କରୋନା ମୁକାବିଲାରେ ଆୟୁଷ ଡାକ୍ତରଙ୍କ ନିୟୋଜନକୁ ବିରୋଧ, ହାଇକୋର୍ଟରେ ମାମଲା, ସରକାରଙ୍କୁ ନୋଟିସ୍‌

କଟକ : ରାଜ୍ୟରେ କରୋନା (କୋଭିଡ-୧୯)ର ମୁକାବିଲା ପାଇଁ ଆ‌ୟୁଷ ଡାକ୍ତରଙ୍କୁ ନିୟୋଜିତ କରାଯିବା ନିଷ୍ପତ୍ତି ବିରୋଧରେ ଦାୟର ଜନସ୍ବାର୍ଥ ମାମଲା‌ର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଓ ଆୟୁଷ ନି‌ର୍ଦ୍ଦେଶାଳୟକୁ ନି‌ର୍ଦ୍ଦେଶ ଦିଆଯାଇଛି। ଜୁନ୍ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟ ସରକାର ଆୟୁର୍ବେଦ ଓ ହୋମିଓପାଥିକ୍ ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ନିୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୬୨୦ ଆୟୁର୍ବେଦିକ ଓ ୫୯୦ ହୋମିଓପାଥିକ ଡିସପେନସରି ଥିବାବେଳେ ଏଥିରେ କାର୍ଯ୍ୟରତ ୧୨୧୦ ଜଣ ଆୟୁଷ ଡାକ୍ତର କରୋନା ମୁକାବିଲା କାମରେ ସାମିଲ ହୋଇଥିଲେ। ଏହି ଡାକ୍ତରମାନଙ୍କୁ କୋଭିଡ ହସ୍ପିଟାଲ ଠାରୁ ଆରମ୍ଭ କରି ଆଇସୋଲେସନ୍ ୱାର୍ଡ, ସଙ୍ଗରୋଧ ଗୃହ, ରାପିଡ୍ ରେସପନ୍ସ ଟିମରେ ସାମିଲ କରାଯାଇଥିଲା। ଏହିସବୁ କ୍ଷେତ୍ରରେ ଆୟୁଷ ଡାକ୍ତରଙ୍କ ନିୟୋଜନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆ‌ୟୁର୍ବେଦିକ ଓ ହୋମିଓପାଥିକ ଡିସପେନସରିର ଓପିଡ଼ି ଓ ବହିର୍ବିଭାଗ ବନ୍ଦ ହୋଇଯାଇଥିଲା। ଫଳରେ ଗ୍ରାମାଞ୍ଚଳର ସାଧାରଣ ରୋଗୀ ଅଧିକ ସମସ୍ୟାରେ ପଡିଥିଲେ। ଓପିଡି ଖୋଲିବା ପାଇଁ କିଛି ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଅନ୍ୟପକ୍ଷରେ, କିଛି ମାସ ତଳେ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ୮ କୋଟି ଟଙ୍କାର ଔଷଧ କିଣାଯାଇଥିଲା। ‌ଆୟୁଷ ଡାକ୍ତର କେତେଦିନ ପର୍ଯ୍ୟନ୍ତ କରୋନା ମୁକାବିଲା ଡ୍ୟୁଟିରେ ନିୟୋଜିତ ରହିବେ ତାହା କହିବା କଷ୍ଟକର ଥିବାବେଳେ ଏହି ସବୁ ଔଷଧ ଲୋକଙ୍କ କାମରେ ନ ଆସି ପଡ଼ିରହିଛି। ଏଭଳି ପରିସ୍ଥିତିରେ ନିର୍ଦ୍ଦିଷ୍ଟ ଭାବେ ଆୟୁଷ ଡିସପେନସରିର ଡାକ୍ତରଙ୍କୁ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜନ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ତୁରନ୍ତ ସାଧାରଣ ରୋଗୀଙ୍କୁ ଚିକିତ୍ସା ପ୍ରଦାନ ପାଇଁ ଆୟୁଷ ଡିସପେନସରି ‌ଗୁଡିକରେ ଆବଶ୍ୟକ ଡାକ୍ତରଙ୍କ ବ୍ୟବସ୍ଥା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟ ଦାଖଲ ଆବେଦନ ସହିତ ‘ସମ୍ବାଦ’ ୧୬ ତାରିଖ ସଂସ୍କରଣରେ ପ୍ରକାଶିତ ଏ ସଂପର୍କିତ ଖବରର ନକଲକୁ ଦାଖଲ କରାଯାଇଛି।

ଆବେଦନକାରୀ ପ୍ରମୋଦ କୁମାର ଲେଙ୍କା, ବନବିହାରୀ ମୁଦୁଲି, ଅଭିମନ୍ୟୁ ବାରିକ ଓ ରମାକାନ୍ତ ସାହୁଙ୍କ ପକ୍ଷରୁ ଆଇନଜୀବୀ ସଂଜୀବ କୁମାର ଖଣ୍ଡାୟତରାୟ ଓ ହେମନ୍ତ କୁମାର ରାଟସିଂ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର