ଭୁବନେଶ୍ବର: ରାଜ୍ୟରେ ଆୟୁଷ ଚିକିତ୍ସା ନେଇ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ଡାକ୍ତରଖାନା ଗୁଡ଼ିକରେ ମାଗଣା ‘ନିଦାନ’ ବ୍ୟବସ୍ଥା ଲାଗୁ ହୋଇଛି। ଏହାସହ ଡାକ୍ତରଖାନାରେ ଆଦାୟ କରାଯାଉଥିବା ୟୁଜର ଫି’କୁ ମଧ୍ୟ ଛାଡ଼ କରି ଦିଆଯାଇଛି। ଯାହାଫଳରେ ରୋଗୀମାନଙ୍କୁ ନିଜର ଡାଏଗ୍ନୋଷ୍ଟିକ୍ ପରୀକ୍ଷା ପାଇଁ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ରାଜ୍ୟରେ ଥିବା ଆୟୁଷ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ‘ନିଦାନ’ ବ୍ୟବସ୍ଥା ଲାଗୁ କରିବା ପାଇଁ ବହୁଦିନରୁ ଦାବି ହୋଇଆସୁଥିଲା। ଏଲୋପ୍ୟାଥିକ ଡାକ୍ତରଖାନା ଭଳି ଆୟୁଷରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ସରକାରୀସ୍ତରରେ ଆଲୋଚନା ଚାଲିଥିଲା। ଆଜି ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ଏକ ଏସ୍ଓପି ଜାରି ହୋଇଛି। ଆୟୁଷ ଡାକ୍ତରଖାନାରେ ଏଣିକି ୪୦ ପ୍ରକାରର ପାଥୋଲୋଜି ପରୀକ୍ଷା ଉପଲବ୍ଧ ହେବ। ଆଉଟସୋର୍ସିଂ ଏଜେନ୍ସି ଜରିଆରେ ୨୨ପ୍ରକାରର ପରୀକ୍ଷା ଡାକ୍ତରଖାନାରେ ହିଁ କରାଯିବ। ଏଥିପାଇଁ ଜଣେ ଲାବୋରେଟାରି ଟେକ୍ନସିଆନ୍(ଏଲ୍ଟି) ଓ ଜଣେ ପାଥୋଲୋଜିଷ୍ଟ ନିୟୋଜିତ ହେବେ। ଏହାବାଦ୍ ଏକ୍ସ-ରେ ଓ ଆଲ୍ଟ୍ରାସାଉଣ୍ଡକୁ ମିଶାଇ ବଳକା ୧୮ ପ୍ରକାରର ପରୀକ୍ଷାକୁ ମଧ୍ୟ ଆଉଟସୋର୍ସିଂ ଏଜେନ୍ସି ଜରିଆରେ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଜେନ୍ସି ଆୟୁଷ ୟୁନିଟ୍ରୁ ନମୁନା ସଂଗ୍ରହ କରି ଚୁକ୍ତି ମୁତାବକ ଆବଶ୍ୟକ ସେବା ପ୍ରଦାନ କରିବ।
ଜାରି ହେଲା ଏସ୍ଓପି, ହେବ ୪୦ ପ୍ରକାର ପରୀକ୍ଷା
କ୍ୟାବିନ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ୟୁଜର ଫି’ ଛାଡ଼
ଗଠନ ହେବ ଆୟୁଷ ରୋଗୀ କଲ୍ୟାଣ ସମିତି
ଆୟୁଷ ନିର୍ଦ୍ଦେଶକ ଟେଣ୍ଡର ଜରିଆରେ ଏଜେନ୍ସି ନିଯୁକ୍ତ କରିବେ। ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ଏନ୍ଏଚ୍ଏମ୍ ଜରିଆରେ ନିୟୋଜିତ ହୋଇଥିବା ମାନବ ସମ୍ବଳକୁ ବ୍ୟବହାର କରିବା ଲାଗି କୁହାଯାଇଛି। ତେବେ ଆୟୁଷ ଡାକ୍ତରଖାନାରୁ ରେଫର ହୋଇଥିବା ରୋଗୀଙ୍କୁ ହିଁ ଏହି ସେବା ମିଳିବ। ନମୁନା ପରୀକ୍ଷାଗୁଡ଼ିକ ଯେପରି ଠିକ୍ ସମୟରେ ଓ ସହଜରେ ଉପଲବ୍ଧ ହୋଇପାରିବ ସେ ବ୍ୟବସ୍ଥା କରାଯିବ। ଏନ୍କ୍ବାସ୍ ଓ ଅନ୍ୟ ବ୍ୟବସ୍ଥାରେ ଯେଉଁ ନିର୍ଦ୍ଦେଶନାମା ରହିଛି ସେହି ଅନୁସାରେ ଡାଏଗ୍ନୋଷ୍ଟିକ୍ କରିବା ଉପରେ ଜୋର ଦିଆଯିବ। ସେହିପରି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁସାରେ ଡାକ୍ତରଖାନାରେ ଆୟୁଷ ରୋଗୀ କଲ୍ୟାଣ ସମିତି(ଆର୍କେଏସ୍) ଗଠନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ଡାକ୍ତରଖାନାରେ ଉପଲବ୍ଧ ସେବାର ଗୁଣବତ୍ତା କିଭଳି ବଢ଼ିପାରିବ ତାହାକୁ ଆରକେଏସ୍ ଜରିଆରେ ସୁନିଶ୍ଚିତ କରାଯାଇପାରିବ।
ଅପରପକ୍ଷରେ ଆୟୁଷ ୟୁନିଟ୍ ଗୁଡ଼ିକରେ ଆସନ୍ତା ସେପ୍ଟେମ୍ବରରୁ ୟୁଜର ଫି’କୁ ଛାଡ଼ କରାଯାଇଛି। କ୍ୟାବିନ୍ ବ୍ୟତୀତ ଅନ୍ୟ କୌଣସି ସେବା ପାଇଁ ରୋଗୀଙ୍କୁ ଆଉ ଅର୍ଥ ଦେବାକୁ ପଡ଼ିବ ନାହିଁ। ୟୁଜର ଫି’ ବାବଦରେ ହେଉଥିବା କ୍ଷତିକୁ ଭରଣା କରିବା ଲାଗି ରାଜ୍ୟ ସରକାର ରୋଗୀ ପିଛା ଓପିଡି ବାବଦରେ ୭ଟଙ୍କା ଓ ଆଇପିଡି ବାବଦରେ ୩୫ ଟଙ୍କା ଲେଖାଏଁ ପ୍ରଦାନ କରିବେ। ଏହି ଅର୍ଥ ଡାକ୍ତରଖାନାର ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର ହୋଇପାରିବ। ତେବେ ଏହି ଅର୍ଥ ଠିକା କିମ୍ବା ଦିନିକିଆରେ ନିୟୋଜିତ ହେଉଥିବା ମାନବ ସମ୍ବଳ, ଯାନବାହନ କ୍ରୟ, ପ୍ରମୁଖ ନିର୍ମାଣ କାମ ଓ ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର ହୋଇପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି।