ଭୁବନେଶ୍ବର: ଚଳିତମାସ ୧୧ତାରିଖ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଏହାର କାର୍ଡ ବଣ୍ଟନ କାର୍ଯ୍ୟ ଜାରି ରହିଛି। ତେବେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ହିତାଧିକାରୀଙ୍କ ମଧ୍ୟରେ ଅନେକ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେଉଁମାନେ କାର୍ଡ ପାଇବେ, ରାସନ କାର୍ଡ ନ ଥିଲେ ଚିକିତ୍ସା ସୁବିଧା ମିଳିବ କି ନାହିଁ ତାହାକୁ ନେଇ ଲୋକମାନେ ଆଶା ଆଶଙ୍କା ଭିତରେ ରହିଛନ୍ତି। ତେବେ ରାସନ କାର୍ଡ ତାଲିକାରୁ ବାଦ୍ ପଡ଼ିଥିବା ୨ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା, ଅନ୍ତ୍ୟୋଦୟ ଯୋଜନା, ନବୀନ କାର୍ଡ ଓ ରାସନ କାର୍ଡରୁ ବାଦ୍ ପଡ଼ିଥିବା ୨ଲକ୍ଷ ପରିବାରକୁ ମିଶାଇ ସମୁଦାୟ ୧.୩କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି।

Advertisment

ଏହି ୫ଟି ବର୍ଗର ଲୋକଙ୍କ ଆଧାର ସଂଯୁକ୍ତ କାର୍ଡ ପ୍ରସ୍ତୁତ ହୋଇଛି। ରାଜ୍ୟରେ ୪୮ହଜାରରୁ ଅଧିକ ଆଶା କର୍ମୀ ଥିବା ବେଳେ ସେମାନେ ଘରକୁ ଘର ବୁଲି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ। ପରିବାରର ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ସେହିପରି ୭୦ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାରେ ୫ଲକ୍ଷ ସୁବିଧା ମିଳିବ। ରାଜ୍ୟରେ ଏହି ବର୍ଗର ପ୍ରାୟ ୨୩ଲକ୍ଷ ଲୋକ ଥିବା ବେଳେ ତହିଁରୁ ୬ଲକ୍ଷ ଲୋକ ଏଥିରେ ସାମିଲ ହୋଇ ନାହାନ୍ତି। ସେମାନେ ଅନ୍‌ଲାଇନ୍‌ ଜରିଆରେ ସେମା‌ନଙ୍କ କାର୍ଡ ପାଇପାରିବେ। ୭୦ବର୍ଷରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସେବା ପାଇବା ପାଇଁ କୌଣସି ପ୍ରକାର ମାନଦଣ୍ଡ ଧାର୍ଯ୍ୟ ନାହିଁ। 

ସେ ଆହୁରିମଧ୍ୟ କହିଛନ୍ତି, ଯେଉଁ ହିତାଧିକାରୀଙ୍କ ଆଧାର ସଂଯୁକ୍ତ କାର୍ଡ ପ୍ରସ୍ତୁତ ହୋଇଛି, ମାତ୍ର ହିତାଧିକାରୀ କାର୍ଡ ପାଇ ନ ଥିଲେ ବି ଚିକିତ୍ସାରେ କୌଣସି ସମସ୍ୟା ହେବନାହିଁ। ନିଜର ଆଧାର ନମ୍ବର କିମ୍ବା ପୁରୁଣା ବିଏସ୍‌କେୱାଇ କାର୍ଡର ନମ୍ବର ଦେଖାଇ ସେମାନେ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ। ଆଜି ଭୁବନେଶ୍ବର ମ୍ୟୁନିସିପାଲ ଅଞ୍ଚଳରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ବଣ୍ଟନ କିଭଳି ଚାଲିଛି ତାହା ସଂପର୍କରେ ଡୁମୁଡୁମା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମୀକ୍ଷା କରାଯାଉଛି। ଆସନ୍ତା ୩ମାସ ଭିତରେ ରାଜ୍ୟରେ କାର୍ଡ ବିତରଣ ଶେଷ ହେବ ବୋଲି ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି।