ଏଯାଏ ମିଳିନି କୋଭିଡ ଡ୍ୟୁଟି ପ୍ରୋତ୍ସାହନ ରାଶି, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଆୟୁଷ ଡାକ୍ତର

ବାଲେଶ୍ୱର : କରୋନା ସଂକ୍ରମଣର ପ୍ରଥମ ଲହର ସମୟ‌େର ବାଲେଶ୍ବରର ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟର ଏବଂ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନଙ୍କୁ ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିପାରିନାହିଁ। ସୋମବାର ଏହି ଦାବି ନେଇ ବାଲେଶ୍ବର ଆରବିଏସ୍‌କେ ଡାକ୍ତର ଆସୋସିଏସନ୍‌ ପକ୍ଷରୁ ଆୟୁଷ ଡାକ୍ତରଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ଜଣାଇ ଥିଲେ।

ସୂଚନାଥାଉକି, ଜିଲ୍ଲାରେ ବର୍ତ୍ତମାନ ୪୧ ଜଣ ଆୟୁଷ ଡାକ୍ତର ରହିଛନ୍ତି। ଯେଉଁମାନେ ୨୦୨୦ ମସିହା ମାର୍ଚ୍ଚ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବାଲେଶ୍ୱର ମେଡିକାଲ କଲେଜ ଏବଂ ହସ୍ପିଟାଲ ଦ୍ୱାରା ପରିଚାଳିତ ବିଭିନ୍ନ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ୍‌ ହସ୍ପିଟାଲରେ କୋଭିଡ୍‌ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଏଥିପାଇଁ ଦିନକୁ ଜଣେ ଆୟୁଷ ଡାକ୍ତରଙ୍କୁ ୭୫୦ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ଆୟୁଷ ଡାକ୍ତରମାନଙ୍କୁ ଏହି ଟଙ୍କା ମିଳିସାରିଥିବା ବେଳେ ବାଲେଶ୍ୱର ଜିଲ୍ଲାର ଆୟୁଷ ଡାକ୍ତରମାନଙ୍କୁ କାହିଁକି ଟଙ୍କା ମିଳିନାହିଁ ସେମାନେ ଅ‌ସନ୍ତୋଷ ପ୍ରକାଶ କରିଛନ୍ତି। ଏ ବାବଦରେ ସେମାନେ ମେଡିକାଲ କଲେଜର ସୁପରିନ୍‌ଟେଣ୍ଡେଣ୍ଟ୍‌ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ବି କିଛି ସୁଫଳ ମିଳୁନାହିଁ। ଏନେଇ ଆୟୁଷ ଡାକ୍ତରଙ୍କ ତରଫରୁ ସଂଘର ସଭାପତି ଡାକ୍ତର ରତିକାନ୍ତ ବେହେରା, ସୁବାଶିଷ ସ, ଡାକ୍ତର ସମ୍ବିତ ବାରିକ, ଡାକ୍ତର ଅଳକା ଦାସ, ଡାକ୍ତର ବିଭୂପଦ ସାହୁ, ଡାକ୍ତର ଦୁର୍ଗାମାଧବ ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ଭେଟି ସେମାନଙ୍କ ଦାବି ଜଣାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର