ବଲାଙ୍ଗୀର: ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ସକାଶେ ପ୍ରସ୍ତୁତ ପୋଷ୍ଟରର ଡିଜାଇନ ପାଇଁ କୌଣସି କମିଟି ଗଠନ ହୋଇନି କି ରିପୋର୍ଟ ପ୍ରସ୍ତୁତ କରାଯାଇ ନଥିଲା ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଧୀନସ୍ଥ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍ଆର୍)ର ଜନ ସୂଚନା ଅଧିକାରୀ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ସୂଚନା ପ୍ରଦାନ କରିଛି। ଏହାସହ ନେହରୁଙ୍କ ନାଁ କୁ ସ୍ୱାଧୀନତା ସଂଗ୍ରାମୀ ତାଲିକାରୁ ହଟାଇ ଦେବା ପାଇଁ କୌଣସି ପ୍ରସ୍ତାବ ନଥିବା ତଥ୍ୟ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ନେହରୁଙ୍କ ଭୂମିକାକୁ ପ୍ରମୁଖତାର ସହ ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇ ଥିବା ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି।

Advertisment

ନେହରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ତାଲିକାରୁ ବାଦ୍‌ ଦେବା ପ୍ରସ୍ତାବ ଆଇସିଏଚ୍‌ଆର୍‌ର ନଥିଲା
ଜାତୀୟ ସୂଚନା କମିସନଙ୍କ ଅସନ୍ତୋଷ ପରେ ତଥ୍ୟ ଦେଲା ଆଇସିଏଚ୍‌ଆର୍‌

ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ୨୦୨୧ ମସିହାରୁ ଭାରତ ସରକାରଙ୍କ ଆଜଦୀ କା ଅମୃତ ମହୋତ୍ସବ ପାଇଁ ପୋଷ୍ଟର ପ୍ରସ୍ତୁତକାରୀ ସଂସ୍ଥା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦକୁ (ଆଇସିଏଚ୍ଆର୍) ଏ ସଂକ୍ରାନ୍ତୀୟ କେତେକ ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ କୌଣସି ତଥ୍ୟ ଦିଆଯାଇ ନଥିଲା। ଏହାକୁ ନେଇ ଶ୍ରୀ ପଣ୍ଡା ଜାତୀୟ ସୂଚନା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାତୀୟ ସୂଚନା କମିସନର ହୀରାଲାଲ ସିମାରିୟା ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କ ଆବେଦନର ବିଚାର କରି ଆଇସିଏଚ୍ଆର୍‌ର ତତ୍କାଳୀନ ଜନ ସୂଚନା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ୧୫ ଦିନ ଭିତରେ ଶ୍ରୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆଜାଦୀ କା ଅମୃତ ମହୋତ୍ସବକୁ ମହାଆଡ଼ମ୍ବରରେ ୧୨ ମାର୍ଚ ୨୦୨୧ ରୁ ୧୫ ଅଗଷ୍ଟ ୨୦୨୩  ‌ ପର୍ଯ୍ୟନ୍ତ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍ଆର୍) ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏକ ପୋଷ୍ଟର ପ୍ରସ୍ତୁତ କରାଯାଇଥିଲା। ଏହି ପୋଷ୍ଟରରେ ୮ ଜଣ ଜାତୀୟ ହିରୋଙ୍କ ଫଟୋ ରହିଥିବା ବେଳେ, ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଫଟୋକୁ ସ୍ଥାନୀତ କରାଯାଇ ନଥିଲା।

ଏହି ପୋଷ୍ଟରରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡ. ବିଆର୍‌ ଆମ୍ବେଦଦକର, ଭଗତ ସିଂ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ମଦନ ମୋହନ ମାଲବ୍ୟ ଓ ବୀର ସବରକରଙ୍କ ଫଟୋକୁ ସ୍ଥାନ ଦିଆଯାଇଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଅନ୍ୟତମ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନେହରୁଙ୍କ ଫଟୋକୁ ଉକ୍ତ ପୋଷ୍ଟରରେ ସ୍ଥାନ ଦିଆ ଯାଇ ନଥିବାରୁ ଏହି ପୋଷ୍ଟରକୁ ନେଇ ଦେଶବ୍ୟାପି ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ବିଦ୍ୱେଶମୂଳକ ରାଜନୀତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ। ବିନା କମିଟି ଓ ବିନା କୌଣସି ରିପୋର୍ଟରେ ଦେଶର ଏତେ ବଡ଼ ‌କାର୍ଯ୍ୟକ୍ରମ  ପାଇଁ କିଭଳି ଭାବେ ଏହି ପୋଷ୍ଟରକୁ ପ୍ରସ୍ତୁତ କରାଯାଇଥିଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।