‘ଆୟୁଷ୍ମାନ’କୁ ଓଡ଼ିଶା ସରକାରଙ୍କ ନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଓଡ଼ିଶା ସରକାର ରାଜ୍ୟରେ ଲାଗୁ କରିବେ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ଏ ନେଇ ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି। ‘ଆୟୁଷ୍ମାନ ଭାରତ’ ଠାରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବହୁ ଗୁଣରେ ଭଲ। ତେଣୁ ଏଥିରେ ରାଜ୍ୟବାସୀ ଉପକୃତ ହେବେ ବୋଲି ମନ୍ତ୍ରୀ ଜୋର୍‌ ଦେଇଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଗତକାଲି ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା। ଦଳ ଆରୋପ ଲଗାଇଥିଲା, ଆୟୁଷ୍ମାନ ଭାରତ ଯୋଜନାରେ ଯାହା ସୁବିଧା ଓ ନିୟମାବଳୀ ରହିଛି, ସେହି ସମାନ ସୁବିଧା ଓ ନିୟମାବଳୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରହିଛି। ତେଣୁ ଏହି ଯୋଜନା କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରାଇବା ପାଇଁ ଉଦ୍ଦିଷ୍ଟ। ବିଜେପିର ଏହି ଅଭିଯୋଗ ପରେ ସ୍ୱାସ୍ଥ୍ୟ ସେବାକୁ ନେଇ ରାଜନୀତି ଜୋର୍‌ ଧରିଥିଲା। ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଭବିଷ୍ୟତ କ’ଣ ହେବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେନା। ‘ଆୟୁଷ୍ମାନ’ ଯୋଜନା କାହିଁକି ଲାଗୁ ହେବ ନାହିଁ ବୋଲି ଯୁକ୍ତି ଦର୍ଶାଇ ସେ କହିଛନ୍ତି, ଆୟୁଷ୍ମାନ ଯୋଜନା କେବେ ଆରମ୍ଭ ହେବ, ତାହାର ସମୟ, ତାରିଖ କେନ୍ଦ୍ର ସରକାର ଧାର୍ଯ୍ୟ କରି ନାହାନ୍ତି। ଏହି ଯୋଜନାରେ ୬୧ ଲକ୍ଷ ପରିବାରଙ୍କୁ ସାହାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା ଥିଲା। କିନ୍ତୁ ଆମେ ଚାହୁଁଥିଲୁ ୭୦ ଲକ୍ଷ ପରିବାରଙ୍କୁ ସହଯୋଗ ଯୋଗାଇ ଦିଆଯାଉ। କେନ୍ଦ୍ର ସରକାର ଆଉ ୯ ଲକ୍ଷ ପରିବାରକୁ ସହଯୋଗ ଦେବାକୁ ରାଜି ହେଲେ ନାହିଁ। ସେଥି ପାଇଁ ଆମେ ନିଜସ୍ୱ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲୁ। ଯାହା ବି ଆର୍ଥିକ ବୋଝ ପଡ଼ିବ, ରାଜ୍ୟ ସରକାର ତାହାକୁ ବହନ କରିବେ। ଏକ ନିର୍ଦ୍ଦିଷ୍ଟ ତାରିଖ ଅଗଷ୍ଟ ୧୫ରେ ଏହା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହି ଯୋଜନାରେ ଲୋକମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ତେଣୁ ‘ଆୟୁଷ୍ମାନ’ର କିଛି ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର