ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ କାର୍ଯ୍ୟକାରୀ କରାଯିବ। ଆସନ୍ତା ଏପ୍ରିଲ୍‌ ପହିଲାରୁ ଏହା ଶୁଭାରମ୍ଭ ହେବ। ସେହିଦିନ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାର ଆରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା ଅଭିଯାନ ଆରମ୍ଭ କରାଯିବ।
ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଜାନୁଆରି ୧୩ ତାରିଖ ଦିନ ନୂଆଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। 

Advertisment

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବି ବଳବତ୍ତର ରହିବ
ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷରୁ ଅଧିକ ପାଇବେ ଚିକିତ୍ସା ସୁବିଧା

ତଥ୍ୟ ଅନୁଯାୟୀ ଉଭୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଉର୍ଦ୍ଧ୍ୱ ଲୋକ 
ଉପକୃତ ହେବେ। ଏହି ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର୍ଯ୍ୟକାରୀ କରାଯିବ। ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ। ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଉପକୃତ ହେବାକୁ ଥିବାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ। ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ। ସୂଚନା ଅନୁଯାୟୀ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୨୩, ୧୨, ୯୭୯। ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ିହେବେ। 

ଏହା ଦ୍ୱାରା ରାଜ୍ୟର ସମୁଦାୟ ୩.୫୨ କୋଟି ଲୋକ ଉପକୃତ ହେବେ। ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବା ବେଳେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ହେବ। ହିତାଧିକାରୀମାନେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ। ଆଜିର ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବତୀ ଏସ୍‍ ପ୍ରମୁଖ ଉପସ୍ଥିତ ଥିଲେ।