ଭୁବନେଶ୍ବର : ଆସନ୍ତା ୭ ତାରିଖରୁ ଆୟୁଷ ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କରିବେ। ସେମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସରକାର ଏପର୍ଯ୍ୟନ୍ତ ସୁଦ୍ଧା ପଦକ୍ଷେପ ଗ୍ରହଣ ନଥିବାରୁ ପ୍ରତିବାଦସ୍ବରୂପ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଓଡ଼ିଶାର ପ୍ରତ୍ୟେକ ପିଏଚ୍ସି ଓ ସିଏଚ୍ସିରେ ୨୦୦୭ ମସିହାରୁ ଏନଏଚ୍ଏମ୍ ଜରିଆରେ ୧୪୮୫ ଜଣ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ଅଧିକାଂଶ ଡାକ୍ତରଖାନାରେ ଏହି ଆୟୁଷ ଡାକ୍ତରମାନେ ଦୀର୍ଘ ୧୩ ବର୍ଷ ଧରି ରୋଗୀ ସେବା କରିବା ସହ ସରକାରଙ୍କର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାରେ ତଦାରଖ କରି ଆସୁଛନ୍ତି। ଏହାସହିତ ଜରୁରୀ ସେବା ଯୋଗାଇ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରୋଗୀ ସେବା କରୁଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନା କାର୍ଯ୍ୟରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନଙ୍କ ମଧ୍ୟରୁ ଗଂଜାମ ଓ ଅନ୍ୟ ଜିଲ୍ଲାରେ କେତେକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ନିକଟରେ ବାରମ୍ବାର ସ୍ଥାୟୀ ଚାକିରି ପାଇଁ ଦାବି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ନିର୍ଦ୍ଦେଶ ଅନୁସାରେ ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓପିଏଚ୍ସି ପରୀକ୍ଷା ବଦଳି ସରଳ ଉପାୟରେ ୱାନ୍ ଟାଇମ୍ ମେଜରରେ ସ୍ଥାୟୀ ନିଯୁକ୍ତି ଦେବାକୁ ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥ ବିଭାଗର ଏହା ଅନୁ ମୋଦନ ପାଇନାହିଁ। ତେଣୁ ଆସନ୍ତା ୭ ତାରିଖରୁ ଆୟୁଷ ଡାକ୍ତରମାନେ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ନିଜେ ଏଥିରେ ହସ୍ତକ୍ଷେପ କରି ଆୟୁଷ ଡାକ୍ତରମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଂଘର ସଭାପତି ଡା. ଜ୍ୟୋତିରଂଜନ ଗାହାଣ ଏକ ପ୍ରେସ ବିବୃତିରେ ନିବେଦନ କରିଛନ୍ତି। ଏହା ପରେ ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ଆଗାମୀ ଦିନରେ କରୋନା କାର୍ଯ୍ୟରେ ଅସହଯୋଗ କରାଯିବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/doctor-ndtv.jpg)