ୟୁକ୍ରେନ୍‌ରୁ ଫେରିଲେ ଆୟୁଷା, ଅର୍ପିତା, ଅଭିଷେକ, ପ୍ରସନ୍‌ଜିତ

ସମ୍ବଲପୁର: ୟୁକ୍ରେନ୍‌ର ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ମୁକୁଳି ପଶ୍ଚିମ ଓଡ଼ିଶାର ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ମଙ୍ଗଳବାର ନିଜନିଜ ଘରେ ପହଞ୍ଚି ଯାଇଛନ୍ତି। ସେମାନଙ୍କୁ ପାଖରେ ପାଇ ପିତାମାତା ଓ ଆତ୍ମୀୟ ସ୍ବଜନ ନିଜ କୋହ ସମ୍ଭାଳି ପାରି ନଥିଲେ। ମଙ୍ଗଳବାର ଅପରାହ୍‌ଣରେ ଦିଲ୍ଲୀରୁ ଆସି ୫ ଜଣ ଛାତ୍ରଛାତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ।

ସେମାନେ ହେଲେ ବୁର୍ଲାର ଆୟୁଷା ଶତପଥୀ, ସମ୍ବଲପୁର ସାକ୍ଷୀପଡ଼ାର ପ୍ରସନ୍‌ଜିତ ପଟ୍ଟନାୟକ, ସମ୍ବଲପୁର ଜୟନ୍ତପୁରର ଅଭିଷେକ ସ୍ବାଇଁ, ବରଗଡ଼ର କିଷନ୍ ପଣ୍ଡା ଏବଂ ରାଉରକେଲାର ସୁରଜ ମିଶ୍ର। ବିମାନବନ୍ଦରରେ ସରକାରୀ ଔପଚାରିକତା ପୂରଣ ପରେ ଓଡ଼ିଶା ସରକାରଙ୍କ ଅଧିକାରୀ ଏହି ଛାତ୍ରଛାତ୍ରଙ୍କୁ ବିମାନବନ୍ଦର ବାହାରକୁ ଆଣି ପିତାମାତାଙ୍କ ସହ ଭେଟ କରାଇଥିଲେ।

ପରିବାର ଲୋକ ସେମାନଙ୍କୁ ନେଇ ଖୁସି ମନରେ ଘରକୁ ବାହୁଡ଼ିଥିଲେ। ସେହିପରି ସୋମବାରଠୁ ଭୁବନେଶ୍ବର ପହଞ୍ଚିଥିବା ଆଉ କିଛି ଛାତ୍ରଛାତ୍ରୀ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରା ଯାଇଥିବା ଗାଡ଼ିରେ ଆସି ମଧ୍ୟରାତ୍ରିରେ ନିଜନିଜ ଘରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ସମ୍ବଲପୁରର ଅର୍ପିତା ମହାନ୍ତି, ଝାରସୁଗୁଡ଼ାର ମନୀଷ ପଟେଲ, ଟିଟିଲାଗଡ଼ର ସାଈସ୍ବରୂପ ତ୍ରିପାଠୀ ଓ ବରଗଡ଼ର ଜଣେ ଛାତ୍ରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର