତଳେ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ପ୍ରାୟ ୮ କୋଟି ଟଙ୍କାର ଔଷଧ କିଣା ଯାଇଥିଲା। ଏସବୁ ଔଷଧଗୁଡ଼ିକୁ କିଛିମାସ ତଳେ ଡିସ୍‌ପେନସାରିଗୁଡ଼ିକୁ ପଠାଯାଇଛି। ମାତ୍ର ଡାକ୍ତର ନ ଥିବାରୁ ଔଷଧ ରୋଗୀମାନେ ପାଇ ପାରୁ ନାହାନ୍ତି। ଏପରିକି ଆୟୁଷ ଔଷଧ ଗୁଡ଼ିକର ବ୍ୟବହାର କରିବାର ଅବଧି ମଧ୍ୟ ଧୀରେ ଧୀରେ ଶେଷ ହେବାକୁ ବସିଲାଣି। ଯଦି ରୋଗୀମାନେ ଠିକ୍ ସମୟରେ ଔଷଧ ନ ପାଇବେ ତାହାଲେ କାହା ସ୍ବାର୍ଥ ସାଧନ ପାଇଁ କୋଟି କୋଟି ଟଙ୍କାର ଔଷଧ କିଣା ଯାଇଥିଲା ବୋଲି ପ୍ରଶ୍ନ ଉଠିଛି।

ଅପରପକ୍ଷରେ ଆୟୁଷ ଡାକ୍ତରମାନଙ୍କୁ ପିଏଚ୍‌ସି/ସିଏଚ୍‌ସିର ଓପିଡିରେ ଡ୍ୟୁଟି ଦିଆଯିବାକୁ ନେଇ ରାଜ୍ୟ ଆୟୁର୍ବେଦିକ ଚିକିତ୍ସକ ସଂଘ ତୀବ୍ର ବିରୋଧ କରିଛି। ଗୋଟିଏ ପଟେ ଆୟୁଷ ଡାକ୍ତରଙ୍କୁ ଏଲୋପ୍ୟାଥିକ ଔଷଧ ଲେଖିବା ନେଇ ଅନୁମତି ନ ଥିବା ବେଳେ କେଉଁ ପରିସ୍ଥିତିରେ ସେମାନଙ୍କୁ ଓପିଡିରେ ଡ୍ୟୁଟି ଦିଆଯାଉଛି। ଯଦି ଆୟୁଷ ଡାକ୍ତର ଲେଖିଥିବା ଔଷଧ ଖାଇ ରୋଗୀଙ୍କ କୌଣସି ପ୍ରକାର ସମସ୍ୟା ହୁଏ ତା’ହେଲେ ଏଥିପାଇଁ କିଏ ଦାୟୀ ରହିବ? ତେଣୁ ରାଜ୍ୟ ସରକାର ଆୟୁଷ ଡାକ୍ତରମାନଙ୍କୁ ଏଲୋପ୍ୟାଥିକ ଔଷଧ ଲେଖିବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଏଲୋପ୍ୟାଥିକ ଡାକ୍ତରଙ୍କ କ୍ୟାଡର ସହିତ ଆୟୁଷ ଡାକ୍ତରଙ୍କୁ କ୍ୟାଡରକୁ ସମାନ କରିବା ଲାଗି ସଂଘ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ଆୟୁଷ ନିର୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, ଯେଉଁ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଛି ସେସବୁ ଜିଲ୍ଲାର ସିଡିଏମ୍‌ଓ ଆୟୁଷ ଡାକ୍ତରମାନଙ୍କୁ ସେମାନଙ୍କ ଡାକ୍ତରଖାନାକୁ ରିଲିଭ୍ କରିବା କଥା। ମାତ୍ର ସେମାନେ ଏହା କରୁ ନାହାନ୍ତି। କିଛି ଡାକ୍ତର ନିକଟରେ ତାଙ୍କୁ ଓପିଡି ଡ୍ୟୁଟି ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର