ବଦଳୁଛି ଆୟୁଷ୍ମାନ ଆଭିମୁଖ୍ୟ, ଓଡ଼ିଶାରେ କେନ୍ଦ୍ରୀୟ ପ୍ରତିନିଧିଦଳର ଆଲୋଚନା

ମନା କଲେନି, ସର୍ତ ରଖିଲେ ରାଜ୍ୟ ସରକାର, ବିଜୁ ସ୍ବାସ୍ଥ୍ୟ ଯୋଜନାକୁ ପ୍ରଶଂସା କଲେ ଆୟୁଷ୍ମାନ ସିଇଓ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆୟୁଷ୍ମାନ େଯାଜନାକୁ େନଇ େକନ୍ଦ୍ର-ରାଜ୍ୟ ପ୍ରତି ସଭାରେ ମୁହାଁମୁହିଁ େହାଇଥିଲେ। ନିର୍ବାଚନ ପରେ କିନ୍ତୁ ଆଭିମୁଖ୍ୟ ବଦଳିଛି। େକନ୍ଦ୍ର-ରାଜ୍ୟ ପରସ୍ପର ଏକାଠି ବସିଛନ୍ତି। ଏହି େଯାଜନା ଓଡ଼ିଶା ସରକାର ଲାଗୁ କରନ୍ତୁ େବାଲି ପ୍ରସ୍ତାବ େନଇ ଆଜି େକନ୍ଦ୍ରୀୟ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଆେଲାଚନା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଅବଶ୍ୟ, ରାଜ୍ୟ ପକ୍ଷରୁ କିଛି ସର୍ତ ରଖାଯାଇଛି। ହେଲେ ଏହି େଯାଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ନାହିଁ ବୋଲି ପୂର୍ବଭଳି ଏଥର କହିନାହାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲେଙ୍ଗାନା ଭଳି ଦେଶର ୪ଟି ରାଜ୍ୟ ମୋଦୀ ସରକାରଙ୍କ ପ୍ରମୁଖ ‘ଆୟୁଷ୍ମାନ ଭାରତ’ ଯୋଜନାରେ ସାମିଲ ହୋଇନାହାନ୍ତି। ସୋମବାର କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ ଦେଶର ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବା ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଆୟୁଷ୍ମାନ ଭାରତର ମୁଖ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଡ. ଇନ୍ଦୁଭୂଷଣ ଓ ତାଙ୍କ ଟିମ୍‌ ରାଜ୍ୟ ସଚିବାଳୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିେଶାର ଦାସ ଓ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ପ୍ରାରମ୍ଭିକ ଆଲୋଚନା କରିଥିଲେ। ଉଭୟ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ କହିଥିଲେ ଯେ ଏହା ପ୍ରାରମ୍ଭିକ ଆଲୋଚନା ଥିଲା। ଏଥିରୁ କିଛି ନିର୍ଯ୍ୟାସ ବାହାରି ନାହିଁ। ତେବେ ଆଗକୁ ଆହୁରି ଆଲୋଚନା ହେବ। ସେପଟେ ସିଇଓ କହିଥିଲେ ସେ ଆଶାବାଦୀ ଯେ ଓଡ଼ିଶା ଆୟୁଷ୍ମାନ ଭାରତରେ ସାମିଲ ହେବ।

ଆ‌େଲାଚନା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ କହିଲେ, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶର ସବୁଠାରୁ ଭଲ ଯୋଜନା। ସିଇଓଙ୍କ ସହିତ ହୋଇଥିବା ପ୍ରାଥମିକ ପର୍ଯ୍ୟାୟର ଆଲୋଚନା ପରେ ସେମାନେ ବିଧିବଦ୍ଧ ଭାବେ ଯେଉଁ ପ୍ରସ୍ତାବ ଦେବେ ସରକାର ତା’ ଉପରେ ତର୍ଜମା କରିବେ। ଯଦି ସେହି ପ୍ରସ୍ତାବ ଯୋଗୁଁ ଓଡ଼ିଶା ବିଶେଷ ଭାବେ ଉପକୃତ ହୋଇପାରିବ, ତାହା ହେଲେ କେନ୍ଦ୍ରର ପ୍ରସ୍ତାବକୁ ସରକାର ବିଚାର କରିବେ ବୋଲି ସେ କହିଥିଲେ।

ସିଇଓଙ୍କ ନେତୃତ୍ବରେ ଆସିଥିବା କେନ୍ଦ୍ରୀୟ ଅଧିକାରୀମାନଙ୍କୁ ନେଇ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକ ପରେ ଶ୍ରୀ ପାଢ଼ୀ କହିଲେ ଯେ ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଏହି ଯୋଜନା ସଂପର୍କରେ ଆହୁରି ୨/୩ଟି ପର୍ଯ୍ୟାୟର ଆଲୋଚନା ହେବ। ରାଜ୍ୟ ସରକାରଙ୍କ କିଛି ସର୍ତ ରହିଛି। ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି। ତେବେ ସେହି ସର୍ତ ସଂପର୍କରେ କିଛି କହିନଥିଲେ। ପରବର୍ତୀ ଆଲୋଚନା ପରେ କିଛି ସମାଧାନ ବାହାରିବ ବୋଲି ସେ ଆଶାପ୍ରକାଶ କରିଥିଲେ। ତେବେ ଏହି ଆଲୋଚନାକୁ ସକରାତ୍ମକ ଦର୍ଶାଇଥିଲେ ସିଇଓ ଡ. ଇନ୍ଦୁଭୂଷଣ। ସେ କହିଲେ ଯେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଓ ସୁଦୃଢ଼। ଏହି ଯୋଜନାରେ ସରକାରୀ ଡାକ୍ତରଖାନାମାନଙ୍କରେ ମାଗଣାରେ ଚିକିତ୍ସା ସେବା ଉପଲବ୍ଧ। ଏଭଳି ଅର୍ଥଭାର କିପରି ସହଭାଗିତା ଭିତ୍ତିରେ କେନ୍ଦ୍ର ଓ ରାଜ୍ୟ ବହନ କରିବେ, ସେ ନେଇ ସ୍ବଚ୍ଛ ଓ ଅଡିଟ୍‌ ବ୍ୟବସ୍ଥା ମାଧ୍ୟମରେ କରିବାକୁ ପନ୍ଥା ନିର୍ଧାରଣ କରାଯିବ। ଅବଶ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ ଏଭଳି ବ୍ୟବସ୍ଥା କରିବାକୁ ହେବ। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ନିମନ୍ତେ ୭ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ ବହନ କରୁଛନ୍ତି, ‌ସେହି ବ୍ୟବସ୍ଥା ଜାରି ରହୁ ବୋଲି ସେ ମତ ଦେଇଥିଲେ। ଅନ୍ୟପକ୍ଷରେ ଆୟୁଷ୍ମାନ ଯୋଜନାରେ ସର୍ବାଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଉପଲବ୍ଧ ବୋଲି ସେ ଦର୍ଶାଇଥିଲେ।

ସୂଚନାଯୋଗ୍ୟ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ବିଭାଗରେ ରାଜ୍ୟର ପ୍ରାୟ ୯୯ ହଜାର ପରିବାର ଏବଂ ଦ୍ୱିତୀୟ ବିଭାଗରେ ପ୍ରାୟ ୭୨ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି। ପ୍ରଥମ ବିଭାଗରେ ନିରାମୟ ଓ ନିଦାନ ଆଦି ଯୋଜନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ୨ୟ ବିଭାଗରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ବୀମା ଏବଂ ଚିକିତ୍ସା ପାଣ୍ଠି ମାଧ୍ୟମରେ ଅଧିକ ସହାୟତା ଦିଆଯାଉଛି। ଉଚ୍ଚମାନ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ହସ୍‌ପିଟାଲ୍‌, ରାଜ୍ୟ ଓ ରାଜ୍ୟ ବାହାରର ୨୧୮ଟି ଘରୋଇ ହସ୍‌ପିଟାଲ୍‌କୁ ତାଲିକାଭୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର