ଭୁବନେଶ୍ବର: ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଚଳିତମାସ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବାସ୍ତବ କଥା ହେଉଛି ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଦିଆଯିବାକୁ ଥିବା ସମସ୍ତ କାର୍ଡ ଛପା ସରିନାହିଁ। ଯେତିକି କାର୍ଡ ଆସିଛି ତାହାର ବଣ୍ଟା ମଧ୍ୟ ଆରମ୍ଭ ହୋଇନାହିଁ। ଏହାବାଦ୍ ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି ଆଲୋଚନା ହେଉଛି। ତେଣୁ ଆସନ୍ତାକାଲି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି।
ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହୋଇଛି। ଏଥିପାଇଁ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଜିଜେଏୱାଇ ଓ ଆୟୁଷ୍ମାନ ଭାରତ ସଫ୍ଟୱେର୍ ଇଣ୍ଟିଗ୍ରେସନ୍ ପାଇଁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା ସରକାର କହିଥିଲେ। ପରେ ଏପ୍ରିଲ ପହିଲାରୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ଏହାର ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ୩୫ଜଣ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀଭାବେ ବିଭିନ୍ନ ଜିଲ୍ଲାରେ ଏହାର ତଦାରଖ କରିବା ଲାଗି ଦାୟିତ୍ବ ଦିଆଯାଇଥିଲା। ସେମାନେ ବିଭିନ୍ନ ଜିଲ୍ଲା ଗସ୍ତ ଯୋଜନା ପ୍ରସ୍ତୁତିର ତଦାରଖ କରି ରିପୋର୍ଟ ଦେଇଛନ୍ତି।
କାର୍ଡ ପ୍ରସ୍ତୁତି କିମ୍ବା ସଫ୍ଟୱେର୍ ଇଣ୍ଟିଗ୍ରେସନ୍ ସରିନାହିଁ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ ଓଡ଼ିଶା ଗସ୍ତ ସମୟରେ ହୋଇପାରେ ଉଦ୍ଘାଟନ
ବିଭାଗର ଜଣେ ଅଧିକାରୀ କହିଛନ୍ତି, ତତ୍କାଳୀନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଗୋଟିଏ ପରିବାରକୁ ୨ଟି ଲେଖାଏଁ କାର୍ଡ ଦିଆଯାଇଥିଲା। ହେଲେ ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏଁ କାର୍ଡ ଦିଆଯିବ। ତେଣୁ ପ୍ରାୟ ସାଢ଼େ ୩କୋଟି କାର୍ଡ ଛପାଯିବ। ଏହାସହ କାର୍ଡ ରଖିବା ଓ ଅନ୍ୟାନ୍ୟ ସୂଚନା ପାଇଁ ସରକାରଙ୍କ ତରଫରୁ ଏକ ପାଉଚ୍ ମଧ୍ୟ ଦିଆଯିବ। ତେଣୁ ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ବଣ୍ଟାଯିବାକୁ ଥିବା କାର୍ଡ କିମ୍ବା ପାଉଚ୍ ପହଞ୍ଚି ନାହିଁ।
ସେହିପରି କ୍ଲେମ୍ ପ୍ରକ୍ରିୟା ଲାଗି ରାଜ୍ୟ ସରକାର ଏବେ ସିଏମ୍ଏସ୍ ସଫ୍ଟୱେର୍ ବ୍ୟବହାର କରୁଛନ୍ତି। ମାତ୍ର ଆୟୁଷ୍ମାନ ଭାରତ ପାଇଁ ଦେଶବ୍ୟାପୀ ଟିସିଏସ୍ କମ୍ପାନି ତା’ର ସଫ୍ଟୱେର୍ ପ୍ରସ୍ତୁତ କରିଛି। ତେଣୁ ରାଜ୍ୟ ସରକାର ଜିଜେଏୱାଇ ସଫ୍ଟୱେର ଢଙ୍ଗରେ କ୍ଲେମ୍ ପ୍ରକ୍ରିୟା କରିବା ଲାଗି ଚାହୁଁଛନ୍ତି। ତେଣୁ ଟିସିଏସ୍ ଏହି ଢଙ୍ଗରେ ସଫ୍ଟୱେର୍ ପ୍ରସ୍ତୁତ କରୁଥିବାରୁ ଅଧିକ ସମୟ ଲାଗୁଛି। ଏହାଛଡ଼ା ଆୟୁଷ୍ମାନ ଭାରତର ସବୁ କାର୍ଡ ବାଣ୍ଟିବା ପାଇଁ କିଛିଦିନ ସମୟ ଲାଗିବ। ଏହାର ଉଦ୍ଘାଟନ ନ ହେବା ପର୍ଯ୍ୟନ୍ତ ଜିଜେଏୱାଇରେ ଲୋକଙ୍କୁ ସୁବିଧା ମିଳିବ। ଉଦ୍ଘାଟନ ପରେ ବି ଯେଉଁମାନେ କାର୍ଡ ପାଇ ନ ଥିବେ ସେମାନେ ନିଜର ଆଧାର କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇବେ। ତେଣୁ ଲୋକମାନଙ୍କୁ କୌଣସି ପ୍ରକାର ସମସ୍ୟା ହେବନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।