ବଲାଙ୍ଗୀର ଜିଲ୍ଲାରେ କରୋନା ସମୟରେ ଠିକାଭିତ୍ତିକ ଆୟୁଷ ଡାକ୍ତର ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆରଆଇ ଅମିନ ନିଯୁକ୍ତି କେଳେଙ୍କାରୀ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ କରୋନା ପାଇଁ ସ୍ୱତନ୍ତ୍ର ପଦବୀ ସବୁ ବାହାରୁଛି । ହେଲେ ଏଥିରେ ବି ସରକାରୀ ଅଧିକାରୀମାନେ କେଳେଙ୍କାରୀ ଚଲାଇଛନ୍ତି । ରେସିଡେନସିଆଲ ପ୍ରୁଫ୍ ଆକାରରେ ବିଦ୍ୟୁତ ବିଲ ଦେଇଥିବା ଜଣେ ପ୍ରାର୍ଥୀଙ୍କୁ ଅନୁକମ୍ପା ଦେଖାଇ ସ୍ୱାସ୍ଥ୍ୟ ବିଭାଗ ଚାକିରି ଦେଇଛି ବୋଲି ଅଭିଯୋଗ ହୋଇଛି । ଏପରିକି ଉକ୍ତ ପ୍ରାର୍ଥୀଙ୍କ ଘର ପ୍ରକୃତରେ ବଲାଙ୍ଗୀର ନା ଆଉ କେଉଁ ଜିଲ୍ଲାରେ ତାହା ବି ସ୍ପଷ୍ଟ ହେଉନି । ଜିଲ୍ଲାପାଳଙ୍କ ନିକଟକୁ ଏବେ ଅଭିଯୋଗ ପହଞ୍ôଚବା ପରେ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ, ଗତ ୨ ତାରିଖ ଡାଇରେକ୍ଟର ଅଫ ଆୟୁଷ ପକ୍ଷରୁ ଓଡିଶାର ୩୦ଟି ଜିଲ୍ଲା ପାଇଁ ଠିକା ଭିତ୍ତିରେ ଆୟୁଷ ଡାକ୍ତର (ଆୟୁର୍ବେଦ ଓ ହୋମିଓପାଥି) ପଦବୀ ବାହାରିଥିଲା । କୋଭିଡ କେୟାର ୟୁନିଟ ପାଇଁ ଡାକ୍ତର ପଦବୀ ବାହାରିବା ପରେ ଇଚ୍ଛୁକ ପ୍ରାର୍ଥିମାନେ ଆବେଦନ କରିଥିଲେ । ସାରା ରାଜ୍ୟରେ ୧୩୦ ଆୟୁର୍ବେଦ ଓ ୧୩୭ ହୋମିଓପାଥି ଡାକ୍ତର ପଦବୀ ଥିଲା । ବଲାଙ୍ଗୀର ଜିଲ୍ଲା ପାଇଁ ମୋଟ ୯ ଆୟୁର୍ବେଦ ଓ ୪ଟି ହୋମିଓପାଥି ପଦବୀ ଥିଲା । ଏଥିପାଇଁ ପ୍ରାର୍ଥିମାନେ ଆବେଦନ କରିବା ପରେ ମେରିଟ ତାଲିକା ବାହାରିଥିଲା । ହୋମିଓପାଥିରେ ଯେଉଁମାନେ ମେରିଟରେ ଥିଲେ ସେମାନଙ୍କ ଭିତରୁ ଜଣେ ପ୍ରାର୍ଥୀ ଦୁଇଟି ଜିଲ୍ଲାରେ ଆବେଦନ କରିଥିଲେ । ସେ ଗୋଟିଏ ଜିଲ୍ଲାରେ ମେରିଟକୁ ଆସି ନ ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଏକ ବିଦ୍ୟୁତ ବିଲ ଦେଇ ଅଣ୍ଡରଟେକିଂ ଲେଖି ଚାକିରି ହାତେଇଛନ୍ତି । ଉକ୍ତ ପ୍ରାର୍ଥୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବି ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଉଭୟ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ପାଇଁ ଉକ୍ତ ପ୍ରାର୍ଥୀ ଆବେଦନ କରିଥିଲେ । ସେହି ପ୍ରାର୍ଥୀ ଜଣକ ବଲାଙ୍ଗୀରରେ ଏକ ବିଦ୍ୟୁତ ବିଲ ଦେଇ ରେସିଡେନସିଆଲ ପ୍ରମାଣ ଆକାରରେ ସୋ କରିଥିବା ବଲାଙ୍ଗୀର ସିଡିଏମଓ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ସେହିପରି ବଲାଙ୍ଗୀରରେ ଚାକିରି ପାଇଥିବା ସେହି ପ୍ରାର୍ଥୀ ସୋନପୁର ଜିଲ୍ଲା ପାଇଁ ଆବେଦନ କରି ସେ ସୋନପୁର ଜିଲ୍ଲା ତରଭା ବାସିନ୍ଦା ରେସିଡେଣ୍ଟ ପ୍ରମାଣପତ୍ର ଆବେଦନଫର୍ମରେ ଦେଇଛନ୍ତି ବୋଲି ସୋନପୁର ସ୍ୱାସ୍ଥ୍ୟବିଭାଗ ଏନଏଚଏମ ଡିପିଏମ ସୂଚନା ଦେଇଛନ୍ତି ।

ଏଭଳି ସ୍ଥଳରେ ସେହି ପ୍ରାର୍ଥୀଙ୍କୁ ବଲାଙ୍ଗୀରରେ ଅଧିକ ଅନୁକମ୍ପା ଦେଖାଇ ବିଦ୍ୟୁତ ବିଲକୁ ଦେଖି ଚାକିରି ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଜଣେ ପ୍ରାର୍ଥୀ ବଲାଙ୍ଗୀର ଓ ସୋନପୁର ଉଭୟ ଜିଲ୍ଲାର ବାସିନ୍ଦା କେମିତି ହେବ? ଅନ୍ୟପଟେ ପ୍ରାର୍ଥୀମାନେ କରିଥିବା ଆବେଦନ ଫର୍ମରେ ରେସିଡେନସିଆଲ ପ୍ରମାଣପତ୍ର ସଂଲଗ୍ନ କରିବାକୁ ଉଦ୍ଦିଷ୍ଟ ରହିଛି । ହେଲେ ବିଦ୍ୟୁତ ବିଲ୍ ଏଠାରେ କେମିତି ଭାବରେ କାମ କଲା? ଏ ନେଇ ବଲାଙ୍ଗୀର ଏନଏଚଏମ ଡିପିଏମ ମୃତ୍ୟୁଞ୍ଜୟ ମୁଣ୍ଡଙ୍କୁ ପଚରାଯିବାରୁ ସେ ଚିହିଁକି ଉଠିଥିଲେ । ବିଜ୍ଞାପନରେ ରେସିଡେନସିଆଲ ପ୍ରୁଫ୍ ମାଗିଥିଲା ଓ ସେହି ଆଧାରରେ ବିଦ୍ୟୁତ ବିଲ ଦେବାରୁ ସେ ନିଯୁକ୍ତି ପାଇଥିବା କହିଥିଲେ । ବଲାଙ୍ଗୀର ସିଡିଏମଓ ଡ.ନାରାୟଣ ଥନାପତି ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଠିକ ରହିଛି ବୋଲି କହି କଥାକୁ ଆଡ଼େଇ ଯାଇଥିଲେ । ଏ ନେଇ ଜଣେ ଆଶାୟୀ ପ୍ରାର୍ଥୀ ଡ.ପ୍ରଣବ ମିଶ୍ର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ କଣ ରହିଛି ଅନୁସନ୍ଧାନ କରାଯିବ ଓ ଆଗାମି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କୋଭିଡ-୧୯ ପାଇଁ ବିଭିନ୍ନ ପଦବୀରେ ଠିକା ଭିତ୍ତିରେ ନିଯୁକ୍ତି ବାହାରୁଛି । ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଲାବ୍ରୋଟାରି ଟେକନିସିଆନ ସହ ଅନ୍ୟ ପଦବୀ ସବୁରେ ନିଯୁକ୍ତି ଦିଆଯାଉଛି । ଏଥିରେ ମେରିଟ ଲିଷ୍ଟ ଆସୁଥିଲେ ବି ସେମାନଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ନଚେତ ବହୁ ଜଣଙ୍କ ନାଁ ତାଲିକାରୁ ବି ବାଦ ଦିଆଯାଉଛି । ମେରିଟ ତାଲିକାରେ ଆସି ବି ପିସି ଦେବା ଭୟରେ ବହୁ ପ୍ରାର୍ଥୀ ନିଜ କାର୍ଯ୍ୟରେ ଯୋଗଦେଉନଥିବା କୁହାଯାଉଛି । କୋଭିଡ-୧୯ ପାଇଁ ଏଯାଏଁ ଯାହା ସବୁ ନିଯୁକ୍ତି ହୋଇଛି ତାହାର ଖୋଳତାଡ଼ କଲେ ସବୁ କେଳେଙ୍କାରୀ ପଦାକୁ ଆସିବ, ଏଥିରେ ସନ୍ଦେହ ନାହିଁ ।

 

ସମ୍ବନ୍ଧିତ ଖବର