ୟୁକ୍ରେନ୍‌ରୁ ଫେରିଲେ ଆୟୁଷ

ବରଗଡ଼: ୟୁକ୍ରେନ୍‌ରେ ଫସି ରହିଥିବା ବରଗଡ଼ ସହରର ଅନ୍ୟତମ ଛାତ୍ର ଆୟୁଷ ଦାଶ (୨୦) ସୁରକ୍ଷିତ ଭାବେ ଫେରି ଆସିଛନ୍ତି। ତାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରେ ପରିବାରଲୋକେ ସ୍ବାଗତ କରିଛନ୍ତି। ଆୟୁଷଙ୍କ ପିତା ଦିଲିପ ଦାଶ ଏବଂ ମା’ ଭାରତୀ ଦେବତା ହେଲେ ବରଗଡ଼ ୱାର୍ଡ ନମ୍ବର-୧୩ (ମିନି ଷ୍ଟାଡିୟମ ପାଖ) ନିବାସୀ।

ଆୟୁଷ ୟୁକ୍ରେନ୍‌ରେ ଦ୍ବିତୀୟ ବର୍ଷ ମେଡିକାଲ୍‌ ଛାତ୍ର ଥିଲେ। ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କୁ କଲେଜ୍‌ କର୍ତୃପକ୍ଷ ହଷ୍ଟେଲ୍‌ର ବଙ୍କର୍‌ ଭିତରେ ଲୁଚାଇ ରଖିଥିଲେ। ଦୀର୍ଘ ୮ ଦିନ ସେ ସେଠାରେ ସହପାଠୀଙ୍କ ସହ ବିତାଇଥିଲେ। ଖାଇବା ପିଇବା ମୁସ୍କିଲରେ ମିଳୁଥିଲା। ତଥାପି ଧର୍ଯ୍ୟର ସହ ସେ ବଙ୍କର ଭିତରେ ରହିଥିଲେ। ପରେ ଭାରତୀୟ ଦୂତାବାସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ମୁକୁଳାଇବା ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଥିଲା।

ସେଠାରୁ ଗୋଟିଏ ସ୍ଥାନକୁ ପହଂଚିବା ପାଇଁ ଆୟୁଷ ପାଖାପାଖି ୩୫ କିଲୋମିଟର୍‌ ଚାଲିଚାଲି ଯାଇଥିଲେ। ଉକ୍ତ ସ୍ଥାନରୁ ତାଙ୍କୁ ବସ୍‌ରେ ରୋମାନିଆ ସୀମାକୁ ନିଆଯାଇଥିଲା। ରୋମାନିଆରୁ ଏକ ସ୍ବତନ୍ତ୍ର ବିମାନରେ ସେ ଦିଲ୍ଲୀ ଏବଂ ଦିଲ୍ଲୀରୁ ଝାରସୁଗୁଡ଼ା ବିମାନବନ୍ଦର ପହଂଚିଛନ୍ତି।

ସମ୍ବନ୍ଧିତ ଖବର