କଟକ: ରାଜ୍ୟରେ ଆଜି ‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ’ ଯୋଜନା ଆରମ୍ଭ ହୋଇଛି। କଟକ ବାଲିଯାତ୍ରା ପଡ଼ିଆରେ ଏହାକୁ ଲୋକାର୍ପଣ କରି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର କାମ କରୁଥିବାରୁ ଏହାକୁ ସଫଳତାର ସହିତ ଲାଗୁ କରାଯାଇପାରିଛି ବୋଲି କହିଛନ୍ତି। ସାଧାରଣ ନିର୍ବାଚନ ସମୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ଲାଗୁ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନର ଗୋଟିଏ ବର୍ଷ ପୂରଣ ହେବା ପୂର୍ବରୁ ସେହି ପ୍ରତିଶ୍ରୁତି ପୂରଣ ହେଲା। ‘ଆୟୁଷ୍ମାନ ଭାରତ’ ହେଉଛି ବିଶ୍ବର ସବୁଠାରୁ ବୃହତ୍‌ ସ୍ବାସ୍ଥ୍ୟ ଯୋଜନା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିର ଫଳ। ଦେଶର ୫୫ କୋଟି ଲୋକ ବର୍ତ୍ତମାନ ‘ଆୟୁଷ୍ମାନ ଭାରତ’ରେ ଯୋଡ଼ି ହୋଇଛନ୍ତି। ଅଙ୍ଗନବାଡ଼ି, ଆଶାକର୍ମୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ମୋଦୀ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଛନ୍ତି। ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରରୁ ୩ କୋଟି ୫୧ ଲକ୍ଷ ଲୋକ ଏହି ଯୋଜନାରେ ଏବେ ସାମିଲ ହୋଇଛନ୍ତି। ଦେଶର ଯେ କୌଣସି ସ୍ଥାନରେ ଏହି ଯୋଜନାର ସୁଫଳ ଓଡ଼ିଶାବାସୀ ପାଇ ପାରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି।

Advertisment

ଉପକୃତ ହେବେ ଓଡ଼ିଶାର ୩ କୋଟି ୫୧ ଲକ୍ଷ ଲୋକ
୩ ମାସ ମଧ୍ୟରେ ସବୁ ପରିବାର ପାଖରେ ପହଞ୍ଚିବ କାର୍ଡ
ରାଜ୍ୟରେ ଖୋଲିବ ଆହୁରି ୬ ନୂଆ ମେଡିକାଲ୍‌ କଲେଜ, ୪ ଦନ୍ତ ମହାବିଦ୍ୟାଳୟ

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଛି। ଏହି ସ୍ବାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। ଏହି କାର୍ଡ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କ ପାଖରେ ପହଞ୍ଚିବ। ‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ ୬ ବର୍ଷ ପୂର୍ବରୁ ଲାଗୁ ହେବାର ଥିଲା। କିନ୍ତୁ ତତ୍କାଳୀନ ସରକାର ଏହାକୁ ଲାଗୁ କରି ନଥିଲେ। ଏବେ ଏହି ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ୨୩ ଲକ୍ଷ ଲୋକ ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇବେ। ରାଜ୍ୟରେ ଗତ ୧୦ ମାସ ମଧ୍ୟରେ ୪ ହଜାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଆହୁରି ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ମିଳିବ। ଆଗାମୀ ଦିନରେ ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁରଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ଅନ୍ୟ ୪ଟି ଜିଲ୍ଲରେ ଡେଣ୍ଟାଲ୍‌ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। 

ଏହି ସମାରୋହରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟଶାସନ ସଚିବ ମନୋଜ ଆହୁଜା, କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରମୁଖ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ତୀ ଏସ. ସ୍ବାଗତ ଭାଷଣ ଦେଇଥିବାବେଳେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଡି. ବୃନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।