ରାଜ୍ୟରେ ଆୟୁଷ ଔଷଧ କିଣାକୁ ନେଇ ଛକାପଞ୍ଝା, ୨୭ ସୁଦ୍ଧା ଅନୁମୋଦନ ନ ମିଳିଲେ ବାତିଲ ହେବ ଔଷଧ କିଣା

ଭୁବନେଶ୍ବର : ରାଜ୍ୟରେ ଆୟୁଷ ଔଷଧ କିଣାକୁ ନେଇ ପୁଣିଥରେ ଛକାପଞ୍ଝା ଆରମ୍ଭ ‌ହୋଇଛି। ପ୍ରାୟ ୮ କୋଟି ଟଙ୍କାର ଆୟୁଷ ଔଷଧ କିଣିବା ପାଇଁ ଡିଏଲ୍‌ପିସି ବା ନି‌ର୍ଦ୍ଦେଶକସ୍ତରୀୟ କ୍ରୟ କମିଟିରେ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ଏ ପର୍ଯ୍ୟନ୍ତ ସରକାରୀ ଅନୁମୋଦନ ମିଳି ପାରିନାହିଁ। ଯଦି ଆସନ୍ତା ୨୭ ତାରିଖ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଏହାକୁ ଅନୁମୋଦନ ନ ଦିଏ, ତେବେ ଏହି ଟଙ୍କା ଔଷଧ କିଣା‌ରେ ଖର୍ଚ୍ଚ ହୋଇପାରିବ ନାହିଁ। ଫଳରେ ଆୟୁଷ ଡିସ୍‌ପେନସାରିଗୁଡ଼ିକୁ ଆୟୁଷ ଔଷଧ ଯୋଗାଣ ବାଧ୍ୟାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ରାଜ୍ୟରେ ଥିବା ଆୟୁଷ ଡିସ୍‌ପେନସାରିଗୁଡ଼ିକରେ ଆୟୁଷ ଔଷଧ ଦୀର୍ଘ ବର୍ଷ ହେବ ଉପଲବ୍ଧ ହେଉନାହିଁ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଇଥିଲେ ହେଁ ନିର୍ଦ୍ଦେଶାଳୟସ୍ତରରେ ଉଦାସୀନତା ଯୋଗୁଁ ଔଷଧ କିଣା ସମ୍ଭବ ହୋଇପାରୁ ନ ଥିଲା। ୨୦୧୪ ମସିହାରୁ ଔଷଧ କିଣା ବାବଦରେ ପ୍ରାୟ ୩୨ କୋଟି ଟଙ୍କା ଆୟୁଷ ନିର୍ଦ୍ଦେଶାଳୟରେ ପଡ଼ି ରହିଛି। ନିକଟରେ ତହିଁରୁ ୭ କୋଟି ୫୬ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ୩୨ପ୍ରକାରର ଆୟୁର୍ବେଦିକ ଔଷଧ ନିର୍ଦ୍ଦେଶାଳୟ ପକ୍ଷରୁ କିଣାଯାଇଛି। ମାତ୍ର ଦୀର୍ଘ ମାସ ଧରି ନି‌ର୍ଦ୍ଦେଶକ ପଦ ଖାଲି ପଡ଼ିଥିବାରୁ ଔଷଧ କିଭଳି ଢଙ୍ଗରେ ଜିଲ୍ଲାସ୍ତରରେ ପହଞ୍ଚିବ, ତାହାକୁ ନେଇ ନିର୍ଦ୍ଦେଶାଳୟରେ ଛକାପଞ୍ଝା ଲାଗି ରହିଛି। ଏପରିକି କମ୍ପାନିମାନେ ଯୋଗାଇଥିବା ଔଷଧର ଏ ପର୍ଯ୍ୟନ୍ତ ପରୀକ୍ଷା ହୋଇନାହିଁ। ଗତକାଲି ଜାତୀୟ ଆୟୁଷ ମିସନ୍‌ ବା ନାମ୍‌ର ସମୀକ୍ଷା ବୈଠକରେ ଏହି ଔଷଧର ନମୁନା ତୁରନ୍ତ ପରୀକ୍ଷା କରିବା ପାଇଁ ଆୟୁର୍ବେଦିକ ପରୀକ୍ଷାଗାରକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୭ଦିନ ଭିତରେ ଏହାର ପରୀକ୍ଷା ରିପୋର୍ଟ ଆସିବା ପରେ ଔଷଧ ବିତରଣ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ତେବେ ଏତିକି ପରିମାଣର ଔଷଧ ଯଥେଷ୍ଟ ହୋଇ ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅର୍ଥରୁ ମଧ୍ୟ ଆୟୁଷ ଔଷଧ କିଣିବା ପାଇଁ ଡିଏଲ୍‌ପିସି ପକ୍ଷରୁ ନିଷ୍ପତ୍ତି ହୋଇଛି। ଡିଏଲ୍‌ପିସିରେ ନିର୍ଦ୍ଦେଶକ, ଉପ-ସଚିବ, ଆକାଉଣ୍ଟ ଅଫିସର୍ସ ଓ ଅନ୍ୟମାନେ ରହିଛନ୍ତି। ପ୍ରାୟ ୧୦ ଦିନ ତଳେ ଡିଏଲ୍‌ପିସି ବୈଠକରେ ଏହାକୁ ମଞ୍ଜୁରି ମିଳିଥିବା ବେଳେ ସରକାରଙ୍କ ଅନୁମୋଦନ ପାଇଁ ପଠାଇ ଦିଆଯାଇଛି। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଏହାକୁ ଅନୁମୋଦନ ମିଳିନାହିଁ। ଫଳରେ ଔଷଧ କିଣିବା ପାଇଁ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ଏବେ ୬୨୦ ଆୟୁର୍ବେଦିକ ଡିସ୍‌ପେନସାରି, ୫ ହସ୍ପିଟାଲ ଓ ୩ଟି ମେଡିକାଲ କଲେଜ ରହିଛି। ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁର୍ବେଦିକର ୫୦ ପ୍ରକାରର ଔଷଧ ଉପଲବ୍ଧ ହେବା କଥା। ମାତ୍ର ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉନାହିଁ। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ସ୍ବାସ୍ଥ୍ୟ ବିଭାଗରେ ଫାଇଲ ଅଟକି ରହିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଯଦି ଧାର୍ଯ୍ୟ ତାରିଖ ଭିତରେ ଅନୁମୋଦନ ନ ମିଳେ, ଔଷଧ କିଣା ପୁଣିଥରେ ବିଳମ୍ବ ହେବ ବୋଲି ନି‌ର୍ଦ୍ଦେଶାଳୟର ଅଧିକାରୀମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ସମ୍ବନ୍ଧିତ ଖବର