‘ଆୟୁଷ୍ମାନ ଭାରତ’ ପ୍ରସଙ୍ଗ : ରାଜ୍ୟକୁ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କ ସମାଲୋଚନା

ବଲାଙ୍ଗୀର : ‘ଆୟୁଷ୍ମାନ ଭାରତ’ ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଭୀମଭୋଇ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ପରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା କହିଥିଲେ ଯେ, କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆୟୁଷ୍ମାନ ଭାରତ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ସାମିଲ ହେଲେ ଲୋକଙ୍କ ସହ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆ ଉପକୃତ ହେବେ। ଦେଶର ଯେ କୌଣସି ଡାକ୍ତରଖାନାକୁ ଯାଇ ଚିକିତ୍ସାର ସୁବିଧା ପାଇବେ। କେନ୍ଦ୍ର ପକ୍ଷରୁ ଏଥିରେ ସାମିଲ୍‌ ହେବାକୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଚିଠି କରାଯାଉଛି। ମାତ୍ର, ରାଜ୍ୟ ସରକାର ଏଥିରେ ରାଜନୀତି କରୁଛନ୍ତି ଏବଂ ଏହାକୁ ଏଡ଼ାଇ ଯାଉଛନ୍ତି।

ଏଥିସହିତ, ଢେଙ୍କାନାଳ, ଯାଜପୁର କିମ୍ବା ଭଦ୍ରକ ସଂସଦୀୟ କ୍ଷେତ୍ରରେ ଆଉ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ଏବଂ ରାଜ୍ୟ ସରକାର ଜମି ଦେଲେ ଏହାକୁ ତ୍ୱରାନ୍ଵିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି।

ସେହିପରି ୭ ପ୍ରକାରର ସୁପର ସ୍ପେସିଆଲିଟି ହସ୍‌ପିଟାଲ, ୧୨ଟି ମୋଡୁଲାର ଅପରେସନ୍‌ ପଏଣ୍ଟ, ୬୦ଟି ଆଇସିୟୁ ବେଞ୍ଚ, ୩୦ଟି ଆଇସିସିୟୁ ସହ କୋଠା ବି ନିର୍ମାଣ ହେବ। ଅତ୍ୟାଧୁନିକ ମେଡିକାଲ କଲେଜ ପାଇଁ ବ୍ରହ୍ମପୁର ଓ ବୁର୍ଲାକୁ ଦେଢ ଶହ କୋଟି ଟଙ୍କା ଓ କଟକକୁ ୨୬୦ କୋଟି ଟଙ୍କା ଦେବାର ପ୍ରାବଧାନ କରାଯାଇଛି ବୋଲି ସେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ, ମିଡିଆ ପ୍ରଭାରୀ ପ୍ରଭାସ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର