ଭୁବନେଶ୍ବର : ଗତ ୫ବର୍ଷ ହେବ ରାଜ୍ୟରେ ଆୟୁଷ ଡିସ୍ପେନସାରିରେ ଔଷଧ ମିଳୁନି। ସରକାର ଏ ବିଷୟରେ ଅବଗତ ଅଛନ୍ତି। ହେଲେ ଅଧିକାରୀଙ୍କ ମନମୁଖି କାମ ପାଇଁ ଡିସ୍ପେନସାରିଗୁଡ଼ିକୁ ଔଷଧ ଯୋଗାଣ ହୋଇପାରୁନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ଅର୍ଥରେ ଔଷଧ କିଣା ନ ଯିବା ପଛରେ କାରଣ ଏବେ ବି ରହସ୍ୟ ଭିତରେ ରହିଛି। ଅପରପକ୍ଷରେ ଡିସ୍ପେନସାରିରେ କାର୍ଯ୍ୟରତ ଡାକ୍ତର ପ୍ରତିଦିନ ରୋଷର ଶିକାର ହେଉଛନ୍ତି। ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ରାଜ୍ୟ ସରକାର ଜାଣିଶୁଣି ଆୟୁଷକୁ ଅବେହଳା କରୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ, ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ଆୟୁଷ ଡିସ୍ପେନସାରିଗୁଡ଼ିକ ଔଷଧ ଯୋଗାଣ ବନ୍ଦ ରହିଛି। ଜାତୀୟ ଆୟୁଷ ମିସନ୍ ବା ନାମ୍ ଜରିଆରେ ମନ୍ତ୍ରଣାଳୟ ପକ୍ଷରୁ ଔଷଧ କିଣିବା ପାଇଁ ୩୨ କୋଟି ଟଙ୍କା ଦିଆଯାଇଥିଲା। ଏଥିରେ ଆୟୁର୍ବେଦିକ ୧୮କୋଟି, ହୋମିଓପ୍ୟାଥି ୧୨ କୋଟି ଓ ଅନ୍ୟାନ୍ୟ ଔଷଧ କିଣିବା ପାଇଁ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଏବେ ୬୨୯ ଆୟୁର୍ବେଦିକ, ୫୧୯ ହୋମିଓପ୍ୟାଥିକ ଓ ୯ଟି ୟୁନାନି ଡିସ୍ପେନସାରି ରହିଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ୨୭୦ଟି ଅତ୍ୟାବଶ୍ୟକ ଔଷଧ ତାଲିକା ବା ଇଡିଏଲ୍ରେ ରହିଛି। ନାମ୍ ଜରିଆରେ ଆସିଥିବା ଟଙ୍କାରେ ଆୟୁଷ ଡିସ୍ପେନସାରି ଗୁଡ଼ିକରେ ପ୍ରାୟ ସମସ୍ତ ରୋଗ ପାଇଁ ଔଷଧ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ପ୍ରଥମେ ରାଜ୍ୟ ଔଷଧ ନିଗମ ଜରିଆରେ ସରକାର ଆୟୁଷ ଔଷଧ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ନିଗମ ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚ୍ଓ ଓ ପ୍ରିମିୟ ଔଷଧ ପ୍ରସ୍ତୁତକାରୀ ଫାର୍ମାସି କମ୍ପାନିଙ୍କ ତାଲିକା ସ୍ବାସ୍ଥ୍ୟ ବିଭାଗକୁ ମଗା ଯାଇଥିଲା। ମାତ୍ର ବିଭାଗ ପକ୍ଷରୁ ଏଭଳି ଫାର୍ମାସି ତାଲିକା ନିଗମକୁ ଦିଆଯାଇଥିଲା। ମାତ୍ର ବିଭାଗ ଏଭଳି ଫାର୍ମାସି ତାଲିକା ଦେବାରେ ବିଫଳ ହୋଇଥିଲା। ଯାହାଫଳରେ ଆୟୁଷ ଔଷଧ ନିଗମ କିଣିପାରି ନ ଥିଲା। ପରବର୍ତୀ ସମୟରେ ଆୟୁଷ ନିର୍ଦେଶାଳୟ ଏହି ଟଙ୍କାରେ ଔଷଧ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ସରକାରଙ୍କ ଅନୁମତି ମିଳିବା ସହିତ ଟେଣ୍ଡର ପ୍ରକାଶ ପାଇଥିଲା। ତେବେ ଇଡିଏଲ୍ରେ ଏହା ଅନୁମୋଦନ ଅପେକ୍ଷା ଥିଲା। ତେବେ କୌଣସି କାରଣରୁ ରହସ୍ୟ ଜନକଭାବେ ଏହା ବନ୍ଦ ହୋଇ ଯାଇଥିଲା।
ରାଜ୍ୟରେ ୨ଟି ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଔଷଧ ପ୍ରସ୍ତୁତ କରାଯାଉଛି। ରାଜଧାନୀରେ ଥିବା ଆୟୁର୍ବେଦିକ ଫାର୍ମାସିରୁ ପୁରୀ, କଟକ, ଯାଜପୁର ସମେତ ହସ୍ପିଟାଲ ଓ ବଲାଙ୍ଗୀର ଫାର୍ମାସିରୁ ସ୍ଥାନୀୟ ସର୍କଲରେ ଔଷଧ ଯୋଗାଇ ଦିଆଯାଉଛି। ତେବେ ଏହି ଫାର୍ମାସିରୁ ବର୍ଷବ୍ୟାପୀ ସବୁ ଡିସ୍ପେନସାରିଗୁଡ଼ିକୁ ଔଷଧ ଦେବା ସମ୍ଭବ ହେଉନାହିଁ। ନାମ ଗୋପନ ରଖିବା ସର୍ତରେ ଜଣେ ଆୟୁଷ ଡାକ୍ତର କହିଛନ୍ତି, ସାଧାରଣ ଭାବେ ତାଳିସାଦି ଚୂର୍ଣ୍ଣ, ଲକ୍ଷ୍ମୀବିଳାସ ଚୂର୍ଣ୍ଣ, ମୃତ୍ୟୁଞ୍ଜୟ ରସ, ବାତରୋଗ ପାଇଁ ଯୋଗରାଜ ଗୁଗୁଳ ଓ ଗ୍ୟାଷ୍ଟ୍ରିକ୍ ସମସ୍ୟା ପାଇଁ ଅଭିପାର୍ଥକ ଚୂର୍ଣ୍ଣ ଡିସ୍ପେନସାରିରେ ଉପଳବ୍ଧ ହେଉନାହିଁ। ସାଧାରଣ ଔଷଧ ଯୋଗାଇ ଦେବା ଲାଗି ବାରମ୍ବାର ଦାବି ହେବା ପରେ ଆୟୁଷ ନିର୍ଦେଶାଳୟ ପକ୍ଷରୁ ୬୦ଟି ଡିସ୍ପେନସାରି ପାଇଁ ୧ଲକ୍ଷ ଟଙ୍କା ଦିଆଯାଉଛି। ଏତେ କମ୍ ଟଙ୍କାରେ ଯେତିକି ଔଷଧ ସମ୍ଭବ ହେଉଛି ଡାକ୍ତର ଟେଣ୍ଡର ଜରିଆରେ ଔଷଧ କିଣି ଡିସ୍ପେନସାରିକୁ ଯୋଗାଉଛନ୍ତି। ମାତ୍ର ଏହା ସପ୍ତାହ ଭିତରେ ହିଁ ଶେଷ ହୋଇଯାଉଛି। ପରବର୍ତୀ ସମୟରେ ଔଷଧର ଅଭାବ ଲାଗି ରହୁଛି। ପରିସ୍ଥିତି ଏପରି ହୋଇଛି ଯେ, ରୋଗୀମାନେ ଅନେକ ସମୟରେ ଔଷଧ ଅଭାବରୁ ବିରକ୍ତି ପ୍ରକାଶ କରୁଛନ୍ତି। ମାତ୍ର ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ କିଛିବର୍ଷ ଧରି ଔଷଧର ଅଭାବ ଲାଗି ରହିଛି।
ଅପରପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶାଳୟରେ ଗତ ଦୁଇ ମାସ ନିର୍ଦେଶକ ପଦ ଖାଲି ପଡ଼ିଛି। ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ଆୟୁଷ ନିର୍ଦେଶାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେବେ ଦୁଇ ବିଭାଗକୁ ଜଣେ ଅଧିକାରୀ ଚଳାଇବା ଏକପ୍ରକାର ଅସମ୍ଭବ ହୋଇ ପଡ଼ିଛି। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, କିଛିଦିନ ତଳେ ଏଥିପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଔଷଧ କିଣିବା ପାଇଁ ସରକାରଙ୍କ ଅନୁମୋଦନ ପାଇଁ ପଠାଇ ଦିଆଯାଇଛି ବୋଲି ଡା.ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।