ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା: ନଭେମ୍ବର ୧୩ରେ ଚୂଡ଼ାନ୍ତ ପ୍ରତିଯୋଗିତା, ଭାଗନେବେ ୨୧୦

୬ ଜଣଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦିଗ୍‌ଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା’ର ଜିଲ୍ଲାସ୍ତରୀୟ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଶେଷ ହୋଇଛି। ଆଜି ହୋଟେଲ୍‌ ସ୍ବସ୍ତି ଗ୍ରାଣ୍ଡରେ ୧୮ ଜଣ ବିଚାରକ ୩୦ ଜିଲ୍ଲା ଓ ୫ ମହାନଗର ନିଗମରୁ ଆସିଥିବା ୪୭୮୧ ଜଣ ପ୍ରତିଯୋଗୀଙ୍କ ଖାତାକୁ ମୂଲ୍ୟାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୧୦ ଜଣଙ୍କୁ ନଭେମ୍ବର ୧୩ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୯ ତାରିଖ ଦିନ ଏହି କୃତୀ ପ୍ରତିଯୋଗୀମାନଙ୍କ ନାମ ‘ସମ୍ବାଦ’ରେ ପ୍ରକାଶ ପାଇବ।

ଏହି ୨୧୦ କୃତୀ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପୁରସ୍କାର ପାଇବେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୩ ହଜାର, ୨ ହଜାର ଓ ୧ ହଜାର ଟଙ୍କା ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିଭଳି ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ସଫଳ ହୋଇଥିବା ୨୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡ଼ିଆ ପ୍ରବନ୍ଧ ପାଇଁ ୩ ଜଣ ଓ ଇଂରାଜୀ ପ୍ରବନ୍ଧ ପାଇଁ ୩ ଜଣଙ୍କୁ ପୁରସ୍କୃତ କରାଯିବ। ମୋଟ ୬ ଜଣ କୃତୀ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦନ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ‌୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ନିଜେ ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ୍‌ ଏକ ସ୍ବତନ୍ତ୍ର ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିବେ।

ସୂଚନାଯୋଗ୍ୟ ଯେ ରାଜ୍ୟପାଳଙ୍କ ପରାମର୍ଶ ଓ ଦିଗ୍‌ଦର୍ଶନରେ ସାରା ରାଜ୍ୟରେ ଗତ ସେପ୍ଟେମ୍ବର ୧୧ ତାରିଖ (ରବିବାର) ଦିନ ଏହି ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୬୫୦ରୁ ଅଧିକ କେନ୍ଦ୍ରରେ ୬୯,୭୮୬ ହଜାର ଛାତ୍ରଛାତ୍ରୀ ଯୋଗଦେଇ ‘ମୋ ସ୍ବପ୍ନର ଓଡ଼ିଶା’ ବା ‘Odisha of My Dreams’ ବିଷୟବସ୍ତୁ ଉପରେ ନିଜର ଭାବନା ବ୍ୟକ୍ତ କରିଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଧ ଲେଖିବାର ସୁଯୋଗ ଥିବାରୁ ଗାଁରୁ ସହର ଯାଏ, ରାଜ୍ୟର ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମିକ ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରବଳ ଉତ୍ସାହର ସହ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ‘ସମ୍ବାଦ’ ପକ୍ଷରୁ ରାଜ୍ୟର ୩୦ ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭାଜିତ କରି ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମ୍ବଲପୁର ଜୋନ୍‌ରେ ସର୍ବାଧିକ ୧୬,୫୩୫ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ କଟକ ଜୋନ୍‌ରେ ୯୩୭୧, ଭୁବନେଶ୍ବର ଜୋନ୍‌ରେ ୮୪୬୭, ବାଲେଶ୍ବର ଜୋନ୍‌ରେ ୭୭୨୯, ରାଉରକେଲା ଜୋନ୍‌ରେ ୭୩୭୫, ବ୍ରହ୍ମପୁର ଜୋନ୍‌ରେ ୫୮୭୩, ଜୟପୁର ଜୋନ୍‌ରେ ୫୫୯୪, ଯାଜପୁର ଜୋନ୍‌ରେ ୪୯୯୬ ଓ ଅନୁଗୁଳ ଜୋନ୍‌ରେ ୩,୮୪୬ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପରୀକ୍ଷା କେନ୍ଦ୍ରରେ ସେହିଦିନ ବିଚାରକମାନଙ୍କ ଦ୍ବାରା ଉତ୍ତର ଖାତା ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପ୍ରମା‌ଣପତ୍ର ପ୍ରଦାନ କରାଯାଇଥିଲା। ପ୍ରତି କେନ୍ଦ୍ରରୁ ଓଡ଼ିଆ ପ୍ରବନ୍ଧରେ ୫ ଜଣ ଓ ଇଂରାଜୀ ପ୍ରବନ୍ଧରେ ୫ ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରକୁ ଉତ୍ତୀର୍ଣ୍ଣ କରାଯାଇଥିଲା।

ଆଜି ଏହି ମୂଲ୍ୟାୟନ ଦିନ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ବିଚାରକମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ପ୍ରଫେସର ଶରତ ଶତପଥୀ, ପ୍ରଫେସର ଆରତି ବିଶ୍ବାଳ, ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ହିମାଂଶୁ ମହାପାତ୍ର, ସାହିତ୍ୟିକ ମନୋଜ ମିଶ୍ର, ଚିନ୍ମୟ ହୋତା, ଚିରଶ୍ରୀ ଇନ୍ଦ୍ରସିଂହ, ପୂର୍ବତନ ବ୍ୟାଙ୍କ ଅଧିକାରୀ ପ୍ରଦୀପ କୁମାର ପତି, ଲେଖକ ପରେଶ ପଟ୍ଟନାୟକ, ପୀତବାସ ରାଉତରାୟ, ସହଦେବ ସାହୁ, ନରେନ୍ଦ୍ର ନାରାୟଣ ଦାସ, କବି ଓ ଅନୁବାଦକ ସଂଗ୍ରାମ ଜେନା, ଗାଳ୍ପିକ ସୀତେଶ ତ୍ରିପାଠୀ, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ଖବର ବିଭାଗ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ ଜଗନ୍ନାଥ ମହାନ୍ତି, ସାମ୍ବାଦିକ ଶିବ କୁମାର ଦାସ, ସମୀକ୍ଷକ ଅମରେନ୍ଦ୍ର ମିଶ୍ର ପ୍ରମୁଖ ମୂଲ୍ୟ‌ାୟନ କରିଥିଲେ। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ବିଚାରକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ପ୍ରତିନିଧି ଭାବେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ତଥା କବି ରକ୍ଷକ ନାୟକ, ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଦେବବନ୍ଧୁ ମିଶ୍ର ଏବଂ ସ୍ବାସ୍ଥ୍ୟ ପରାମର୍ଶଦାତା ଡାକ୍ତର କୃତିବାସ ପରିଡ଼ା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ‘ସମ୍ବାଦ’ର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର