ଆୟୁଷ୍ମାନ ପାଇଁ ପୁଣି କେନ୍ଦ୍ର-ରାଜ୍ୟ ଭିଡ଼ାଭିଡ଼ି

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡ଼ିଶା ବିଜେପି ସାଂସଦ, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ଲିଖିତ ପ୍ରସ୍ତାବ ଆସିଲେ ବିଚାର ହେବ

ଭୁବନେଶ୍ବର : କିଛି ଦିନ ବ୍ୟବଧାନ ପରେ “ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା” ଓଡ଼ିଶାରେ ଲାଗୁ କରିବା ପାଇଁ େକନ୍ଦ୍ର ସରକାର ଭିନ୍ନ ଢଙ୍ଗରେ ଚାପ ସୃଷ୍ଟି କରିଛନ୍ତି। ଏଥର େକନ୍ଦ୍ରୀୟ ପ୍ରତିନିଧି ନୁେହଁ କି େକନ୍ଦ୍ର ମନ୍ତ୍ରୀ ଡ. ହର୍ଷବର୍ଧନ ନୁହେଁ ବରଂ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିେଜପିର ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି େଲଖି ଓଡ଼ିଶାରେ ଏହି େଯାଜନା ଲାଗୁ କରିବା ପାଇଁ ନିେବଦନ କରିଛନ୍ତି। ଓଡ଼ିଶାବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି େଯାଜନା ଲାଗୁ କରାଯାଉ େବାଲି ଚିଠି ଜରିଆରେ ବିଜେପି ସାଂସଦମାନେ ଦର୍ଶାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିେଶାର ଦାସଙ୍କୁ କିନ୍ତୁ ଏହି ପ୍ରସ୍ତାବ ବିେଶଷ ପ୍ରଭାବିତ କରିନାହିଁ। ବରଂ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ଗଣମାଧ୍ୟମ ସାମ୍ନାରେ ମନ୍ତ୍ରୀ ଶ୍ରୀ ଦାସ େରାକଠୋକ୍ ଜଣାଇଛନ୍ତି େଯ କେନ୍ଦ୍ର ପାଖରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରଖାଯାଇଥିବା ସର୍ତ୍ତ ପୂରଣ େହବା ଦରକାର। ଏହା ସେତେବେଳେ ହେବ, େଯତେବେଳେ ସେମାନେ ଲିଖିତ ଭାବେ ପ୍ରସ୍ତାବ ଦେବେ। ଏହି ପ୍ରସ୍ତାବ ଆସିବା ପରେ ଯାଇ ମୁଖ୍ୟମନ୍ତ୍ରୀ ବିଚାର କରିବେ।

େଗାଟିଏ ପଟେ େକନ୍ଦ୍ର ସରକାରଙ୍କ ଏହି େଯାଜନା ଲାଗୁ କରିବା ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ଚାପ ସୃଷ୍ଟି କରୁଛନ୍ତି। ରାଜ୍ୟ ସରକାରଙ୍କ େଯାଜନା ଠିକ୍ ଭାବେ ପାଳନ ହେଉନାହିଁ େବାଲି ସାବ୍ୟସ୍ତ କରିବା ପାଇଁ ବିଜେପି େଢର୍ ଉଦ୍ୟମ କରିଥିଲା। ବିଧାନସଭାରେ ବିଭିନ୍ନ ଘରୋଇ ହସ୍ପିଟାଲର ଚିତ୍ର ରଖି ବିେରାଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦର୍ଶାଇଥିଲେ େଯ ହିତାଧିକାରୀଙ୍କୁ ରାଜ୍ୟ େଯାଜନାରୁ କିଛି ଲାଭ ମିଳୁନାହିଁ। ଘରୋଇ ହସ୍ପିଟାଲ େରାଗୀଙ୍କୁ ହନ୍ତସନ୍ତ କରୁଛନ୍ତି। ହେଲେ ଏତେ ସବୁ ଚାପ କୌଶଳ କିନ୍ତୁ ଓଡ଼ିଶା ସରକାରଙ୍କୁ ପ୍ରଭାବିତ କରିପାରୁନାହିଁ। ରାଜ୍ୟ ସରକାର ନିଜ ଜିଦରେ ଅଟଳ ଅଛନ୍ତି। ଏଭଳି ସ୍ଥିତିରେ ଆୟୁଷ୍ମାନ େଯାଜନା କାର୍ଯ୍ୟାନ୍ବୟନ େନଇ େକନ୍ଦ୍ର-ରାଜ୍ୟ ବଳ କଷାକଷି େକଉଁ େମାଡ଼ ନେଉଛି, ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିଛି।

ରାଜ୍ୟ ବିଜେପିର ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି େଯ େକନ୍ଦ୍ର ସରକାରଙ୍କ ଆୟୁଷ୍ମାନ େଯାଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀଙ୍କ ସମେତ ଦେଶର ୫୦ କୋଟି ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇପାରିବେ। ଏଥିରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ତଥ୍ୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି। ଏହି ଯୋଜନାରେ ଶିଶୁ କନ୍ୟା, ମହିଳା ଏବଂ ବରିଷ୍ଠ ନାଗରିକମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ପୂର୍ବରୁ ହୋଇଥିବା ରୋଗର ଚିକିତ୍ସା ମଧ୍ୟ କରାଯିବ। ଏହି ଯୋଜନା ସଂପୂର୍ଣ୍ଣରୂପେ ନଗଦ ଅର୍ଥ ବିହୀନ ଓ କାଗଜ ବିହୀନ ପଞ୍ଜୀକରଣର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ସୁବିଧା ପାଇଁ ଆସୁଥିବା ରୋଗୀଙ୍କୁ କୌଣସି ନଗଦ ଅର୍ଥ ଦେବାର ଆବଶ୍ୟକତା ପଡିନଥାଏ। ବିଭିନ୍ନ ଘରୋଇ ହସ୍ପିଟାଲଗୁଡିକୁ ଏଥିରେ ସାମିଲ କରାଯାଇଛି। ଏହି ଯୋଜନା ରାଜ୍ୟରେ ଲାଗୁ ହେବା ଦ୍ୱାରା ଓଡ଼ିଶାର ଜନତା ଲାଭାନ୍ୱିତ ହେବା ସହ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଅନ୍ୟ ରାଜ୍ୟରେ ରହି ମଧ୍ୟ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ େବାଲି ସାଂସଦମାନେ ଦର୍ଶାଇଛନ୍ତି।

ସାଂସଦମାନେ ଆହୁରି େଲଖିଛନ୍ତି, ଗତ ୯ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଥର ଓଡ଼ିଶା ଗସ୍ତରେ ଆସି ସବୁ ସମୟରେ ଏହି ଯୁଗାନ୍ତକାରୀ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । ଗତ ଜୁନ୍ ୩ ତାରିଖରେ ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ମୁଖ୍ୟ ଡା. ଇନ୍ଦୁ ଭୂଷଣ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଏହି ଯୋଜନା ଲାଗୁ କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏହି ଯୋଜନା ରାଜ୍ୟରେ ଲାଗୁ କରିବା କଲେ କେନ୍ଦ୍ର ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇଦେବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ପ୍ରମୁଖ ଚିଠି ଲେଖିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଆୟୁଷ୍ମାନ େଯାଜନାର କାର୍ଯ୍ୟାନ୍ବୟନ ସମୀକ୍ଷା କରିବା ବେଳେ ନୂଆଦିଲ୍ଲୀରେ େକନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଧନ କହିଛନ୍ତି, ରାଜ୍ୟ େଯାଜନା ସହିତ ମିଶ୍ରଣ କରାଯାଇ େଗାଟିଏ େଯାଜନା କାର୍ଯ୍ୟକାରୀ କରିବା ଲାଗି ସବୁ ପ୍ରକାର ସୁବିଧା ରାଜ୍ୟ ସରକାରଙ୍କୁ େଯାଗାଇ ଦିଆଯିବ। ଏପରିକି ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି େକନ୍ଦ୍ର ସରକାର କୁଣ୍ଠାବୋଧ କରିବେ ନାହିଁ େବାଲି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଆଶ୍ବାସନା େଦଇ ଟେଲିଫୋନ ବି କରିଥିଲେ।

େକନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ େଯାଜନା ମିଶି େଗାଟିଏ େଯାଜନାରେ ପରିଣତ େହାଇପାରେ, ଏମିତି ଏକ ସମ୍ଭାବନା ସୃଷ୍ଟି େହାଇଥିଲା। ହେଲେ ଏହାପରେ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାର ନିରବ ରହିଯାଇଥିଲେ।

େକନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟୁଷ୍ମାନ େଯାଜନା କାର୍ଯ୍ୟକାରୀ କରିବା େକ୍ଷତ୍ରରେ ୩୨ଟି ରାଜ୍ୟ ଓ େକନ୍ଦ୍ର ଶାସିତ ଅଞ୍ଚଳ ବୁଝାମଣାପତ୍ର ସ୍ବାକ୍ଷର କରିସାରିଛନ୍ତି। ଅଧିକାଂଶ ରାଜ୍ୟ େଯାଜନା କାର୍ଯ୍ୟକାରୀ କଲେଣି। କିନ୍ତୁ ଓଡ଼ିଶା, େତଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଏହାକୁ ଗ୍ରହଣ କରିନାହାନ୍ତି। ଏହି ୪ଟି ରାଜ୍ୟ ସରକାରଙ୍କ ସହିତ େମାଦୀ-୨ ସରକାର ଏବେ ନିରନ୍ତର େଯାଗାେଯାଗ ଆରମ୍ଭ କରିଛନ୍ତି।

ପୂର୍ବରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା େକନ୍ଦ୍ରର ଆୟୁଷ୍ମାନଠାରୁ ଭଲ େବାଲି କହିଥିଲେ। ଉଚ୍ଚମାନ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ହସ୍‌ପିଟାଲ୍‌, ରାଜ୍ୟ ଓ ରାଜ୍ୟ ବାହାରର ୨୧୮ଟି ଘରୋଇ ହସ୍‌ପିଟାଲ୍‌କୁ ତାଲିକାଭୁକ୍ତ କରିଛନ୍ତି। କିନ୍ତୁ େକନ୍ଦ୍ର ସରକାରଙ୍କ େଯାଜନାରେ େଯଉଁ ନିୟମ ରହିଛି, ସେଥିରେ ଏତେ ପରିମାଣର ହିତାଧିକାରୀଙ୍କୁ ସାମିଲ କରାଯିବା ସମ୍ଭବ ନୁହେଁ। ସେହିଭଳି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ନିମନ୍ତେ ୭ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ ବହନ କରୁଛନ୍ତି। ହେଲେ େକନ୍ଦ୍ର ସରକାରଙ୍କ େଯାଜନାରେ ଏହାର ପରିମାଣ ୫ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର