ଭୁବନେଶ୍ବର: ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ଦିନଠାରୁ ଏହାର ସଫ୍‌ଟୱେୟାର ଓ ପ୍ୟାକେଜ୍‌କୁ ନେଇ ଘରୋଇ ହସ୍ପିଟାଲମାନେ ଅସନ୍ତୋଷ ଜାହିର କରୁଛନ୍ତି। ଏ ସଂପର୍କରେ ସେମାନେ ରାଜ୍ୟ ସ୍ବାସ୍ଥ୍ୟ ଆଶ୍ବାସନା ସମିତି(ସାସ୍‌)କୁ ଲିଖିତ ଭାବେ ଜଣାଇଥିଲେ। ଶେଷରେ ଏ ସଂପର୍କରେ ଆଲୋଚନା ଲାଗି ଆସନ୍ତା ସୋମବାର ‘ସାସ୍’ କର୍ତ୍ତୃପକ୍ଷ ଘରୋଇ ହସ୍ପିଟାଲଙ୍କୁ ଡାକି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ବାରମ୍ବାର ଓଟିପି ମାଗିବା, ଆଡ୍‌ମିସନ ପାଇଁ ରୋଗୀଙ୍କୁ ଅନୁମୋଦନ ପାଇଁ ଦୀର୍ଘ ସମୟ ହସ୍ପିଟାଲରେ ଅପେକ୍ଷା କରିବାକୁ ପଡ଼ୁଥିବା ଭଳି ଅଭିଯୋଗ ଆସିଥିଲା। ଏହାସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଯେଉଁ ପ୍ୟାକେଜ୍ ଧାର୍ଯ୍ୟ ହୋଇଛି ସେଥିରେ ରୋଗୀ ଚିକିତ୍ସା କରିବା ସମ୍ଭବ ନୁହେଁ ବୋଲି ଘରୋଇ ହସ୍ପିଟାଲମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଧୀରେ ଧୀରେ ଲୋକେ ବିରକ୍ତି ପ୍ରକାଶ କରିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। 

Advertisment

ସୋମବାର ବୈଠକ, ପ୍ୟାକେଜ୍‌ ଆଲୋଚନା ବି ହେବ

ଅଲ୍‌ ଓଡ଼ିଶା ଘରୋଇ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ର ସଂପାଦକ ଇନ୍ଦ୍ରମଣି ଜେନା କହିଛନ୍ତି, ସଫ୍‌ଟୱେୟାର ସମସ୍ୟା ଓ ପ୍ୟାକେଜ୍‌କୁ ନେଇ ସଂଘ ପୂର୍ବରୁ ସରକାରଙ୍କୁ ଜଣାଇଥିଲା। ଏବେ ଘରୋଇ ହସ୍ପିଟାଲମାନେ ବ୍ୟକ୍ତିଗତ ଭାବେ ସରକାରଙ୍କୁ ସୂଚନା ଦେଇଛନ୍ତି। ଯେଉଁ ପ୍ୟାକେଜ୍ ଦର ‘ଆୟୁଷ୍ମାନ ଭାରତ’ରେ ରହିଛି ତାହା ପ୍ରାୟ ୧୦ବର୍ଷ ତଳର। ଏଥିରେ ବର୍ତ୍ତମାନ ସମୟରେ ରୋଗୀ ଚିକିତ୍ସା ସମ୍ଭବ ନୁହେଁ ବୋଲି ହସ୍ପିଟାଲମାନେ ଅନୁଭବ କରୁଛନ୍ତି। ଏସବୁ ଉପରେ ‘ସାସ୍’ କର୍ତ୍ତୃପକ୍ଷ ସୋମବାର ସଂଘର ସଭାପତିଙ୍କୁ ଆଲୋଚନା କରିବା ଲାଗି ଡାକିଛନ୍ତି। ଏଥିରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଥିବା ଶ୍ରୀ ଜେନା କହିଛନ୍ତି। ଏପଟେ ‘ସାସ୍‌’ର ଜଣେ ଅଧିକାରୀ କହିଛନ୍ତି, ନୂଆ ବ୍ୟବସ୍ଥାରେ ଅନେକ ସୁରକ୍ଷା ସଂପର୍କିତ ଫିଚର ରହିଛି। ଆଧାର ବାଧ୍ୟତାମୂଳକ କରାଯାଇଛି। ଏହି ଯୋଜନାରେ ଠକେଇ ଆଶଙ୍କା କମ୍। ଏହାସହ ଅନ୍‌ଲାଇନ୍‌ ଆବେଦନ ଫର୍ମରେ ଅନେକ ମେଡିକାଲ ସଂପର୍କିତ ଶବ୍ଦାବଳୀ ରହିଛି। ଏଣୁ ଜଣେ ଡାକ୍ତର ହିଁ ଏହାକୁ ପୂରଣ କରିପାରିବେ। ରୋଗୀଙ୍କ ସମସ୍ୟାର ସମାଧାନ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି। ତେବେ ପ୍ୟାକେଜ୍‌ରେ ବଡ଼ ଧରଣର କୌଣସି ପରିବର୍ତ୍ତନ ହୋଇନାହିଁ। ବରଂ ଆକାଂକ୍ଷୀ ଜିଲ୍ଲାର ହସ୍ପିଟାଲ ଅନ୍ୟ ଜିଲ୍ଲା ତୁଳନାରେ ଇମ୍‌ପ୍ଲାଣ୍ଟ କ୍ଷେତ୍ରରେ ୧୦% ଅଧିକ ଅର୍ଥ ପାଇବେ।