ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଉ: ଧର୍ମେନ୍ଦ୍ର

ପୌର ଓ ପଞ୍ଚାୟତ ନିର୍ବାଚନ ଏକାଠି ହେଉ

ଭୁବନେଶ୍ୱର : ଓଡ଼ିଶାର ଲୋକମାନେ ବିଶେଷ ଭାବରେ ପ୍ରବାସୀ ଓଡ଼ିଆମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଓଡ଼ିଶାରେ ତୁରନ୍ତ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ‌କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ଗଣମାଧ୍ୟମକୁ ଏନେଇ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ତେଣୁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଅନ୍ତୁ।

ସେହିପରି ରାଜ୍ୟରେ ଏକସଙ୍ଗେ ପଞ୍ଚାୟତ ଓ ପୌର ନିର୍ବାଚନ କରିବାକୁ ଆମ ଦଳ ପ୍ରସ୍ତାବ ଦେଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଏନେଇ ଦାବି ରଖାଯାଇଛି। ଏହା ଦ୍ୱାରା ଲୋକମାନେ ହଇରାଣ ହେବେ ନାହିଁ କି ବିକାଶ କାମ ବାଧାପ୍ରାପ୍ତ ହେବନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିସନରେ ଓଡ଼ିଶାକୁ ବିପୁଳ ଅର୍ଥ ଯୋଗାଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୬ ଲକ୍ଷ ଘର ପାଇଁ ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ହିସାବରେ ୨୬ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୫୦ ଲକ୍ଷ ନୂଆ ଗରିବ ଲୋକଙ୍କୁ ଗ୍ୟାସ ଉପଲବ୍ଧ କରାଯାଇଛି । ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଉଜ୍ଜ୍ବଳା ୨.୦ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନିୟମିତ ବ୍ୟବଧାନରେ ଓଡ଼ିଶାର ଚାଷୀଙ୍କୁ ଟଙ୍କା ଦିଆଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର